ଯାଜପୁର, ୧୭/୩/୨୬ (ସନ୍ଧାନ ନ୍ୟୁଜ ) ଧର୍ମଶାଳାରେ ଚାଲିଛି ରାବଣରାଜ । ଏହାର ଜ୍ଜ୍ୱଳନ୍ତ ଚିତ୍ର ଆଜି ଧର୍ମଶାଳାର ଚକ୍ରଧରପୁର ମୌଜାର କୁସୁନପୁର ପାହାଡରେ ଦେଖିବାକୁ ମିଳିଥିଲା । ଏଠାରେ ବେଆଇନ କଳାପଥର ଲୁଟ ପ୍ରତିବାଦରେ ଆନ୍ଦୋଳନରେ ଥିବା ଧର୍ମଶାଳା ପାହାଡ ପର୍ବତ ସୁରକ୍ଷା ମଂଚ ସଭାପତି, ସଂଗ୍ରାମୀ ନେତା ତଥା ସାମ୍ବାଦିକ ସତୀଶ ବିଶ୍ୱାଳଙ୍କୁ ମରଣାନ୍ତକ ଆକ୍ରମଣ କରାଗଲା । ତାଙ୍କ ସହ ଥିବା ଅନେକ ମହିଳାଙ୍କୁ ଉଲଗ୍ନ କରି ମାଡ ମରାଯିବା ସହ ଅନ୍ୟ କେତେକ ପୁରୁଷଙ୍କୁ ପ୍ରବଳ ମାଡ ମରାଯାଇଛି । ଅନେକଙ୍କ ମୋବାଇଲ ଛଡାଇ ନିଆଯିବା ସହ ସତୀଶଙ୍କ କାରରେ ଥିବା ହାର୍ଡଡିଷ୍କ, ଅନେକ ପ୍ୟାନ ଡ୍ରାଇଭ ଏବଂ କାରର ବହୁ ସାମଗ୍ରୀ ନିଆଯିବା ପରେ କାରଟିକୁ ପିଟି ପିଟି ଚୁନା କରି ଦିଆଗଲା । ଏହି ଆକ୍ରମଣର ପୂର୍ବରୁ ସତୀଶ ଜେନାପୁର ଥାନା ଅଧିକାରୀଙ୍କ ଫୋନ କରି ତାଙ୍କର ଜୀବନ ବିପଦପୂର୍ଣ୍ଣ ଥିବା ଜଣାଇ ଥିଲେ ମଧ୍ୟ ଏହାର ଏକଘଂଟା ପରେ ପୋଲିସ ଘଟଣା ସ୍ଥଳରେ ପହଂଚିଲା ବେଳକୁ ଆକ୍ରମଣକାରୀ ମାନେ ତାଙ୍କର ରାବଣ ରାଜ ଶେଷ କରି ଦେଇଥିଲେ । ଏପରିକି ଆମେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଲୋକ, ଆମ ବିଧାୟକ ତଳୁ ଉପର ଯାଏ ଟଙ୍କା ଦେଉଛନ୍ତି । ତୁ ତାଙ୍କୁ କାହିଁକି ବିରୋଧ କରୁଛୁ ବୋଲି ଆକ୍ରମଣକାରୀ ମାନେ ଚିତ୍କାର କରି ଏହି ଆକ୍ରମଣ କରୁଥିଲେ । ଖବରରୁ ପ୍ରକାଶ, ଧର୍ମଶାଳା ତହସିଲର ଚକ୍ରଧରପୁର ମୌଜାର ଖାତା ନଂ-୪୭୫, ପ୍ଲଟ ନଂ୧୫୯୮ରେ ବେଆଇନ ଭାବେ କଳାପଥର ଲୁଟ ହେଉଛି । ଏଥିନେଇ ସ୍ଥାନୀୟ ଲୋକେ ବାରମ୍ବାର ଧର୍ମଶାଳା ତହସିଲଦାର, ଜିଲ୍ଲାପାଳଙ୍କ ଠାରୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ଜମିରେ ଗାଇଗୋରୁ ଚରୁଥିଲେ । କିଛି ଲୋକ ଏଠାରେ ଫସଲ କରି ଧାନ ଅମଳ କରୁଥିଲେ । ସେମାନେ ଅତୀତରେ ରାଜା ଶାସନ ସମୟରେ ଏହି ଜମିର ପଟ୍ଟା ପାଇଥିଲେ ମଧ୍ୟ ପରେ ଏହି ପଟ୍ଟା ବାତିଲ ହୋଇଛି । ହେଲେ ଏହା ବିରୋଧରେ ଏହି ଚାଷୀମାନେ କୋର୍ଟରେ କେସ କରିଛନ୍ତି । ଏପରିକି ଏହି ଜମି ଉପରେ ମଧ୍ୟ ୧୪୪ କରିଛନ୍ତି । ଲୋକଙ୍କ ଅଭିଯୋଗ ଆଧାରରେ ଜିଲ୍ଲା ପ୍ରଶାସନ ତରଫରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ପୋଲିସ ୧୪୪ କୁ କାର୍ଯ୍ୟକାରୀ କରିନାହିଁ । ଏହାପରେ ଏହି ଚାଷୀମାନେ ବାରମ୍ବାର ଏଥିନେଇ ଧର୍ମଶାଳା ପାହାଡ ପର୍ବତ ସୁରକ୍ଷା ମଂଚ ସଭାପତି ସତୀଶ ବିଶ୍ୱାଳଙ୍କୁ ସାକ୍ଷାତ କରିବା ପରେ ଜଣେ ସାମ୍ବାଦିକ ଏବଂ ପାହାଡ ସୁରକ୍ଷା ମଂଚର ସଭାପତି ଭାବେ ସତୀଶ ଉକ୍ତ ଚାଷୀ ମାନଙ୍କ ସହ ଘଟଣା ସ୍ଥଳ ପରିଦର୍ଶନରେ ଯାଇଥିଲେ । ସେଠାରେ ଚାଷୀ ମାନଙ୍କ ଠାରୁ ସବୁ ବିଷୟ ଶୁଣିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖଣି ଲୁଟେରାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପ୍ରତିଶୃତି ଦେଇଥିବାରୁ ଏହା ଉପରେ ଭରସା ରଖିବାକୁ ଚାଷୀ ମାନଙ୍କୁ ବୁଝାଇବା ସହ ସେ ଏଥିନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ । ଠିକ ଏହି ସମୟରେ ଅତର୍କିତ ଭାବେ ଧର୍ମଶାଳା ବିଧାୟକଙ୍କ ନାଁ ନେଇ ବହୁ ସଂଖ୍ୟାରେ ଗୁଣ୍ଡା ବଡ ବଡ ପଥର, ଠେଙ୍ଗା, ବାଡି , ଶାବଳ ଧରି ସତୀଶ ଏବଂ ତାଙ୍କ ସହ ଥିବା ପୁରୁଷ, ମହିଳା ମାନଙ୍କୁ ନୃସଂସ ଭାବେ ଆକ୍ରମଣ କରି ସତୀଶଙ୍କ କାର ନଂବର – ଓଡି୦୪ ପି ୭୩୧୭ କୁ ଭାଙ୍ଗି ଦେଇଥିଲେ । ଏହାପରେ ସତୀଶଙ୍କୁ ଆକ୍ରମଣ ସମୟରେ ଉପସ୍ଥିତ ମହିଳା ମାନେ ସତୀଶଙ୍କୁ ଘେରିଯାଇ ତାଙ୍କୁ ଗୁଣ୍ଡାଙ୍କ କବଳରୁ ବଂଚାଇବାକୁ ଉଦ୍ୟମ କଲାବେଳେ ଏହି ଗୁଣ୍ଡା ମାନେ ଅତି କଦର୍ଯ୍ୟ ଭାବରେ ମହିଳା ମାନଙ୍କୁ ଉଲଗ୍ନ କରି ଦଃୁବ୍ୟବହାର କରିବା ସହ ସତୀଶଙ୍କୁ ମାଡ ମାରିଥିଲେ ଏବଂ ତାଙ୍କର ଆପତି ଜନକ ଭିଡିଓ ମଧ୍ୟ ଉତୋଳନ କରିଥିଲେ । ଏହି ଗୁଣ୍ଡାଙ୍କ ଆକ୍ରମଣରେ କୁଳମଣୀ ପ୍ରଧାନ, ସାମ୍ବାଦିକ କାର୍ତିକ ସ୍ୱାଇଁ, ପ୍ରାମଦ ଖଟୁଆ, ଉଦ୍ଧବ ରାଉତ, ନିରୁପମା ରାଉତ, ମାଧବାନନ୍ଦ ରାଉତ, ପ୍ରମୁଖ ଆହତ ହୋଇଛନ୍ତି । ପରେ ସତୀଶଙ୍କ କେତେକ ସମର୍ଥକ ପହଂଚି ତାଙ୍କୁ ଉଦ୍ଧାର କରି ଆଣିବା ସହ ଏଥିନେଇ ଜେନାପୁର ଥାନାରେ ଦୁଇଟି ପୃଥକ ପୃଥକ ଏତଲା ଦିଆଯାଇଛି । ଏହାର ପ୍ରତିବାଦରେ ସତୀଶ ଥାନା ସମ୍ମୁଖରେ ଅନଶନରେ ବସୁଥିଲେ ମଧ୍ୟ ନିଶ୍ଚୟ ନ୍ୟାୟ ପ୍ରଦାନ ସହ ଅଭିଯୁକ୍ତ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶୃତି ଦେବା ଅନଶନରେ ନବସିବା ପାଇଁ ପରାମର୍ଶ ଦେଇଥିଲେ । ଏହାପରେ ସତୀଶଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ କଟକ ବଡ
ଡାକ୍ତରଖାନାକୁ ଚିକିତ୍ସା ପାଇଁ ରେଫର କରାଯାଇଛି । ପ୍ରକାଶ ଥାଉ କି, ସତୀଶଙ୍କ ଦୀର୍ଘ ୨୦ ବର୍ଷର ଲଢେଇ ପରେ ଏହି କୁଶୁନପୁର ପାହାଡ ଜଙ୍ଗଲ କିସମ ପାହାଡ ବୋଲି ପ୍ରଶାସନ ସ୍ୱୀକାର କରିବା ପରେ ବି ଏଠାରୁ ନିୟମିତ ସଂପୂର୍ଣ୍ଣ ବେଆଇନ ଭାବେ ଲକ୍ଷ ଲକ୍ଷ ଟଙ୍କାର କଳାପଥର ଚାଲାଣ ହେଉଛି । ସେହିପରି ଏଠାରେ ଥିବା ଏକ କ୍ରସରରେ ଗରମ ତେଲ ଢାଳି ଜଣେ ଯୁବକଙ୍କୁ ମାରିଦେବା ଘଟଣାରେ ସତୀଶ ବିରୋଧ କରି ଆସିଥିବାରୁ ମଧ୍ୟ ପଥର ମାଫିଆଙ୍କ ଟାର୍ଗେଟରେ ସତୀଶ ରହି ଆସିଛନ୍ତି । ଏଥିନେଇ ବିଭିନ୍ନ ମହଲରେ ଘୋର ଉଦବେଗ ପ୍ରକାଶ ପାଇଛି । ଜେନାପୁର ଥାନା ଏବଂ ଧର୍ମଶାଳା ମେଡିକାଲରେ ବହୁ ବ୍ୟକ୍ତି ଆହତ ସତୀଶ ବିଶ୍ୱାଳଙ୍କୁ ସାକ୍ଷାତ କରି ଗଭୀର ଦଃୁଖ ପ୍ରକାଶ କରିଛନ୍ତି ।
ଧର୍ମଶାଳାରେ ରାବଣରାଜ: ବିଧାୟକଙ୍କ ସମର୍ଥକଙ୍କ ଯୁବନେତା ସତୀଶ ବିଶ୍ୱାଳଙ୍କୁ ମରଣାନ୍ତକ ଆକ୍ରମଣ: ମହିଳାଙ୍କୁ ବି ଛାଡିଲେନି
|
March 17, 2026 |



