ତେଲକୋଇ , 11.02.2021 (ସନ୍ଧାନ ନିଉଜ୍) :- ପାନୀୟ ଜଳ ପାଇଁ ସରକାରଙ୍କ ମାଳ ମାଳ ଯୋଜନା। ହେଲେ ଲୋକଙ୍କ ପାଖରେ ସୁଦ୍ଧ ପିଇବା ପାଣି ଏବେ ମଧ୍ୟ ସାତସପନ ପାଲଟିଛି। ଲୋକେ ବର୍ଷ ସାରା ନାଳ ପାଣି ଉପରେ ଭରସା କରୁଛନ୍ତି । କାହିଁ କେଉଁ କାଳରୁ ଜଳ ଯନ୍ତ୍ରଣା ଭୋଗୁଛନ୍ତି ଗାଁର ଆଦିବାସୀ ଲୋକେ। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାଶଂପାଳ ବ୍ଲକର ଉପାନ୍ତ ଅଞ୍ଚଳ ହଳଦୀପାଣି ଗାଁରେ । କେନ୍ଦୁଝର ଜିଲ୍ଲା ବାଶଂପାଳ ବ୍ଲକ ଅନ୍ତର୍ଗତ ହଳଦୀପାଣି ଗାଁରେ ଲାଗିରହିଛି ପିଇବା ପାଣି ସମସ୍ୟା । ଗାଁ ଲୋକଙ୍କ ପାଇଁ ସୁଦ୍ଧ ପିଇବା ପାଣି ସାତସପନ ପାଲଟିଛି । ଲୋକେ ବର୍ଷସାରା ନାଳରୁ ଦୁଷିତ ପିଇବା ପାଣି ସଂଗ୍ରହ କରୁଛନ୍ତି । ଫଳରେ ଜଳ ଜନିତ ବିଭିନ୍ନ ରୋଗରେ ପିଲାଛୁଆଙ୍କ ସହିତ ବଡ ଲୋକ ମଧ୍ୟ ଆକ୍ରାନ୍ତ ହେଉଛନ୍ତି। ଗାଁରେ ଗୋଟିଏ ନଳ କୂପ ରହିଛି ଯାହା ଦୁଇବର୍ଷ ପୂର୍ବେ ବସାଯାଇଥିଲା। ତେବେ ସେଥିରୁ ଆଇରନ ଯୁକ୍ତ ପାଣି ବାହାରୁ ଥିବାରୁ ତାହା ବ୍ୟବହାର ଯୋଗ୍ୟ ହୋଇ ପାରୁନାହିଁ। ଫଳରେ ଲୋକେ ଖରାଦିନରେ ନାଳରେ ଚୁଆ ଖୋଳି ପିଇବା ପାଣି ସଂଗ୍ରହ କରୁଥିବା ବେଳେ ଅନ୍ୟ ସମୟରେ ନାଳରେ ବହି ଯାଉଥିବା ଦୁଷିତ ପାଣିକୁ ପିଇବା ପାଇଁ ବାଧ୍ୟ ହେଉଛନ୍ତି। ଖାଲି ସେତିକି ନୁହେଁ ନାଳଟି ଗାଁ ଠାରୁ ଦୂରରେ ଥିବାରୁ ପିଇବା ପାଣି ସଂଗ୍ରହ ପାଇଁ ଯିବାବେଳେ ବନ୍ୟଯନ୍ତୁଙ୍କ ଭୟ ମଧ୍ୟ ରହୁଛି। ଏ ସମ୍ପର୍କରେ ବାରମ୍ବାର ପ୍ରଶାସନ କୁ ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଲୋକେ ଅଭିଯୋଗ କରିଛନ୍ତି ।ଯଥା ଶିଘ୍ର ପିଇବା ପାଣିର ସୁ ବ୍ୟବସ୍ଥା କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ବାଶଂପାଳ ବ୍ଲକ ବିଡିଓ କ୍ୟାମେରା ଆଗରେ କିଛି କହିବାକୁ ମନା କରିଦେଇଛନ୍ତି।
ନାଳ ପାଣିରେ ବଞ୍ଚୁଛି ଜୀବନ
|
February 11, 2021 |



