ଧର୍ମଶାଳା, ୦୬/୦୨/୨୧ (ସନ୍ଧାନ ନିଉଜ) : ଧର୍ମଶାଳା ବ୍ଲକରେ ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଅଗ୍ରଗତି ସ୍ଥିତି ଅନ୍ୟ ବ୍ଲକ ତୁଳନାରେ ଭଲ ନଥିବା ବେଳେ ଯୋଜନାରେ ଲକ୍ଷାଧିକ ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ ଉଠିଛି । ଏହି ବ୍ଲକର ପାଖର ପଞ୍ଚାୟତରେ ଏହି ଯୋଜନାରେ ବ୍ୟାପକ ଅର୍ଥ ଆତ୍ମସାତ ହୋଇଥିବା ବିଡିଓ ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି । ରାସ୍ତା ନାହିଁ କି ମାଟି ବୁନ୍ଦିଏ ପଡିନି, କିନ୍ତୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ବିଲ୍ ସରକାରୀ ତହବିଲରୁ ପ୍ରଦାନ କରାଯାଇଥିବା ତଥ୍ୟ ସାମ୍ନାକୁ ଆସିଛି । ଶ୍ରମିକ ମଜୁରି ବାବଦକୁ ଏ ସବୁ ଅର୍ଥ ବିନିଯୋଗ କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ପଞ୍ଚାୟତର ବାଜବାଟୀ ଗ୍ରାମର ସାମନ୍ତ ଘର ଠାରୁ ସୁଇଜ୍ ଗେଟ୍ ପର୍ଯ୍ୟନ୍ତ, ବାଜବାଟୀ ଅଙ୍ଗନୱାଡି ଘର ଠାରୁ ତେଲୋର ଦାଣ୍ଡି ରାସ୍ତା ଓ ବାଜବାଟୀ ଗ୍ରାମ ଠାରୁ ଗୌଉଡବୁଢା ଠାକୁର ଭାୟା କୁଆଁରିଆ ନାଳ ପର୍ଯ୍ୟନ୍ତ ଏହି ୩ଟି ରାସ୍ତା ଏମ୍ଏନ୍ଆରଇଜିଏସ୍ ଅନ୍ତର୍ଭୁକ୍ତ । ଏହାର ବ୍ୟୟ ଅଟକଳ ୧୫ ଲକ୍ଷ ଟଙ୍କା ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୬ ଲକ୍ଷ ଟଙ୍କାରୁ ଉଦ୍ଦ୍ୱର୍ ଖର୍ଚ୍ଚ ସରିଲାଣି ବୋଲି ଜଣାଯାଏ । ବ୍ଲକ ଅଧିକାରୀଙ୍କ ବିନା କ୍ଷେତ୍ର ପରିଦର୍ଶନ ଓ ଦସ୍ତଖତରେ ଏଭଳି ଅନିୟମିତତା କିପରି ସମ୍ଭବ ହେଲା ତାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି । ସୂଚନା ଯୋଗ୍ୟ ଯେ, ୨୦୨୦-୨୧ ଆର୍ଥିକ ବର୍ଷରେ ବାଜବାଟୀ ଅଙ୍ଗନୱାଡି ଘର ଠାରୁ ତେଲୋର ଦାଣ୍ଡି ରାସ୍ତା ପର୍ଯ୍ୟନ୍ତ ମଜୁରୀ ବାବଦକୁ ୪ ଲକ୍ଷ ୬୭ହଜାର ଓ ସାମଗ୍ରୀ କିଣା ଖର୍ଚ୍ଚ ବାବଦକୁ ୩୨ ହଜାର ୫ଶହ ଟଙ୍କା ମୋଟ ୫ ଲକ୍ଷ ଟଙ୍କା ଖର୍ଚ୍ଚ ନିମନ୍ତେ ବ୍ୟୟ ବରାଦ କରାଯାଇଥିଲା । କିନ୍ତୁ ରାସ୍ତାର ନାଁ ଗନ୍ଧ ନାହିଁ ୧୫୬୮ ଦିନ ଶ୍ରମ ଦିବସ ସୃଷ୍ଟି କରାଯାଇ ଶ୍ରମିକମାନଙ୍କ ନାମରେ ଶ୍ରମିକ ମଜୁରି ବାବଦକୁ ୪ ଲକ୍ଷ ୬୭ହଜାର ସମ୍ପୁର୍ଣ୍ଣ ଖର୍ଚ୍ଚ କରାଯାଇଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ରାସ୍ତା ନାହିଁ କି ମାଟି ବୁନ୍ଦିଏ ପଡିନି କିପରି ଏତେ ଟଙ୍କା ଶ୍ରମିକ ମଜୁରି ବାବଦକୁ ଖର୍ଚ୍ଚ କରାଗଲା ସେ ନେଇ ପଞ୍ଚାୟତବାସୀଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି । କାମ ନକରି କିପରି ବିଭାଗୀୟ ଅଧିକାରୀ ମାନେ ଏହି ବିଲ ପାସ କରାଇ ନେଲେ ତାହା ବର୍ତ୍ତମାନ ବ୍ଲକ ଅଧିକାରୀମାନଙ୍କ ସ୍ୱଚ୍ଛତା ଉପରେ ଆଙ୍ଗୁଳି ନିଦେ୍ର୍ଦଶ କରିଛି । ସେହିପରି ୨୦୧୯-୨୦ ଆର୍ଥିକ ବର୍ଷରେ ସାମନ୍ତ ଘର ଠାରୁ ସୁଇଜ ଗେଟ୍ ପର୍ଯ୍ୟନ୍ତ ପ୍ରକଳ୍ପ କାମ ପାଇଁ ୨ଲକ୍ଷ ୯୮ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଥିଲା । ୨ଲକ୍ଷ ୭୯ ହଜାର ଟଙ୍କା ମଜୁରୀ ବାବଦକୁ ଓ ୧୭ହଜାର ୮ଶହ ଟଙ୍କା ସାମଗ୍ରୀ ବାବଦକୁ ଖର୍ଚ୍ଚ କରାଯିବା କଥା । କିନ୍ତୁ ଅଦ୍ୟାବଧି ୬୭ ହଜାର ୮ଶହ ଟଙ୍କା ମଜୁରୀ ବାବଦକୁ ଶ୍ରମିକମାନଙ୍କୁ ଦିଆଯାଇଥିବା ଯାଇଥିବା ଏବଂ ଏହି କାର୍ଯ୍ୟ ଅଦ୍ୟାବଧି ଶେଷ ହୋଇନଥିବା ବିଭାଗୀୟ ୱେସାଇଟ୍ରେ ତଥ୍ୟ ଉପଲବ୍ଧ ରହିଛି । ବାଜବାଟୀ ଗ୍ରାମ ଠାରୁ ଗୌଉଡବୁଢା ଠାକୁର ଭାୟା କୁଆଁରିଆ ନାଳ ପର୍ଯ୍ୟନ୍ତ ରାସ୍ତା କାମରେ ସମାନ ଦୁର୍ନୀତି ସାମ୍ନାକୁ ଆସିଛି । ଶ୍ରମିକ ମଜୁରି ବାବଦକୁ ୬ ଲକ୍ଷ ୬୩ ହଜାର ଓ ସାମଗ୍ରୀ କିଣା ବାବଦକୁ ୩୫ ହଜାର ମୋଟ୍ ୭ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଏହି କାମରେ ଶ୍ରମିକ ମଜୁରୀ ବାବଦକୁ ୭୬ ହଜାର ୩୬୫ ଟଙ୍କା ପ୍ରଦାନ କରାଯାଇଥିବା ଓ ୨୫୨ଟି ଶ୍ରମ ଦିବସ ସୃଷ୍ଟି କରାଯାଇଥିବା ବିଭାଗୀୟ ୱେସାଇଟ୍ରେ ତଥ୍ୟ ଉପଲବ୍ଧ ରହିଛି । କିନ୍ତୁ ରାସ୍ତାରେ ଦିନଟିଏ ପାଇଁ ମାଟି ବୁନେ୍ଦ ପଡିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏପରିକି ଜବ୍ କାର୍ଡ ପାଇଥିବା ଶ୍ରମିକମାନଙ୍କୁ ଭୟଭୀତ କରାଇ ସେମାନଙ୍କ ଏକାଉଣ୍ଟରୁ ଏହି ଅର୍ଥ ଉଠାଇ ନିଆଯାଇଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି । ତେବେ ପଞ୍ଚାୟତରେ ହୋଇଥିବା ଏଭଳି ଦୁର୍ନୀତିର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସମିତିସଭ୍ୟା ବନଜିନୀ ପରିଡା, ୱାର୍ଡସଭ୍ୟା ଚୁମା ସେଠୀ, ବାସୁଦେବ ପରିଡା, ବିଚିତ୍ରା ନନ୍ଦ ବେହେରା, ଦୁର୍ଯ୍ୟୋଧନ ସେଠୀ, କବିନ୍ଦ୍ର ସାହୁଙ୍କ ସମେତ ବାଜବାଟୀ ଗ୍ରାମର ଶତାଧିକ ଗ୍ରାମବାସୀଙ୍କ ସ୍ୱାକ୍ଷର ସମ୍ବଳିତ ଏକ ଅଭିଯୋଗ ଆଜି ଯାଜପୁର ଜିଲ୍ଲାପାଳ ଓ ଧର୍ମଶାଳା ବିଡିଓଙ୍କୁ ପ୍ରଦାନ କରାଯାଇଛି ।
ରାସ୍ତା ନାହିଁ କି ମାଟି ପଡିନି , ଶ୍ରମିକ ମଜୁରି ବାବଦକୁ ୬ ଲକ୍ଷ ବିଲ୍
|
February 6, 2021 |