ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି : ଜନସମ୍ପର୍କ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Spread the love

ଯାଜପୁର ସଦର,: ୧୦/୬/୨୬ (ସନ୍ଧାନ ନ୍ୟୁଜ ) ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳ କାର୍ଯ୍ୟକାଳ ପୂର୍ତ୍ତି ଉତ୍ସବ ଏବଂ ଏଥିପାଇଁ ଆୟୋଜିତ ହେବାକୁ ଥିବା ଆଗାମୀ ଜନସମ୍ପର୍କ କାର୍ଯ୍ୟକ୍ରମ ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ (ଆଭାସୀ ) ମାଧ୍ୟମରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ରାଜ୍ୟବ୍ୟାପୀ ଜନସମ୍ପର୍କ ଅଭିଯାନର ଏକ ଅଂଶ ଭାବରେ ବିଭିନ୍ନ ବିଭାଗ ଦ୍ୱାରା ପ୍ରସ୍ତାବିତ କାର୍ଯ୍ୟକଳାପଗୁଡ଼ିକର ସମୀକ୍ଷା କରାଯାଇଥିଲା। ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ବିଗତ ଦୁଇ ବର୍ଷ ମଧ୍ୟରେ ସରକାରଙ୍କ ସଫଳତା, ନୂତନ ଯୋଜନା, ଜନକଲ୍ୟାଣକାରୀ ପଦକ୍ଷେପ ଏବଂ ବିକାଶମୂଳକ କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା। ଏଥିରେ ଜିଲ୍ଲାସ୍ତରୀୟ ସିମ୍ପୋସିୟମ, ପ୍ରକଳ୍ପ ପରିଦର୍ଶନ, ୩ ଦିନିଆ ପ୍ରଦର୍ଶନୀ, ଜୈବିକ କୃଷି କର୍ମଶାଳା, ଗଣମାଧ୍ୟମ ସମ୍ପର୍କ, ଜାତି ଜନଜାତି ସମ୍ବାଦ, କୃଷକ ସମ୍ବାଦ, ସ୍ୱାବଲମ୍ବୀ ଯୁବ-ସମୃଦ୍ଧ ଓଡ଼ିଶା ସମାବେଶ, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା କ୍ୟାମ୍ପ ଇତ୍ୟାଦି ଆୟୋଜନ ହେବ। ଜିଲ୍ଲା, ବ୍ଲକ୍ ଏବଂ ଗ୍ରାମ ପଞ୍ଚାୟତ ସ୍ତରରେ ଏସବୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଓସ୍ୱାନ ହଲରୁ ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଏହି ଆଭାସୀ ବୈଠକରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମର ସଫଳ ରୂପାୟନ, ସର୍ବାଧିକ ଜନସାଧାରଣଙ୍କ ଭାଗିଦାରୀ ନିଶ୍ଚିତ କରିବା ଏବଂ ସରକାରୀ ଯୋଜନା ଓ ସେବା ବିଷୟରେ ତଥ୍ୟର ପ୍ରଭାବଶାଳୀ ପ୍ରସାର ପାଇଁ ରଣନୀତି ଉପରେ ଏହି ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଜନସମ୍ପର୍କ କାର୍ଯ୍ୟକ୍ରମଗୁଡ଼ିକର ସୁଚାରୁ ପରିଚାଳନା ପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱିତ ପ୍ରୟାସ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଥିଲେ ଏବଂ ଅଧିକାରୀମାନଙ୍କୁ ଆଗୁଆ ଆବଶ୍ୟକୀୟ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ ସରକାରଙ୍କ ଯୋଜନା, ପ୍ରକଳ୍ପ ପ୍ରଦର୍ଶନ କରିବା ସହ ସମଗ୍ର ରାଜ୍ୟରେ ନାଗରିକମାନଙ୍କ ସହ ସମ୍ପର୍କକୁ ଆହୁରି ମଜଭୂତ କରିବ ବୋଲି ଆଶା କରାଯାଉଛି।  ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକ, ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଲମ୍ବୋଦର ଖୁଣ୍ଟିଆ ଓ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ରହିଥିଲେ।

Related Posts

About The Author

Add Comment