ଗୁଜୁରାଟ, ୩/୬ (ସନ୍ଧାନ ନିୟୁଜ) ଗୁଜୁରାଟର ଵାଲାସୀନୋରରେ ଏବେ ଦେଶର ପ୍ରଥମ ତଥା ନିଆରା ପାର୍କର ନିର୍ମାଣ କରାଯାଇଛି | ଏହା ଦୁନିଆର ତୃତୀୟ ବୃହତ୍ ତଥା ଦେଶର ପ୍ରଥମ ଡାଇନୋସର ମ୍ୟୁଜିୟମ ପାର୍କ ଭାବେ ମାନ୍ୟତା ପାଇଛି | ଖୁବଶୀଘ୍ର ଏହାକୁ ସାଧାରଣ ଲୋକଙ୍କ ପାଇଁ ଖୋଲାଯିବ | ଏହି ପାର୍କ 121 ଏକର ଜମିରେ ନିର୍ମାଣ କରାଯାଇଛି|
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ 36 ବର୍ଷ ପୂର୍ବେ ଅର୍ଥାତ 1983 ମସିହାରେ ଏହି ସ୍ଥାନରେ ଡାଇନୋସରର ଜୀବାସ୍ମ ମିଳିଥିଲା | ସେହିପରି ଡାଇନୋସରର 10 ହଜାର ଅଣ୍ଡାର ଅବଶେଷ ମଧ୍ୟ ମିଳିଥିଲା | 2003ରେ ଏହି ସ୍ଥାନକୁ ଖୋଳାଯିବା ବେଳେ ଡାଇନୋସରର କିଛି ନୂଆ ପ୍ରଜାତିର ଜୀବାସ୍ମ ମିଳିଥିଲା | ସେହିପରି ଏହି ଅଂଚଳ ପାର୍ଶ୍ୱଦେଇ ବହିଯାଇଥିବା ନର୍ମଦା ନଦୀ କୂଳରେ ମଧ୍ୟ ଡାଇନୋସରର କଙ୍କାଳ, ଗୋଡ,ଲାଞ୍ଜ,ହାଡ ମିଳିଥିଲା | ଏହି ସ୍ଥାନକୁ ଦୁନିଆର ତୃତୀୟ ବୃହତ୍ ଜୀବାସ୍ମ ସ୍ଥଳୀ ଭାବେ ବିବେଚନା କରାଯାଏ |ବିଶେଷଜ୍ଞଙ୍କ କହିବା କଥା, 6.5 କୋଟି ବର୍ଷ ପୂର୍ବେ ଏଠାରେ ଡାଇନୋସରଙ୍କର ପାଖପାଖି 7ଟି ପ୍ରଜାତି ବସବାସ କରୁଥିଲେ | ଏହି ମ୍ୟୁଜିୟମରେ ଡାଇନୋସରଙ୍କର ଜୀବନ କାହାଣୀ ଲୋକଙ୍କୁ କୁହାଯିବ |



