ଶ୍ରମ ଆଇନରେ ସଂସ୍କାର; ପାଞ୍ଚ ବର୍ଷ ବଦଳରେ ଏଣିକି ଗୋଟିଏ ବର୍ଷ ପରେ ଗ୍ରାଚ୍ୟୁଇଟି ପାଇଁ ଯୋଗ୍ୟ

Spread the love

ନୂଆଦିଲ୍ଲୀ,ସନ୍ଧାନ ନ୍ୟୁଜ୍ : ଏଣିକି ଦେଶରେ ସରଳ ଓ ସୁଗମ ହେବ ଶ୍ରମ ଆଇନ। ଶ୍ରମ ଆଇନରେ ସଂସ୍କାର କରାଯାଇଛି | ୪ଟି ଶ୍ରମ ସଂହିତା ଲାଗୁ କଲେ କେନ୍ଦ୍ର ସରକାର। ସେଗୁଡିକ ହେଲା, ମଜୁରୀ ସଂହିତା-୨୦୧୯, ଶିଳ୍ପ ସମ୍ପର୍କ ସଂହିତା-୨୦୨୦, ସାମାଜିକ ସୁରକ୍ଷା ସଂହିତା-୨୦୨୦ ଏବଂ ବୃତ୍ତିଗତ ନିରାପତ୍ତା, ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟ ପରିସ୍ଥିତି ସଂହିତା-୨୦୨୦ -କାର୍ଯ୍ୟକାରୀ ହୋଇଛି। ଏହି ଶ୍ରମ ସଂହିତା ୨୯ଟି ପ୍ରଚଳିତ ଶ୍ରମ ଆଇନକୁ ପରିବର୍ତ୍ତନ କରିବ। ତେବେ ଏହି ନିୟମ ଅନୁସାରେ, ସ୍ଥିର- ଅବଧି କର୍ମଚାରୀଙ୍କୁ ସ୍ଥାୟୀ କର୍ମଚାରୀଙ୍କ ଭଳି ସମାନ ସୁବିଧା ମିଳିବ। ପୂର୍ବରୁ ଏହାର ଅବଧି ପାଞ୍ଚ ବର୍ଷ ପାଇଁ ରହିଥିଲା କିନ୍ତୁ ଏବେ ମାତ୍ର ଗୋଟିଏ ବର୍ଷ ପରେ ଗ୍ରାଚ୍ୟୁଇଟି ପାଇଁ ଯୋଗ୍ୟ ହୋଇପାରିବେ କର୍ମଚାରୀ । ସ୍ଥାୟୀ କର୍ମଚାରୀଙ୍କ ଭଳି ସେମାନଙ୍କୁ ସମାନ ଦରମା, ଆୟ ବୃଦ୍ଧି ଏବଂ ସୁରକ୍ଷା ମିଳିବ। ଆଧାର-ଲିଙ୍କ୍ ହୋଇଥିବା ୟୁନିଭର୍ସାଲ ଆକାଉଣ୍ଟ ନମ୍ବର ମାଧ୍ୟମରେ କଲ୍ୟାଣମୂଳକ ଲାଭଗୁଡ଼ିକ ସହଜରେ ମିଳିପାରିବ। ଶ୍ରମିକମାନେ ବାର୍ଷିକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷାର ସୁବିଧା ସହଯୋଗ ପାଇବେ। ସମାନ କାମ ପାଇଁ ସମାନ ଦରମା ସୁନିଶ୍ଚିତ କରାଯିବ। ମହିଳାମାନଙ୍କୁ ରାତି ଶିଫ୍ଟରେ କାମ କରିବାର ଅନୁମତି ମିଳିଛି | ଏଣିକି ଅଭିଯୋଗ ସମାଧାନ କମିଟିରେ ମହିଳା ପ୍ରତିନିଧିତ୍ୱ କରିବାକୁ ବାଧ୍ୟତାମୂଳକ କରାଯାଇଛି । ସମସ୍ତ ପ୍ରକାରର ଶ୍ରମିକ ମାନଙ୍କ ପାଇଁ ସର୍ବନିମ୍ନ ମଜୁରୀ ସୁନିଶ୍ଚିତ କରାଯିବା ସହିତ ଶ୍ରମିକଙ୍କୁ ନିଯୁକ୍ତି ପତ୍ର ମଧ୍ୟ ମିଳିବ। ନିଯୁକ୍ତିଦାତାଙ୍କ ଦ୍ୱାରା ଶ୍ରମିକ ଶୋଷଣ ନିଷିଦ୍ଧ ହୋଇଥିବା ବେଳେ ଛୁଟି ସମୟରେ ମଜୁରୀ ପ୍ରଦାନ ବାଧ୍ୟତାମୂଳକ କରାଯାଇଛି। ଏମଏସଏମଇ ଶ୍ରମିକଙ୍କୁ କ୍ୟାଣ୍ଟିନ୍, ପାନୀୟ ଜଳ ଏବଂ ବିଶ୍ରାମ ସ୍ଥାନ ଭଳି ସୁବିଧା ଯୋଗାଇ ଦିଆଯିବ। ତାହା ସହିତ ଦ୍ୱିଗୁଣିତ ଓଭରଟାଇମ୍ ମଜୁରୀ ଏବଂ ଦରମାପ୍ରାପ୍ତ ଛୁଟି ପାଇଁ ବ୍ୟବସ୍ଥା ମଧ୍ୟ ରହିବ। ସେହିପରି ବିଡ଼ି ଏବଂ ସିଗାରେଟ୍ ଶ୍ରମିକଙ୍କ ପାଇଁ ସପ୍ତାହକୁ ୪୮ ଘଣ୍ଟା ସୀମିତ କାର୍ଯ୍ୟ ରଖାଯାଇଛି। ନିଶ୍ଚିତ ହୋଇଥିବା ସମୟ ସୀମାରୁ ଅଧିକା ସମୟ କାର୍ଯ୍ୟ କଲେ ଦୁଇଗୁଣ ଦରମା ଦିଆଯିବ। ଶ୍ରମିକମାନେ ବୋନସ ପାଇବାକୁ ଯୋଗ୍ୟ ହେବେ। ସମସ୍ତ ପ୍ରବାସୀ ଶ୍ରମିକ ସମାନ ମଜୁରୀ, କଲ୍ୟାଣକାରୀ ଲାଭ ଏବଂ ପିଡିଏସ୍ ପୋର୍ଟେବିଲିଟିର ଲାଭ ମଧ୍ୟ ପାଇବେ | ଆଇଟି ଏବଂ ଆଇଟିଇଏସ୍ କର୍ମଚାରୀଙ୍କ କ୍ଷେତ୍ରରେ ପ୍ରତି ମାସର ୭ ତାରିଖ ସୁଦ୍ଧା ଦରମା ପ୍ରଦାନ ବାଧ୍ୟତାମୂଳକ । ଏହି ସଂହିତାଗୁଡ଼ିକ ପରିବର୍ତ୍ତନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶ୍ରମିକ ଏବଂ ଉଦ୍ୟୋଗ ଉଭୟଙ୍କୁ ସଶକ୍ତ କରିବା | ଏହି ୪ଟି ଶ୍ରମ ସଂହିତା ଦେଶର ଅଗ୍ରଗତିରେ ସଶକ୍ତ ଭୂମିକା ଗ୍ରହଣ କରିବ ବୋଲି ଉଭୟ ପ୍ରଧାନମନ୍ତ୍ରୀ ମୋଦି ଏବଂ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି |

Related Posts

About The Author

Add Comment