ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୁକିନ୍ଦାର ଦୁର୍ଗମ ଅଞ୍ଚଳରେ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବଣ୍ଟନ

Spread the love

ଯାଜପୁର ସଦର, : ୨୩/୫/୨୬ (ସନ୍ଧାନ ନ୍ୟୁଜ ) ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୁକିନ୍ଦା ବ୍ଲକ୍ ଅନ୍ତର୍ଗତ ଚିଙ୍ଗୁଡ଼ିପାଳ ପଞ୍ଚାୟତର ଉପରଗୁହିଆଶାଳ ଗ୍ରାମରେ ସମସ୍ତ ଜନସାଧାରଣଙ୍କୁ ମ୍ୟାଲେରିଆ ଦାଉରୁ ରକ୍ଷା ପାଇଁ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବଣ୍ଟନ କରାଯାଇଛି। ସୂଚନାଯୋଗ୍ୟ, ଗତ ଦୁଇ ସପ୍ତାହ ମଧ୍ୟରେ ଉପରଗୁହିଆଶାଳ ଗ୍ରାମରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା। ଏହି ଖବର ପାଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଛି। ବଣ ପାହାଡ଼ ଘେରା ଏହି ଗାଁରେ ସମସ୍ତ ହିତାଧିକାରୀଙ୍କୁ ୬୫ ଟି ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବଣ୍ଟନ କରାଯିବା ସହ ମଶାରିର ବ୍ୟବହାର ଓ ରକ୍ଷଣାବେକ୍ଷଣ ସମ୍ବନ୍ଧରେ ଲୋକଙ୍କୁ ଅବଗତ କରାଯାଇଥିଲା। ଏହି ମଶାରୀର କୀଟନାଶକ ଧାରଣ କ୍ଷମତା ୩ ରୁ ୪ ବର୍ଷ ରହିବ ଏବଂ ଏହାକୁ ପ୍ରତ୍ୟେକ ଦିନ ବ୍ୟବହାର କରିବା ପାଇଁ ଗ୍ରାମବାସୀଙ୍କୁ ପରାମର୍ଶ ଦିଆଯାଇଛି। ଆଗାମୀ ଦିନରେ ଆଉ ଏକ ଦୁର୍ଗମ ଅଞ୍ଚଳ ତୁମୁଣିରେ ମଧ୍ୟ ମଶାରୀ ବଣ୍ଟନ କରାଯିବା ନେଇ ଯୋଜନା ରହିଛି। ଏହାସହ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ପ୍ରତ୍ୟେକ ସପ୍ତାହରେ ୨ ଥର ଉକ୍ତ ଗ୍ରାମଗୁଡିକୁ ସ୍ୱାସ୍ଥ୍ୟ ଟିମ୍ ପଠାଯାଇ ଜ୍ୱରରେ ପୀଡ଼ିତ ରୋଗୀଙ୍କ ରକ୍ତ ପରୀକ୍ଷା କରିବା ସହିତ ତୁରନ୍ତ ମ୍ୟାଲେରିଆ ଔଷଧ ସେବନ କରିବାକୁ ଦିଆଯାଉଛି। ସୁକିନ୍ଦାରେ ଥିବା ଦୁର୍ଗମ ଅପହଞ୍ଚ ଇଲାକାରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ସହ ପ୍ରୟାସ କରାଯାଉଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିଜୟ କୁମାର ମିଶ୍ର କହିଛନ୍ତି।

Related Posts

About The Author

Add Comment