ନୂଆଦିଲ୍ଲୀ, ୨୦/୧୦ (ସନ୍ଧାନ ନିଉଜ) : ଆତଙ୍କବାଦୀଙ୍କ ବିରୋଧରେ ବିଭିନ୍ନ ଦେଶର ସେନା ଯବାନମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଲାଗିଛନ୍ତି । ଭାରତୀୟ ସେନା ପାକ୍ ଅଧିକୃତ କଶ୍ମୀରରେ ଆକ୍ରମଣ କରି ୧୦ରୁ ୧୫ଜଣ ଆତଙ୍କବାଦୀଙ୍କୁ ନିହତ କରିବା ପରେ ଏବେ ତାଲିବାନ ଆତଙ୍କବାଦୀଙ୍କ ଉପରେ ଆଫ୍ଗାନ ସେନା ଆକ୍ରମଣ କରିଛି । ଆକ୍ରମଣରେ ପ୍ରାୟ ୧୨ଜଣ ତାଲିବାନ ଆତଙ୍କବାଦୀଙ୍କୁ ନିହତ କରି ତାଲିବାନ ଶାସନରୁ ୧୬ଟି ଗାଁକୁ ମୃକ୍ତ କରିବାରେ ସଫଳ ହୋଇଛି ଆଫ୍ଗାନ ସେନା ।
ସୂଚନା ମୁତାବକ, ବାଘ୍ଲାନ ପ୍ରାନ୍ତରେ ଅକ୍ଟୋବର ୧୬ରେ ତାଲିବାନ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରାଯାଇଥିଲା । ଯାହା ପରେ ବାଘ୍ଲାନ ପ୍ରାନ୍ତରେ ଥିବା ଦଣ୍ଡ-ଏ-ଘୋରି, ଦଣ୍ଡ-ଏ-ଶହାବୁଦ୍ଦିନ ଏବଂ କିଲାଗାଇ ଅଞ୍ଚଳରୁ ୧୬ଟି ଗାଁ ତାଲିବାନ ଶାସନରୁ ମୁକ୍ତ ହୋଇଛନ୍ତି । ଏହି ଆକ୍ରମଣରେ ତାଲିବାନ କମାଣ୍ଡରଙ୍କ ସମେତ ୨୪ଜଣ ଆହତ ହୋଇଥିବା ଜଣା ପଡ଼ିଛି । କିନ୍ତୁ ତଲିବାନ ଗ୍ରୁପର ପ୍ରବକ୍ତା ଏଭଳି ଖବରକୁ ଖାରଜ କରିଛନ୍ତି । ସେନା ପକ୍ଷରୁ କରାଯାଇଥିବା ଆକ୍ରମଣ ଅଭିଯାନକୁ ରଦ୍ଦ କରି ଦିଆଯିବା ସହ କେହି ମୃତାହତ ହୋଇ ନଥିବା କହିଛନ୍ତି ଜିବହୁହ୍ଳା ମୁଜାଇଦ୍ ।