ବାରିପଦା ୧୧/୭ (ସନ୍ଧାନ ନିଉଜ):- ନିକଟରେ ସାରା ମୟୂରଭଞ୍ଜ ଜିଲ୍ଲାରେ ଚର୍ଚ୍ଚାରେ ଥିବା ଯଶିପୁର ବ୍ଲକର ଶିମିଳିପାଳ ଭିତରେ ଥିବା ପାଞ୍ଚଟି ପଞ୍ଚାୟତର ମନରେଗା କାର୍ଯ୍ୟରେ ହୋଇଥିବା ବାଟମାରଣା ଏବଂ କୋଟି କୋଟି ଟଙ୍କାର ହେରଫେର ଘଟଣାରେ ଗତ ୮ ତାରିଖ ଦିନ ଦୁଇଜଣ ଗିରଫ ହୋଇଥିବାର ଏବଂ ଜଣକ ପାଖରୁ ଲକ୍ଷେ ଟଙ୍କା ଜବଦ ହୋଇଥିବା ଜଣାପଡିଛି ।
ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ମତେ ଏହି ଘଟଣାରେ ପ୍ରଥମ ଦଫାରେ ୧୩ ଜଣ ଓ ପରବର୍ତ୍ତୀ ସମୟରେ ଆଉ ୧୨ଜଣ ଏପରି ୨୫ ଜଣଙ୍କ ନାମରେ ଯଶିପୁର ଥାନାରେ କେଶନଂ-୯୦/୨୦୨୦ ମୂଳେ ମାମଲା ରୁଜୁ ହୋଇଥିଲା । କରଞ୍ଜିଆ ଏସଡିପିଓ ନାରାୟଣ ନାୟକଙ୍କ ତତ୍ତ୍ୱାବଧାନରେ ଯଶିପୁର ଆଇଆଇସି ରଞ୍ଜନ କୁମାର ସେଠୀ ଏହି ମାମଲାରେ ତଦନ୍ତ ଜାରି ରଖିଥିବାବେଳେ ଗତକାଲି ଆଇଆଇସି ଶ୍ରୀ ସେଠୀ ବରେହିପାଣି ପଞ୍ଚାୟତର ତତ୍କାଳୀନ ପଞ୍ଚାୟତ ଅଧିକାରୀ ବେଣୁଧର ନାଏକ ଓ ଗୁଡୁଗୁଡିଆ ପଞ୍ଚାୟତ ଅଧିକାରୀ ସନ୍ତୋଷ ଦାସଙ୍କୁ ଗିରଫ କରିବାରେ ତଥା ଗୁଡୁଗୁଡିଆ ପଞ୍ଚାୟତ ଅଧିକାରୀ ସନ୍ତୋଷ ଦାସଙ୍କ ଠାରୁ ଏକଲକ୍ଷ ଟଙ୍କା ଜବତ କରିବାରେ ସଫଳ ହୋଇଥିବା ଜଣାପଡିଛି । ଏହା ଛଡ଼ା ପୋଲିସ ପକ୍ଷରୁ ବିଭିନ୍ନ ସରଞ୍ଜାମ ଯୋଗାଇଥିବା ଭେଣ୍ଡରଙ୍କ ଘରେ ମଧ ଚଢ଼ାଉ କରଥିବାର ପ୍ରକାଶ । ଏହି ଘଟଣାରେ ଏହି ଦୁଇ ଅଧିକାରୀ ମାଙ୍ଗିଲାଲ ହୋଙ୍କୁ ଜିଲ୍ଲାପାଳ ନିଲମ୍ବନ କରିଥିବାର ଜଣାପଡିଛି । ଏହାଛଡା କନିଷ୍ଠ ଯନ୍ତ୍ରୀ ଦିବ୍ୟ ଲୋଚନ ନାୟକ ଏବଂ ପୂର୍ବତନ ସରକାରୀ ଯନ୍ତ୍ରୀ ରାଜେନ୍ଦ୍ର ପାତ୍ରଙ୍କୁ ନିଲମ୍ୱନ କରାଯିବାକୁ ଜିଲ୍ଲାପାଳ ସରକାରଙ୍କୁ ସୁପାରିଶ କରିଛନ୍ତି । ବରେହିପାଣି ସରପଞ୍ଚ ଜୁଝାର ବାନସିଂ,ଗୁଡୁଗୁଡିଆ ସରପଞ୍ଚ ମାଟାରାମ ହୋ ଓ ଧଳାବଣି ପଞ୍ଚାୟତର ମହିଳା ସରପଞ୍ଚ ସବିତା ନାଏକ ନିଜ କ୍ଷମତାର ଅପବ୍ୟବହାର କରିଥିବାରୁ ସେମାନଙ୍କ ସରକାରୀ ଆର୍ଥିକ କ୍ଷମତାକୁ ଜିଲ୍ଲାପାଳ ପ୍ରତ୍ୟାହାର କରି ଏହି କ୍ଷମତା ବିଡ଼ିଓଙ୍କୁ ଦେଇଥିବାର ପ୍ରକାଶ । ଏଥିସହିତ ଅନ୍ୟ ସମ୍ପୃକ୍ତ କର୍ମଚାରୀ ଏବଂ ବିଡ଼ିଓଙ୍କୁ ଜିଲ୍ଲାପାଳ କାରଣଦର୍ଶାଅ ନୋଟିସ ଜାରି କରିଥିବାର ଜଣାପଡିଛି । ଅନ୍ୟ ଅଭିଯୁକ୍ତମାନେ ଫେରାର ହୋଇ ଉଚ୍ଚ ଅଦାଲତରୁ କିଭଳି ଜମିନ ପାଇ ଗିରଫଦାରରୁ ବଂଚିବେ ସେ ନେଇ ଉଦ୍ୟମ କରୁଥିବାର ଶୁଣାଯାଉଛି । ହେଲେ ସେମାନେ ଯୁଆଡେ ଗଲେବି ଶ୍ରୀଘ୍ର ଧରାପଡ଼ିବେ ବୋଲି ଏସଡିପିଓ ଶ୍ରୀ ନାୟକ ପ୍ରକାଶ କରିଥିବାବେଳେ ଏହି ବାଟମାରଣା ସାଙ୍ଗକୁ ବ୍ଲକ୍ କର୍ତ୍ତୃପକ୍ଷଙ୍କ ଦ୍ଵାରା ହୋଇଥିବା ଅନ୍ୟ ବହୁ ସରକାରୀ କାର୍ଯ୍ୟକ୍ରମରେ ଅର୍ଥ ବାଟମାରଣା ଅଭିଯୋଗ ଉପରେ କୈାଣସି ତଦନ୍ତ କାର୍ଯ୍ୟାନୁଷ୍ଠାନ ହୋଇ ନଥିବାରୁ ସ୍ଥାନୀୟ ଜନ ସାଧାରଣରେ ଘୋର ନୈରାଶ୍ୟ ଭାବ ପ୍ରକାଶ ପାଇବା ସହିତ ଏହି ମହା ଘୋର ନୈରାଶ୍ୟ ଭାବପ୍ରକାଶ ପାଇବା ସହିତ ଏହି ମହା ଘୋଟାଲାରେ କେବଳ ଏହି ତଳତଳିଆ ଅଧିକାରୀ, କର୍ମଚାରୀ ଓ ଜନପ୍ରତିନିଧି ମାନେ ସଂପୃକ୍ତ ଅଛନ୍ତି ନା ଉଚ୍ଚ ଅଧିକାରୀ ଓ ରାଜନୈତିକ ବ୍ୟକ୍ତି ଏହି ଘୋଟାଲାରେ ସଂପୃକ୍ତ ଥାଇ ସେମାନଙ୍କର ସାହସର ଏଭଳି ଦୁର୍ନୀତି କରାଯାଇଛି ତାହା ଏକ ବିରାଟ ପ୍ରଶ୍ନବାଚୀ ହୋଇ ବୁଦ୍ଧିଜୀବୀ ମହଲରେ ଛିଡ଼ା ହୋଇଛି । ରାଜ୍ୟ ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ତଦନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।