ବଡଚଣା, ୨୯/୫(ସନ୍ଧାନ ନିୟୁଜ୍/ ମାନସ ରାଉତ) ପ୍ରତିଦିନ ତୈଳଦର ଅହେତୁକ ବୃଦ୍ଧି ପ୍ରତିବାଦରେ ବଡଚଣା ବିଜେଡି ପକ୍ଷରୁ ମଙ୍ଗଳବାର ଚଣ୍ଡିଖୋଲ ଛକରେ ଏକ ଜନଜାଗରଣ ସମାବେଶ ବ୍ଲକ ବିଜେଡି ସଭାପତି ଅରବିନ୍ଦ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଯୋଗଦେଇ କେନ୍ଦ୍ରସରକାରଙ୍କ ତୈଳ ଦଳ ବୃଦ୍ଧିକୁ ସମାଲୋଚନା କରିବା ସହ ଆଚ୍ଛା ଦିନର ନାରା ଦେଇ କ୍ଷମତା ହାସଲ କରିଥିବା କେନ୍ଦ୍ର ସରକାର ଜନସାଧାରଣଙ୍କର ବୁରାଦିନ ଆରମ୍ଭ କରିଛି । ଗତ କର୍ଣ୍ଣାଟକ ନିର୍ବାଚନ ପରେ ଦୈନିକ ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନ ଗ୍ୟାସର ଦର ବୃଦ୍ଧି କରି ସାଧାରଣ ଲୋକଙ୍କର ଜୀବନ ଜୀବିକା ପ୍ରତି କୁଠାରଘାତ କରିଛି । ତୈଳ ଦର ବୃଦ୍ଧି ଯୋଗୁ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ବୃଦ୍ଧି ଘଟିଚାଲିଛି ।
ଫଳରେ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହିତ ମହିଳାମାନଙ୍କର ବିଶେଷ ଅସୁବିଧା ହେଉଛି । ୪ ଶହ ଟଙ୍କାରେ ମିଳୁଥିବା ରନ୍ଧନ ଗ୍ୟାସ ଆଜି ୮ ଶହ ଟଙ୍କାରେ ପହଞ୍ଚିଛି । ଗତ ୪ଦିନ ତଳେ ଓଡ଼ିଶା ଗ୍ରସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ପାଇଁ କୁମ୍ଭିର କାନ୍ଦଣା କାନ୍ଦିବା ସହ ଓଡ଼ିଶାର ଜୀବନ ରେଖା କୁହାଯାଉଥିବା ମହାନଦୀରେ ଛତିଗଡ଼ ସରକାରଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ଓଡ଼ିଶାର କୃଷକ, ଚାଷୀ ସମାଜକୁ ବିଶ୍ୱସଘାତକ କରିଛନ୍ତି ବୋଲି କହିଥିଲେ । ଚଣ୍ଡିଖୋଳରେ ଏକ ରାଜସ୍ୱ ସବ୍ଡ଼ିଭିଜନ ପ୍ରତିଷ୍ଠା ପାଇଁ ସରକାରଙ୍କ ସହିତ ଆଲୋଚନା କରି ଉଚିତ୍ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଥିଲେ । ଆଗାମୀ ଦିନରେ କେନ୍ଦ୍ର ସରକାର ତୈଳବୃଦ୍ଧିରେ ରୋକ ନଲଗାଇଲେ ବିଜେଡି ପଞ୍ଚାୟତର ବୁଥ୍ ସ୍ତରକୁ ଯାଇଁ କେନ୍ଦ୍ର ସରକାରଙ୍କ ବିରୋଧରେ ଜନଜାଗରଣ ସୃଷ୍ଟି କରିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି ସଭାରେ ବଡ଼ଚଣା ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାଗ୍ୟଧର ମଳିକ, ଜିଲ୍ଲା ପରିଷଦ ସଭ୍ୟା ସୁମତୀ ବାସ୍କେ,ଜିଲା ଯୁବ ବିଜେଡି ସଂପାଦକ ଗଣେଶ୍ୱର ବରାଳ,ଡଃ ପବନେଶ୍ୱର ଜେନାଙ୍କ ସମେତ ବହୁ ବିଜେଡି କର୍ମୀ ଯୋଗଦେଇ କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରତିବାଦ କରିଥିଲେ ।