ଯାଜପୁର | ୨୭/୭ (ସନ୍ଧାନ ନ୍ୟୁଜ):ଚତୁର୍ଧାମୂର୍ତ୍ତିଙ୍କ ପବିତ୍ର ବାହୁଡ଼ା ଯାତ୍ରା ତଥା ଆଷାଢ଼ ଶୁକ୍ଳ ଦଶମୀ ତିଥିର ଏହି ଅପୂର୍ବ ଓ ପବିତ୍ର ଅବସରରେ କଳିଙ୍ଗନଗର ଉପକଣ୍ଠସ୍ଥ ଯକ୍ଷ ଶ୍ରୀକ୍ଷେତ୍ର ଯଖପୁରାରୁ ଏକ ଅଲୌକିକ ତଥା ରୋମାଞ୍ଚକର ଘଟଣା ସାମ୍ନାକୁ ଆସିଛି। ପ୍ରଭୁଙ୍କ ମହାପ୍ରସ୍ଥାନ ଓ ଘରୁହଁା ନୀତି ଚାଲିଥିବା ବେଳେ ଏକ ବିରଳ ପ୍ରଜାପତିର ଆବିର୍ଭାବ ସ୍ଥାନୀୟ ଅଞ୍ଚଳରେେ ଭକ୍ତି ଓ ଆଧ୍ୟାତ୍ମିକତାର ଏକ ଅଭୂତପୂର୍ବ ପରିବେଶ ସୃଷ୍ଟି କରିଛି।ମିଳିଥିବା ସୂଚନା ଅନୁଯାୟୀ, ଯଖପୁରା ଗ୍ରାମର ପ୍ରତିଷ୍ଠିତ ତଥା ଅବସରପ୍ରାପ୍ତ ଶିକ୍ଷକ ଚନ୍ଦ୍ରକାନ୍ତ ଘଡ଼େଇଙ୍କ ବାସଭବନରେ ଏହି ବିରଳ ପ୍ରଜାପତିଟି ଦେଖାଯାଇଥିଲା। ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଲା, ପ୍ରଜାପତିଟିର ଗାତ୍ରରେ ଥିବା ପ୍ରାକୃତିକ ଚିତ୍ରାଙ୍କନ ଏବଂ ଆକୃତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶାଳ ନେତ୍ର ଓ ଦିବ୍ୟ ମୁଖାବୟବ ସହ ଅବିକଳ ସାଦୃଶ୍ୟ ରଖିଥିଲା। ଏହି ଅଦ୍ଭୁତ ଦୃଶ୍ୟ ଦେଖିବାକ୍ଷଣି ଘରେ ଓ ପଡ଼ୋଶୀଙ୍କ ମଧ୍ୟରେ ଏକପ୍ରକାର ଦିବ୍ୟ ଭାବନା ଜାଗ୍ରତ ହୋଇଥିଲା।ଏହି ବାଣୀ ପ୍ରଚାରିତ ହେବାମାତ୍ରେ ଯଖପୁରା ତଥା ଆଖପାଖ ଅଞ୍ଚଳର ଶହ ଶହ ଶ୍ରଦ୍ଧାଳୁ ଶ୍ରୀ ଘଡ଼େଇଙ୍କ ବାସଭବନରେ ପ୍ରାତଃକାଳରୁ ଭିଡ଼ ଜମାଇଥିଲେ। ପ୍ରଜାପତିଟିକୁ ଦର୍ଶନ କରିବା ପାଇଁ ଲୋକଙ୍କ ଆଗ୍ରହ ଦେଖିବା ଭଳି ଥିଲା। ସମସ୍ତଙ୍କ ମୁହଁରେ “ନୀଳମଚନ୍ଦ୍ର କି ଜୟ” ଓ “ଜଗନ୍ନାଥ ଜୟଧ୍ୱନି” ସାଙ୍ଗକୁ ଧୂପ, ଦୀପ ଓ ନୈବେଦ୍ୟ ସମର୍ପଣରେ ସମଗ୍ର ପରିବେଶଟି ଏକ ଅଲୌକିକ ଆଧ୍ୟାତ୍ମିକ କ୍ଷେତ୍ରରେ ପରିଣତ ହୋଇଥିଲା।ବିଜ୍ଞାନ ଓ ପ୍ରକୃତିର ଦୃଷ୍ଟିକୋଣରୁ ଏହା ଏକ ବିରଳ ପ୍ରଜାପତିର ପ୍ରଜାତି ହୋଇଥିଲେ ହେଁ, ବାହୁଡ଼ା ଯାତ୍ରାର ଏହି ପୁଣ୍ୟତିଥିରେ ଏହାର ଉପସ୍ଥିତିକୁ କୋଟି କୋଟି ଓଡ଼ିଆଙ୍କ ଆସ୍ତିକ ପ୍ରାଣ ଏବଂ ଭକ୍ତି ଭାବନାରେ ଏକ ଶୁଭ ସଙ୍କେତ ବା ପ୍ରଭୁଙ୍କ କୃପାର ପ୍ରତୀକ ଭାବେ ଗ୍ରହଣ କରୁଛନ୍ତି। ଧର୍ମ ଓ ବିଶ୍ୱାସର ଏହି ଅନନ୍ୟ ସଂଯୋଗ ସ୍ଥାନୀୟ ଜନଜୀବନରେ ଏବେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।
କଳିଙ୍ଗନଗରରେ ଅଲୌକିକ ଦୃଶ୍ୟ: ବାହୁଡ଼ା ଯାତ୍ରା ଅବସରରେ ପୂର୍ବତନ ଶିକ୍ଷକଙ୍କ ଘରେ ପ୍ରକଟିତ ହେଲେ ‘ଜଗନ୍ନାଥ ରୂପୀ’ ପ୍ରଜାପତି
|
July 27, 2026 |



