ବିରଞ୍ଚି ନାରାୟଣ ମାଧବ ଅର୍ଜୁନ ମହାବିଦ୍ୟାଳୟରେ ସ୍ମରଣିକା ଓ ଗବେଷଣା ପୁସ୍ତକ ଉନ୍ମୋଚିତ
ଭଦ୍ରକ, (ସନ୍ଧାନ ନ୍ୟୁଜ): ତିହିଡ଼ି ବ୍ଲକ୍ ଅନ୍ତର୍ଗତ ପାଳିଆବିନ୍ଧାସ୍ଥିତ ବିରଞ୍ଚି ନାରାୟଣ ମାଧବ ଅର୍ଜୁନ ମହାବିଦ୍ୟାଳୟର ଇତିହାସ ବିଭାଗ ପକ୍ଷରୁ “Beyond the Shoreline: History and Archaeology of Maritime Odisha” ଶୀର୍ଷକ ଏକ ଜାତୀୟ ଆଲୋଚନାଚକ୍ର ମହାବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। ଓଡ଼ିଶାର ପ୍ରାଚୀନ ସାମୁଦ୍ରିକ ଇତିହାସ, ବାଣିଜ୍ୟିକ ସମ୍ପର୍କ, ଉପକୂଳବର୍ତ୍ତୀ ସଭ୍ୟତା ଓ ପ୍ରତ୍ନତାତ୍ତ୍ୱିକ ଐତିହ୍ୟର ବିଭିନ୍ନ ଦିଗ ଉପରେ ଏହି ଆଲୋଚନାଚକ୍ରରେ ବିଶେଷ ଚର୍ଚ୍ଚା ହୋଇଥିଲା କାର୍ଯ୍ୟକ୍ରମରେ ଫକୀର ମୋହନ ବିଶ୍ୱବିଦ୍ୟାଳୟ, ବାଲେଶ୍ୱରର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଫେସର ସଞ୍ଜୟ ଆଚାର୍ଯ୍ୟ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଶ୍ରୀଲଙ୍କାରୁ ଆସିଥିବା ପ୍ରତ୍ନତତ୍ତ୍ୱ ଗବେଷଣା ଅଧିକାରୀ ବାସନା ପ୍ରେମଚନ୍ଦ୍ରା ସମ୍ବଳ ବ୍ୟକ୍ତି ଭାବେ ଯୋଗଦେଇଥିବାବେଳେ ଉତ୍କଳ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡଃ ଅନାମ ବେହେରା ସ୍ୱତନ୍ତ୍ର ଅତିଥି ଭାବେ ଉପସ୍ଥିତ ଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅମୂଲ୍ୟ କୁମାର ପରିଡ଼ା ସ୍ୱାଗତ ଭାଷଣ ପ୍ରଦାନ କରି ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ମନୋବିଜ୍ଞାନ ବିଭାଗର ଅଧ୍ୟାପିକା ଜ୍ୟୋତିର୍ମୟୀ ପ୍ରଧାନ ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଇତିହାସ ବିଭାଗର ମୁଖ୍ୟ ତଥା ଆଲୋଚନାଚକ୍ରର ଆୟୋଜନ ଡଃ ନିରଞ୍ଜନ ରାଉତଙ୍କ ଉଦ୍ୟମ ଓ ପରିକଳ୍ପନାରେ ଏହି ଜାତୀୟ ସ୍ତରର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ତାଙ୍କର ଏହି ପ୍ରୟାସକୁ ଅତିଥି ଓ ଉପସ୍ଥିତ ଶିକ୍ଷାବିତ୍ମାନେ ପ୍ରଶଂସା କରିଥିଲେ ଆଲୋଚନାଚକ୍ରରେ ସାମୁଦ୍ରିକ ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ, ସମୁଦ୍ରପଥରେ ଅନ୍ୟ ଦେଶ ସହିତ ଐତିହାସିକ ସମ୍ପର୍କ, ଉପକୂଳ ଅଞ୍ଚଳର ପ୍ରତ୍ନତାତ୍ତ୍ୱିକ ଅବଶେଷ ଏବଂ ସାମୁଦ୍ରିକ ଐତିହ୍ୟର ସଂରକ୍ଷଣ ଉପରେ ଅତିଥିମାନେ ନିଜ ନିଜର ମତ ଓ ଗବେଷଣାମୂଳକ ତଥ୍ୟ ଉପସ୍ଥାପନ କରିଥିଲେ। ଅତୀତରେ ସମୁଦ୍ର ଉପକୂଳ ଓ ସମୁଦ୍ରପଥରେ କିପରି ବାଣିଜ୍ୟ, ସାଂସ୍କୃତିକ ଆଦାନପ୍ରଦାନ ଓ ଆନ୍ତର୍ଜାତିକ ସମ୍ପର୍କ ଗଢ଼ିଉଠିଥିଲା ଏବଂ ବର୍ତ୍ତମାନ ସେହି ଐତିହ୍ୟର ସ୍ଥିତି କ’ଣ, ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ଅବସରରେ ଆଲୋଚନାଚକ୍ରର ସ୍ମରଣିକା ସହିତ “New Frontiers of Archaeology in Coastal Odisha” ଶୀର୍ଷକ ଗବେଷଣା ପୁସ୍ତକ ଉନ୍ମୋଚିତ ହୋଇଥିଲା। ଏହି ପ୍ରକାଶନ ଉପକୂଳ ଓଡ଼ିଶାର ପ୍ରତ୍ନତତ୍ତ୍ୱ ଗବେଷଣା ଓ ଐତିହାସିକ ଅଧ୍ୟୟନକୁ ନୂତନ ଦିଗ ଦେବାରେ ସହାୟକ ହେବ ବୋଲି ଆଶା ପ୍ରକାଶ ପାଇଥିଲା। କାର୍ଯ୍ୟକ୍ରମରେ ପ୍ରମିଳା ମଲ୍ଲିକ ସଙ୍ଗୀତ ପରିବେଷଣ କରିଥିବାବେଳେ ପୂଜା ଜେନା ଓ ଅର୍ଚ୍ଚିତା ଜେନା ନୃତ୍ୟ ପରିବେଷଣ କରିଥିଲେ। ଛାତ୍ରୀ ଝିଲି ପାଣିଗ୍ରାହୀ, ସମିମା ଖାତୁନ, ତମନ୍ନା ତନୟା ସତପଥୀ ଓ ଜ୍ୟୋତି ସାହୁଙ୍କ ସମେତ ମହାବିଦ୍ୟାଳୟର ଅନ୍ୟ ଛାତ୍ରଛାତ୍ରୀମାନେ ଆଲୋଚନାଚକ୍ରରେ ଯୋଗଦେଇଥିଲେ। ଆୟୋଜନ କମିଟିରେ ଅଧ୍ୟାପକ ଅଶୋକ କୁମାର ମଲ୍ଲିକ, ଡଃ ସୁଶାନ୍ତ କୁମାର ଦାସ ଓ ଲୋକେଶ ବଗର୍ତ୍ତୀ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଅଧ୍ୟାପକ ଅଶୋକ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଆଲୋଚନାଚକ୍ର ମାଧ୍ୟମରେ ଓଡ଼ିଶାର ସାମୁଦ୍ରିକ ଇତିହାସ ଓ ଉପକୂଳ ପ୍ରତ୍ନତତ୍ତ୍ୱ ଉପରେ ଅଧିକ ଗବେଷଣା, ଶିକ୍ଷାଗତ ଆଲୋଚନା ଓ ଐତିହ୍ୟ ସଂରକ୍ଷଣ ପାଇଁ ଏକ ନୂତନ ମଞ୍ଚ ସୃଷ୍ଟି ହୋଇଥିବା ମତ ପ୍ରକାଶ ପାଇଥିଲା।



