ଜେନାପୁର, ୨୦/୦୮ (ସନ୍ଧାନ ନ୍ୟୁଜ୍): ଧର୍ମଶାଳା ବ୍ଲକ ଅନ୍ତର୍ଗତ ବୃନ୍ଦାଦେଈପୁର ପଞ୍ଚାୟତର ବୃନ୍ଦାଦେଈପୁର ଗ୍ରାମର ବିଶିଷ୍ଟ ଶିକ୍ଷାବିତ୍, ସମାଜସେବୀ, ରାଜନେତା ତଥା ସଙ୍ଗଠକ ସୁଧୀର କୁମାର ମହାନ୍ତି (୬୯)ଙ୍କ ପରଲୋକ ଘଟିଛି। ଦୀର୍ଘଦିନ ଧରି ଅସୁସ୍ଥ ଥିବା ଶ୍ରୀ ମହାନ୍ତି କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଥିବାବେଳେ ଗତକାଲି ବ୍ରେନ୍ ଷ୍ଟ୍ରୋକ୍ରେ ତାଙ୍କର ମୃତ୍ୟୁ ଘଟିଥିଲା।
ସେ ଜଣେ ନିର୍ଭୀକ ଓ ସାଲିସବିହୀନ ରାଜନେତା ଭାବେ ଅଞ୍ଚଳରେ ବେଶ୍ ପରିଚିତ ଥିଲେ। ରାଜନୀତି ସହିତ ସମାଜସେବା, ଶିକ୍ଷା ଓ ସଙ୍ଗଠନ କ୍ଷେତ୍ରରେ ତାଙ୍କର ଅବଦାନ ରହିଥିଲା। ଯୁବାବସ୍ଥାରୁ ସେ ବ୍ୟବସାୟ, ରାଜନୀତି ଓ ସମାଜସେବାରେ ନିଜର ସ୍ୱତନ୍ତ୍ର ପରିଚୟ ଗଢ଼ିଥିଲେ।
ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବୃନ୍ଦାଦେଈପୁର ସମେତ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଶେଷ ଦର୍ଶନ ପାଇଁ ବହୁ ରାଜନେତା, ସମାଜସେବୀ, ଶିକ୍ଷାବିତ୍ ଓ ଗ୍ରାମବାସୀ ତାଙ୍କ ବାସଭବନରେ ଏକତ୍ରିତ ହୋଇଥିଲେ।
ପରେ ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରାଯାଇ ଶ୍ମଶାନକୁ ନିଆଯାଇଥିଲା। ଏକମାତ୍ର ପୁତ୍ର ସିଦ୍ଧାର୍ଥ ମହାନ୍ତି (ରାଜା) ମୁଖାଗ୍ନି ଦେଇଥିଲେ। ଶୋକାକୁଳ ପରିବାରବର୍ଗ, ବନ୍ଧୁବାନ୍ଧବ ଓ ବହୁ ଶୁଭେଚ୍ଛୁ ଉପସ୍ଥିତ ରହି ତାଙ୍କୁ ଅନ୍ତିମ ବିଦାୟ ଜଣାଇଥିଲେ।



