*ଯାଜପୁରରେ ଭାବପୂର୍ଣ୍ଣ ପରିବେଶରେ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ପାଳିତ: ନିରୀହ ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ*

Spread the love

*ଯାଜପୁର, ୧୪ ଅଗଷ୍ଟ:* ଆଜି ଯାଜପୁର ସ୍ଥିତ ଗୌତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଅତ୍ୟନ୍ତ ଭାବପୂର୍ଣ୍ଣ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଯାଜପୁର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଅମ୍ବର କୁମାର କର ଏବଂ ଅନ୍ୟ ସମ୍ମାନନୀୟ ଅତିଥିମାନେ ସଂସ୍କୃତି ଭବନ ପରିସରରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ଶ୍ୱେତ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ଜିଲ୍ଲାପାଳ ଏହି ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର ଐତିହାସିକ ଫଟୋ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ। ଦେଶ ବିଭାଜନ ସମୟରେ ପ୍ରାଣ ହରାଇଥିବା ସମସ୍ତ ନିରୀହ ଆତ୍ମାଙ୍କ ସଦ୍‌ଗତି କାମନା କରି ଜିଲ୍ଲାପାଳ ଓ ଅତିଥିମାନେ ପୁଷ୍ପାଞ୍ଜଳି ଅର୍ପଣ କରିବା ସହ ଦୀପ ପ୍ରଜ୍ଜ୍ୱଳନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ସ୍ମୃତିଚାରଣ କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ୍ ଡ. ଦାମୋଦର ବେହେରା ଯୋଗଦେଇ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ନିଜ ବକ୍ତବ୍ୟରେ ସେ ଉପସ୍ଥିତ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ, ଆମେ ଆମର ବୀର ସ୍ୱାଧୀନତା ସଂଗ୍ରାମୀମାନଙ୍କ ଅତୁଳନୀୟ ବଳିଦାନକୁ କେବେ ମଧ୍ୟ ଭୁଲିବା ଉଚିତ୍ ନୁହେଁ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଡ. ରାଜକିଶୋର ପଣ୍ଡା ଜିଲ୍ଲା ପ୍ରଶାସନ ଓ ସରକାରଙ୍କ ଏହି ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଏହି ବିଭାଜନ ସ୍ମୃତି ଦିବସ ବାସ୍ତବରେ ୧୯୪୭ ମସିହାରୁ ହିଁ ପାଳନ ହେବାର ଆବଶ୍ୟକତା ଥିଲା, ଆମେ ଏଦିଗରେ ବିଳମ୍ବ କରିଛୁ ସତ, କିନ୍ତୁ ବର୍ତ୍ତମାନ ଆମେ ସଚେତନ ହୋଇପାରିଛୁ ତାହା ହିଁ ବଡ଼ କଥା। ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ  କହିଥିଲେ ଯେ, “ଯେଉଁ ସଭ୍ୟତା ନିଜ ଇତିହାସରୁ କିଛି ଶିକ୍ଷାଗ୍ରହଣ କରେ ନାହିଁ, ଭବିଷ୍ୟତରେ ତାହାକୁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିଥାଏ।” ମାନବ କଲ୍ୟାଣ ନିମନ୍ତେ ଇତିହାସରୁ ଶିକ୍ଷା ଲାଭ କରିବାର ଗୁରୁତ୍ୱ ଉପରେ ସେ ବିଶେଷ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ  କାମିନୀ ରଞ୍ଜନ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିସହ ସେ ଛାତ୍ରଛାତ୍ରୀ ଓ ସାଧାରଣ ନାଗରିକମାନଙ୍କୁ ସଂସ୍କୃତି ଭବନରେ ଆୟୋଜିତ ସ୍ୱତନ୍ତ୍ର ଫଟୋ ପ୍ରଦର୍ଶନୀ ପରିଦର୍ଶନ କରିବା ଏବଂ ବିଭାଜନ ଉପରେ ପର୍ଯ୍ୟବେସିତ ପ୍ରାମାଣିକ ଚଳଚ୍ଚିତ୍ର ଦେଖିବାକୁ ଅନୁରୋଧ କରିଥିଲେ। ବିଭାଜନର ସେହି ଭୟାନକ ଚିତ୍ର ଓ ଯନ୍ତ୍ରଣାଦାୟକ କାହାଣୀ ଦେଖି ସେଠାରେ ଉପସ୍ଥିତ ସମସ୍ତ ଜନସାଧାରଣ ଅତ୍ୟନ୍ତ ଭାବପ୍ରବଣ ହୋଇପଡ଼ିଥିଲେ।ଜିଲ୍ଲା ବିଜ୍ଞାନ ପରିଦର୍ଶକ କୁମାରସେନ ସେନାପତି ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟପକ୍ଷରେ, ଆଜି ଠିକ୍ ପୂର୍ବାହ୍ନ ୧୧ ଘଟିକା ସମୟରେ ସମଗ୍ର ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ, ତହସିଲ ଏବଂ ବ୍ଲକ କାର୍ଯ୍ୟାଳୟ ଗୁଡ଼ିକରେ ଏକକାଳୀନ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବାନନ୍ଦ ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଦୁଇ ମିନିଟ ନିରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା।ବିଭାଜନର ବିଭୀଷିକାରେ ପ୍ରାଣ ହରାଇଥିବା ନିରୀହ ଆତ୍ମାଙ୍କ ସଦ୍‌ଗତି କାମନା କରି ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ସାମୂହିକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Related Posts

About The Author

Add Comment