ଜିଲ୍ଲା ସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ

Spread the love

ଆସନ୍ତା ଡିସେମ୍ବର ୩୦ରୁ ଜିଲ୍ଲାରେ ଆରମ୍ଭ ହେବ ଧାନ ସଂଗ୍ରହ
୬୦,୮୨୮ ଜଣ ପଞ୍ଜିକୃତ ଚାଷୀଙ୍କ ଠାରୁ ୧୬୨ଟି ପ୍ୟାକ୍ସ ମାଧ୍ୟମରେ କିଣାଯିବ ଧାନ
ଯାଜପୁର, :୨୯/୧୧/୨୬ (ସନ୍ଧାନ ନ୍ୟୁଜ)  ଯାଜପୁର ଜିଲ୍ଲାରେ ଖରିଫ ବିପଣନ ବର୍ଷ ୨୦୨୬-୨୭ ନିମନ୍ତେ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଯାଜପୁର ବିଧାୟିକା ଶ୍ରୀମତୀ ସୁଜାତା ସାହୁ, ବଡ଼ଚଣା ବିଧାୟକ ଶ୍ରୀ ଅମର କୁମାର ନାୟକ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ଯୁଧିଷ୍ଠିର ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ଶିବାନନ୍ଦ ସ୍ୱାଇଁଙ୍କ ସମେତ ସାଂସଦଙ୍କ ପ୍ରତିନିଧି ଶ୍ରୀ ଜିତେନ୍ଦ୍ର କୁମାର ବିଶ୍ୱାଳ , ସୁକିନ୍ଦା ବିଧାୟକ ତଥା ସମବାୟ ମନ୍ତ୍ରୀ ଙ୍କ ପ୍ରତିନିଧି ଶ୍ରୀ ସଞ୍ଜିତ ଶେଖର ମହାନ୍ତି ଏବଂ ବିଞ୍ଝାରପୁର ବିଧାୟିକାଙ୍କ ପ୍ରତିନିଧି ଶ୍ରୀ ପ୍ରଦୀପ କୁମାର ମହାନ୍ତି ଯୋଗ ଦେଇଥିଲେ। ପ୍ରାରମ୍ଭରେ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀମତୀ ରଶ୍ମିତା ସାହୁ ସମସ୍ତଙ୍କୁ ସ୍ୱାଗତ କରି ବୈଠକର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ। ବୈଠକର ନିଷ୍ପତ୍ତି ଅନୁଯାୟୀ ଆସନ୍ତା ଡିସେମ୍ବର ୩୦ ତାରିଖରୁ ଜିଲ୍ଲାରେ ଧାନ କ୍ରୟ ପ୍ରକ୍ରିୟା ଆରମ୍ଭ ହେବ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ସୂଚନା ଅନୁଯାୟୀ ଚଳିତ ବର୍ଷ ଜିଲ୍ଲାରେ ୪୧,୯୦,୮୯୨ କ୍ୱିଣ୍ଟାଲ ଧାନ ଉତ୍ପାଦନ ହେବାର ଆକଳନ କରାଯାଇଛି। ଜିଲ୍ଲାରେ ପଞ୍ଜିକୃତ ହୋଇଥିବା ୬୦,୮୨୮ ଜଣ ଚାଷୀଙ୍କ ଠାରୁ ୧୬୨ଟି ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ଧାନ ସଂଗ୍ରହ କରାଯିବ। ଚଳିତ ବର୍ଷ ଏଫ୍.ଏ.କ୍ୟୁ  ମାନର ସାଧାରଣ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨,୪୪୧ ଟଙ୍କା ଏବଂ ଗ୍ରେଡ-ଏ ଧାନର ମୂଲ୍ୟ ୨,୪୬୧ ଟଙ୍କା ଧାର୍ଯ୍ୟ କରାଯାଇଛି। ଆଧାର ଆଧାରିତ ବାୟୋମେଟ୍ରିକ ଯାଞ୍ଚ ଓ ପି-ପାସ୍ ବ୍ୟବସ୍ଥା ମାଧ୍ୟମରେ ଧାନ ସଂଗ୍ରହ କରାଯାଇ ପି.ଏଫ୍.ଏମ୍.ଏସ୍  ଜରିଆରେ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପ୍ରାପ୍ୟ ପ୍ରଦାନ କରାଯିବ। ଚାଷୀମାନଙ୍କ ସୁବିଧା ପାଇଁ ପ୍ରତ୍ୟେକ ମଣ୍ଡିରେ ଆର୍.ଏମ୍.ସି  ପକ୍ଷରୁ ଇଲେକ୍ଟ୍ରୋନିକ୍ ଓଜନ ଯନ୍ତ୍ର, ଡିଜିଟାଲ ଆଦ୍ରତା ମାପକ ଯନ୍ତ୍ର, ମିନି ଗ୍ରେଡର, ଆନାଲିସିସ୍ କିଟ୍, ପାଲ, ଅସ୍ଥାୟୀ ଛାଉଣୀ, ଆଲୋକ ଏବଂ ପାନୀୟ ଜଳର ସୁବ୍ୟବସ୍ଥା କରିବାକୁ ବିଧାୟକମାନେ ପରାମର୍ଶ ଦେଇଥିଲେ। ଏହା ସହ ସମିତିୱାରୀ ମଣ୍ଡି ପରିଚାଳନା ଖର୍ଚ୍ଚର ବିବରଣୀ ଶୀଘ୍ର ଦାଖଲ କରିବା ଓ ଟୋକନ ଅନୁଯାୟୀ ମିଲରମାନେ ଗାଡ଼ି ପଠାଇବାକୁ କୁହାଯାଇଛି। ସମସ୍ତ ମଣ୍ଡିରେ ଜଣେ ଲେଖାଏଁ ନୋଡାଲ ଅଧିକାରୀ ଏବଂ ୪ରୁ ୫ଟି ମଣ୍ଡି ପାଇଁ ଜଣେ ଲେଖାଏଁ ସୁପରଭାଇଜିଂ ଅଧିକାରୀ ନିୟୋଜିତ ହେବେ। ଚାଉଳର ଗୁଣବତ୍ତା ବଜାୟ ରଖିବା ପାଇଁ ଚଳିତ ବର୍ଷ ଅତିକମରେ ୬୦ ପ୍ରତିଶତ ଝୋଟ ବସ୍ତା ବ୍ୟବହାର କରି ଏକ ଉଦାହରଣ ସୃଷ୍ଟି କରିବାକୁ ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ।   ଏହି ବୈଠକରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଭାସ୍କର ଚନ୍ଦ୍ର ଦାସ,ଉପ ନିବନ୍ଧକ ସମବାୟ ସମିତି ସମୂହ ଅମୁଲ୍ୟ ସେଠି ,ଚାଷୀ ପ୍ରତିନିଧି, ମିଲର, ଆର୍.ଏମ୍.ସି କର୍ମକର୍ତ୍ତା ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ

Related Posts

About The Author

Add Comment