ନିଟ୍‌ ପେପର ଲିକ୍‌ ମାମଲା: ସମ୍ବଲପୁରରେ କଂଗ୍ରେସର ବିଶାଳ ଛାତ୍ରଯୁବ ଆକ୍ରୋଶ ସମାବେଶ; ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ କହ୍ନେୟା କୁମାର

Spread the love

ସମ୍ବଲପୁର (ବ୍ୟୁରୋ ରିପୋର୍ଟ): ନିଟ୍-ୟୁଜି (NEET-UG) ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ଘଟଣା ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ସମ୍ବଲପୁରଠାରେ କଂଗ୍ରେସ ଓ ଛାତ୍ର କଂଗ୍ରେସ (NSUI) ପକ୍ଷରୁ ଏକ ବିଶାଳ ‘ଛାତ୍ରଯୁବ ଆକ୍ରୋଶ ସମାବେଶ’ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଆୟୋଜିତ ଏହି ପ୍ରତିବାଦ ସଭାରେ କଂଗ୍ରେସର ଟାଣୁଆ ଯୁବନେତା ତଥା ଏନ୍‌.ଏସ୍‌.ୟ.ଆଇ ର ଜାତୀୟ ପ୍ରଭାରୀ କହ୍ନେୟା କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ସରକାର ଓ ଶିକ୍ଷାମନ୍ତ୍ରୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।

ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରାଯାଉଛି: କହ୍ନେୟା କୁମାର

ସମାବେଶକୁ ସମ୍ବୋଧିତ କରି କହ୍ନେୟା କୁମାର ଅଭିଯୋଗ କରିଛନ୍ତି ଯେ, ବାରମ୍ବାର ପେପର ଲିକ୍‌ ଘଟଣା ଦେଶର କୋଟିକୋଟି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ଦେଉଛି। ମୋଦୀ ସରକାରଙ୍କ ଅମଳରେ ପ୍ରାୟ ୮୦ରୁ ଅଧିକ ଥର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହେଲାଣି। ପ୍ରଶ୍ନପତ୍ର ସୋସିଆଲ ମିଡିଆ ଯଥା ହ୍ୱାଟ୍ସଆପ୍‌ ଓ ଟେଲିଗ୍ରାମ୍‌ରେ ଭାଇରାଲ୍‌ ହେଉଥିଲେ ସୁଦ୍ଧା ସରକାର ଏହାକୁ ସମ୍ପୂର୍ଣ୍ଣ ହାଲୁକା ଭାବେ ନେଉଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ନିଜ ଚୌକି ବଞ୍ଚାଇବାରେ ବ୍ୟସ୍ତ ଥିବା ବେଳେ ଦେଶର ଯୁବପିଢ଼ିର ସମସ୍ୟା ପ୍ରତି ସମ୍ପୂର୍ଣ୍ଣ ଅଣଦେଖା କରୁଛନ୍ତି। ଏହି ଅବସରରେ ସେ ଚେତାବନୀ ଦେଇଛନ୍ତି ଯେ, ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ସମ୍ବଲପୁରରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଦିଲ୍ଲୀ ପର୍ଯ୍ୟନ୍ତ ଜାରି ରହିବ।

ନୈତିକ ଦାୟିତ୍ୱ ନେଇ ଶିକ୍ଷାମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ଭକ୍ତ ଦାସ

ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଯେ, ଏଭଳି ଏକ ସମ୍ବେଦନଶୀଳ ଘଟଣା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ନୈତିକ ଦାୟିତ୍ୱ ନେଇ ତୁରନ୍ତ ନିଜ ପଦବୀରୁ ଇସ୍ତଫା ଦେବା ଉଚିତ। ସେହିପରି ଛାତ୍ର କଂଗ୍ରେସର ଜାତୀୟ ସଭାପତି ବିନୋଦ ଝାଖଡ଼ ମଧ୍ୟ କେନ୍ଦ୍ରକୁ ଘେରିବା ସହ କହିଛନ୍ତି ଯେ, ସରକାରୀ ପ୍ରୋତ୍ସାହନ ଓ ସହଯୋଗ ବିନା ଏଭଳି ବ୍ୟାପକ ସ୍ତରରେ ପେପର ଲିକ୍‌ ହେବା ସମ୍ଭବ ନୁହେଁ।

ଅଇଁଠାପାଲିରୁ ଧନକଉଡ଼ା: କଂଗ୍ରେସର ଶକ୍ତି ପ୍ରଦର୍ଶନ

ସମାବେଶ ପୂର୍ବରୁ ସମ୍ବଲପୁର ସହରରେ କଂଗ୍ରେସ ପକ୍ଷରୁ ଏକ ବିଶାଳ ଶକ୍ତି ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଅଇଁଠାପାଲି ଛକରୁ ବାହାରି ଧନକଉଡ଼ା ପର୍ଯ୍ୟନ୍ତ ଏକ ବିରାଟ ମୋଟରସାଇକେଲ ରାଲି ଓ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଆକ୍ରୋଶ ପ୍ରଦର୍ଶନରେ ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ହଜାର ହଜାର କଂଗ୍ରେସ କର୍ମୀ, ନେତା ଓ ଛାତ୍ରଛାତ୍ରୀ ସାମିଲ ହୋଇ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନବାଜି କରିଥିଲେ।

Related Posts

About The Author

Add Comment