ଅତିଥି ଅଧ୍ୟାପକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ: ଉଚ୍ଚ ଯୋଗ୍ୟତାସମ୍ପନ୍ନ ପ୍ରାର୍ଥୀଙ୍କୁ ନ୍ୟାୟ ଦେବାକୁ ଦାବି

Spread the love

ଭୁବନେଶ୍ୱର, ୨୨ ଜୁଲାଇ :୨୩ /୭/୨୬ (ସନ୍ଧାନ ନ୍ୟୁଜ)  ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୨୦୨୬–୨୭ ଶିକ୍ଷାବର୍ଷ ପାଇଁ ହାୟର ଏଡୁକେସନ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ (HIMS) ମାଧ୍ୟମରେ ଅତିଥି ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଚାଲିଥିବା ବେଳେ ଏହାକୁ ନେଇ ବିଭିନ୍ନ ମହାବିଦ୍ୟାଳୟରେ ଅନିୟମିତତା ହୋଇଥିବା ଅଭିଯୋଗ ଉଠିଛି। ବିଶେଷକରି ଏମ୍.ଫିଲ୍ ଓ ପିଏଚ୍.ଡି. ପରି ଉଚ୍ଚ ଯୋଗ୍ୟତାଧାରୀ ପ୍ରାର୍ଥୀଙ୍କୁ ଅଣଦେଖା କରାଯାଉଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି।ସୂଚନାନୁସାରେ, ଉଚ୍ଚଶିକ୍ଷା ବିଭାଗ ୨୦୧୯ ମସିହାରେ ଜାରି କରିଥିବା ନିର୍ଦ୍ଦେଶାବଳୀରେ ଅତିଥି ଅଧ୍ୟାପକ ନିଯୁକ୍ତି କ୍ଷେତ୍ରରେ ଏମ୍.ଫିଲ୍ ଓ ପିଏଚ୍.ଡି. ଡିଗ୍ରୀଧାରୀ ପ୍ରାର୍ଥୀଙ୍କୁ ପ୍ରାଥମିକତା ଦେବାକୁ ବ୍ୟବସ୍ଥା ରହିଛି। ମାତ୍ର ଅଭିଯୋଗ ହେଉଛି, କେତେକ ମହାବିଦ୍ୟାଳୟରେ ଏହି ନିୟମକୁ ପାଳନ କରାନଯାଇ କେବଳ ସ୍ନାତକୋତ୍ତର (PG) ଯୋଗ୍ୟତାଧାରୀ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଉଛି। ଆହୁରି ଅଭିଯୋଗ ହୋଇଛି ଯେ, ଏମ୍.ଫିଲ୍, ପିଏଚ୍.ଡି. ସହ ପାଞ୍ଚ ବର୍ଷରୁ ଅଧିକ ଅଧ୍ୟାପନା ଅଭିଜ୍ଞତା ଥିବା ପ୍ରାର୍ଥୀଙ୍କୁ ସାକ୍ଷାତକାରରେ ଜାଣିଶୁଣି କମ୍ ନମ୍ବର ଦିଆଯାଉଥିବାବେଳେ ନୂତନ ସ୍ନାତକୋତ୍ତର ପ୍ରାର୍ଥୀଙ୍କୁ ଅଧିକ ନମ୍ବର ପ୍ରଦାନ କରି ଚୟନ କରାଯାଉଛି। ଏପରିକି କେତେକ ମହାବିଦ୍ୟାଳୟରେ ଅଧ୍ୟକ୍ଷ, ବିଭାଗୀୟ ମୁଖ୍ୟ ଏବଂ ଚୟନ କମିଟିର କିଛି ସଦସ୍ୟ ନିଜ ସମ୍ପର୍କୀୟଙ୍କୁ ସୁବିଧା ଦେବା ସହ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା କରିଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଥିବା ଅଭିଯୋଗ ରହିଛି। ତେବେ ଏହି ଅଭିଯୋଗଗୁଡ଼ିକର ସରକାରୀ ସ୍ତରରେ ପୁଷ୍ଟି ହୋଇନାହିଁ। ଅନ୍ୟପକ୍ଷରେ HIMS ପୋର୍ଟାଲରେ ପ୍ରାର୍ଥୀଙ୍କ ସ୍ଥିତି (Status) ଓ ମନ୍ତବ୍ୟ (Remarks)ରେ ହଠାତ୍ ପରିବର୍ତ୍ତନ ହେବାରୁ ମଧ୍ୟ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। କିଛି ଦିନ ପୂର୍ବରୁ ଅନେକ ପ୍ରାର୍ଥୀଙ୍କ ଷ୍ଟାଟସ୍‌ରେ “Empanelled” ଓ ମନ୍ତବ୍ୟରେ “Rank” ପ୍ରଦର୍ଶିତ ହେଉଥିବାବେଳେ ପରବର୍ତ୍ତୀ ସମୟରେ ତାହା “Approved” ଏବଂ *”Feedback Form has been Submitted”*କୁ ପରିବର୍ତ୍ତିତ ହୋଇଯାଇଛି। ଏନେଇ HIMS ହେଲ୍ପଲାଇନ୍ ଓ ସମ୍ପୃକ୍ତ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ପରସ୍ପର ଉପରେ ଦାୟିତ୍ୱ ଠେଲୁଥିବାରୁ ପ୍ରାର୍ଥୀମାନେ ପ୍ରକୃତ ସ୍ଥିତି ନେଇ ଅନିଶ୍ଚିତତାରେ ରହିଛନ୍ତି। ଏଭଳି ପରିସ୍ଥିତିରେ ଏମ୍.ଫିଲ୍–ପିଏଚ୍.ଡି. ସଂଘ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ନିଯୁକ୍ତି ପ୍ରକ୍ରିୟାରେ ଉଠିଥିବା ସମସ୍ତ ଅଭିଯୋଗର ନିରପେକ୍ଷ ତଦନ୍ତ କରିବା, ୨୦୧୯ର ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବା ଏବଂ ଉଚ୍ଚ ଯୋଗ୍ୟତାସମ୍ପନ୍ନ ପ୍ରାର୍ଥୀଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଦାବି କରାଯାଇଛି। ଦାବି ପୂରଣ ନହେଲେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇବାକୁ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

Related Posts

About The Author

Add Comment