୨୫ ମିନିଟରେ ଅପରେସନ ସିନ୍ଦୂର ଶେଷ: ୨୪ ଷ୍ଟ୍ରାଇକ ଓ ୯ ଆତଙ୍କୀ ଆଡ୍ଡା ଧ୍ୱଂସ

Spread the love

ମାତ୍ର ୨୫ ମିନିଟ। ଏହି ୨୫ ମିନିଟ ପାକିସ୍ତାନ ପାଇଁ ଯଥେଷ୍ଟ ଥିଲା। କାରଣ ଏହି ୨୫ ମିନିଟ ମଧ୍ୟରେ ପାକିସ୍ତାନର ହାର୍ଟରେ ହୋଇଛି ବଡ଼ ପ୍ରହାର। ଭାରତ ଅପରେସନ ସିନ୍ଦୂର ମାଧ୍ୟମରେ ପହଲଗାମ ନରସଂହାରର ବଦଲା ନେଇଛି। ୨୫ ମିନିଟରେ ୨୪ଟି ମିସାଇଲ ମାଡ଼ କରି ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରି ଦେଇଛି।

ଏଥିରେ ୮୦ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ପହଲଗାମରେ ୩ ଜଣ ଆତଙ୍କବାଦୀ ୨୬ ଭାରତୀୟଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ଏହାର ୧୫ ଦିନ ପରେ ଭାରତୀୟ ସେନା ୮୦ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ାଇ ମଧୁର ପ୍ରତିଶୋଧ ନେଇଛି। ପ୍ରଥମଥର ପାଇଁ ପାକିସ୍ତାନରେ ପଶି ଭାରତୀୟ ସେନା କୌଣସି ଅପରେସନକୁ ସଫଳତାର ସହ ଶେଷ କରିଛି।

ପୂର୍ବରୁ ୨୦୧୬ ଓ ୨୦୧୯ରେ ଭାରତ କରିଥିବା କାଉଣ୍ଟର ଆଟାକ ପିଓକେରେ ସୀମିତ ଥିଲା। କିନ୍ତୁ ସୀମା ଠାରୁ ୧୦୦ କିମି ଦୂର ବାହାବଲପୁରରେ ଥିବା ଜୈଶ ମୁଖ୍ୟାଳୟରେ ଭାରତୀୟ ସେନା ପ୍ରଥମଥର ପାଇଁ ମିସାଇଲ ମାଡ଼ କରି ନିଜ ପରାକ୍ରମ ଦେଖାଇଛି। ରାତି ୧.୦୫ରୁ ୧.୩୦ ମଧ୍ୟରେ ଭାରତର ସ୍ଥଳ, ବାୟୁ ଓ ନୌସେନା ମିଳିତ ଭାବେ ଅପରେସନ ସିନ୍ଦୂରକୁ କାର୍ଯ୍ୟକାରୀ କରି ବୀରତ୍ୱର ପରିଚୟ ଦେଇଛନ୍ତି।

ପହଲଗାମ ବଦଲା ପରେ ନୂଆଦିଲ୍ଲୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ସଚିବ ବିକ୍ରମ ମିସ୍ରି, କର୍ଣ୍ଣେଲ ସୋଫିୟା କ୍ୟୁରେଶି ଓ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ ଅପରେସନ ସିନ୍ଦୂର ବାବଦରେ ଦେଶବାସୀଙ୍କୁ ଜଣାଇଛନ୍ତ। ଏପ୍ରିଲ ୨୨ ଜମ୍ମୁ-କଶ୍ମୀରର ପହଲଗାମାରେ ହୋଇଥିବା ନରସଂହାରର ଯୋଜନାବଦ୍ଧ ପ୍ରତିଶୋଧ ନିଆଯାଇଛି ବୋଲି ସେମାନେ କହିଛନ୍ତି। ପାକସ୍ତାନରେ ସକ୍ରିୟ ଆତଙ୍କୀ ଲଞ୍ଚ ପ୍ୟାଡ ଉପରେ ବେଶ ସତର୍କତାର ସହ ଭାରତୀୟ ସେନା ହମଲା କରିଛି।

ବିକ୍ରିମ ମିସ୍ରି କହିଛନ୍ତି, “ଭାରତ ବିରୋଧରେ ଅଧିକରୁ ଅଧିକ ଆକ୍ରମଣ କରିବା ପାଇଁ ଯୋଜନା ଚାଲିଥିବା ଆମ ଗୁଇନ୍ଦା ତଥ୍ୟ ଦେଇଥିଲା। ଏହାକୁ ରୋକିବା ଅତ୍ୟନ୍ତ ଜରୁରୀ ଥିଲା। ତେଣୁ ଆଜି ଭୋର ସମୟରେ ସୀମା ପାର ଆତଙ୍କବାଦୀଙ୍କୁ ରୋକିବା ପାଇଁ ଆମେ ଆମର ଅଧିକାରକୁ ପ୍ରୟୋଗ କରିଛୁ।”

ଷ୍ଟ୍ରାଇକ ଓ ଠିକଣା

ମୁଜାଫରବାଦ, କୋଟଲି, ବାହାବଲପୁର, ରାୱାଲାକୋଟ, ଚାକସୱାରି, ଭିମ୍ବେରେ ନୀଲୁମ ଭ୍ୟାଲି, ଝେଲମୁ ଓ ଚକୱାଲରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକ ଉପରେ ମିସାଇଲ ମାଡ଼ କରାଯାଇଛି। ଏଠାରେ ଆତଙ୍କୀ କ୍ୟାମ୍ପ ଚାଲିଥିବା ଗୁଇନ୍ଦା ତଥ୍ୟ ମିଳିଥିଲା। ଏସବୁ କ୍ୟାମ୍ପ ଗୁଡ଼ିକ ଜୈଶ-ଇ-ମହମ୍ମଦ ଓ ଲସ୍କର-ଇ-ତାଏବା ପକ୍ଷରୁ ବ୍ୟବହାର ହେଉଥିଲା। ଏହି ଦୁଇ ସଂଗଠନ ବେଶ କିଛି ଦଶନ୍ଧି ଧରି ଭାରତ ବିରୋଧୀ ଆତଙ୍କବାଦ କାର୍ଯ୍ୟକଳାପ ଜାରି ରଖିଛନ୍ତି।

ମିସାଇଲ ମାଡ଼ ହୋଇଥିବା ୯ଟି ଠିକଣା ମଧ୍ୟରୁ ୫ଟି ପାକିସ୍ତାନ ଅଧିକୃତ କଶ୍ମୀରରେ ରହିଥିବା ବେଳେ ବାକି ୪ଟି ପାକିସ୍ତାନର ମୁଖ୍ୟ ସହରରେ ରହିଥିଲା। ଜୈଶର ଗଡ଼ କୁହାଯାଉଥିବା ବାହାବଲପୁର ମଧ୍ୟ ଏହା ମଧ୍ୟରେ ରହିଛି। ମୁଜାଫରବାଦ ଓ ଭିମ୍ବେର ପୂର୍ବରୁ ହିଁ ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ସ୍ୱତନ୍ତ୍ର ସ୍ଥାନ ଭାବେ ଚିହ୍ନଟ ହୋଇଥିଲା। ସେନାର କହିବା କଥା ଯେ ସମସ୍ତ ଷ୍ଟ୍ରାଇକ ସେମାନଙ୍କ ଲକ୍ଷ୍ୟକୁ ପୂରଣ କରିଛନ୍ତି।

ୟୁଏଭି ବା ଡ୍ରୋନ କ୍ୟାମେରା ଦ୍ୱାରା ମିସାଇଲ ମାଡ଼ ଦ୍ୱାରା କମାଣ୍ଡ ସେଣ୍ଟର, ଟ୍ରେନିଂ କ୍ୟାମ୍ପ, ଆର୍ମ ଡିପୋ ଓ ରଣନୀତି ପ୍ରସ୍ତୁତ ହେଉଥିବା କ୍ୟାମ୍ପଗୁଡ଼ିକ କେମିତି ଧ୍ୱଂସ ହେଉଛି, ତା’କୁ ରେକର୍ଡ କରାଯାଇଛି। ଆତଙ୍କବାଦୀ ଆଡ୍ଡାକୁ କେବଳ ଟାର୍ଗେଟ କରାଯାଇଥିବାରୁ ଭାରତର ମିସାଇଲ ମାଡ଼ରେ ପାକିସ୍ତାନ ସେନାର କୌଣସି ପ୍ରତିଷ୍ଠାନ କିମ୍ବା ସାଧାରଣ ଲୋକଙ୍କ କୌଣସି କ୍ଷୟକ୍ଷତି ହୋଇନି।

କ’ଣ ସବୁ କ୍ଷତି ହୋଇଛି?

ଭାରତର ୨୪ଟି ମିସାଇଲ ମାଡ଼ରେ ୮୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୬୦ରୁ ଅଧିକ ଆହତ ହୋଇଛନ୍ତି। ସ୍ଥଳ ଭାଗ ଓ ଆକାଶ ମାର୍ଗରୁ ଟାର୍ଗେଟକୁ ହିଟ କରିପାରୁଥିବା ମିସାଇଲ ଦ୍ୱାରା ଆକ୍ରମଣ କରାଯାଇଥିଲା। ସର୍ଭେଲାନ୍ସ ଡ୍ରୋନ ଦ୍ୱାରା କ୍ଷୟକ୍ଷତିର ତାଜା ଚିତ୍ରକୁ ରେକର୍ଡ କରାଯାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଟାର୍ଗେଟ ଥିବା ବାହାବଲପୁରରେ ଥିବା ଜୈଶ-ଇ-ମହମ୍ମଦର ମୁଖ୍ୟାଳୟ। ଏହା ଅନ୍ତର୍ଜାତୀୟ ସୀମା ରେଖା ଠାରୁ ପ୍ରାୟ ୧୦୦ କିମି ଦୂର। ଏହି ସହରକୁ ଜୈଶ ଅପରେସନର ନର୍ଭ ସେଣ୍ଟର ଭାବେ ବିବେଚନା କରାଯାଏ। ଏହି ସ୍ଥାନଟି ୨୦୧୯ ପୁଲୱାମା ଆକ୍ରମଣ ଠାରୁ ଭାରତୀୟ ସୁରକ୍ଷା ଏଜେନ୍ସିର ରାଡାରରେ ଥିଲା।

ବାହାବଲପୁରରେ ଥିବା ସୁଭାନ ଆଲ୍ଲା ମସଜିଦକୁ ଟାର୍ଗେଟ କରି ମିସାଇଲ ମାଡ଼ କରାଯାଇଛି। ମିସାଇଲ ମାଡ଼ରେ ଏହା ପୂରା ଛିନଛତ୍ର ହୋଇଯାଇଛି। ୨୦୧୯ ଫେବୃଆରୀ ୧୪ରେ ପୁଲୱାମାରେ ସୁରକ୍ଷାକର୍ମୀ ଟାର୍ଗେଟ କରି ହୋଇଥିବା ହମଲା ବ୍ଲୁ ପ୍ରିଣ୍ଟ ଏହି ଠାରେ ହିଁ ପ୍ରସ୍ତୁତ ହୋଇଥିଲା। ଏଠାରେ ଜୈଶର ସଦସ୍ୟମାନଙ୍କୁ ତାଲିମ ଦିଆଯାଏ ଓ ସେମାନଙ୍କୁ ମୌଳବାଦୀ ଚିନ୍ତାଧାରାରେ ପ୍ରଭାବିତ କରାଯାଏ।

ଆଉ ଏକ ପ୍ରମୁଖ ଟାର୍ଗେଟ ହେଉଛି ମୁରିଦକେ। ଏହା ଭାରତ-ପାକିସ୍ତାନ ସୀମା ଠାରୁ ୩୦ କିମି ଦୂର। ସାମ୍ବାର ଅପରପାର୍ଶ୍ୱରେ ଏହା ରହିଛି। ଏଠାରେ ଲସ୍କରର ଗୋଟିଏ କ୍ୟାମ୍ପ ରହିଥିଲା। ଏହି କ୍ୟାମ୍ପରେ ୨୬/୧୧ ମୁମ୍ବାଇ ଆକ୍ରମଣର ଯୋଜନା ହୋଇଥିଲା।

ଭାରତୀୟ ସେନା ପିଓକେର ଆଭ୍ୟନ୍ତରୀଣ ଅଞ୍ଚଳରେ ମଧ୍ୟ ମିସାଇଲ ମାଡ଼ କରିଛନ୍ତି। ତଙ୍ଗଧର ସେକ୍ଟରରେ ଭାରତୀୟ ମିସାଇଲ ସାୱାଇ କ୍ୟାମକୁ ହିଟ କରିଛି। ଏହି କ୍ୟାମ୍ପଟି ଲସ୍କରର ହବ ଭାବେ ପରିଚିତ ଥିଲା। ଏହି କ୍ୟାମ୍ପର ଲିଙ୍କ ସୋନମାର୍ଗ(୨୦୨୪ ଅକ୍ଟୋବର ୨୦), ଗୁଲମର୍ଗ(୨୦୨୪, ଅକ୍ଟୋବର ୨୪) ଓ ନିକଟରେ ହୋଇଥବା ପହଲଗାମ ହମଲା ସହ ରହିଥିଲା।

ପୁଞ୍ଚ-ରଜୌରୀ ବେଲ୍ଟ ସ୍ଥିତ ଏଲଓସି ଠାରୁ ୩୫ କିମି ଦୂରରେ ରହିଥିବା ଗୁଲପୁରରେ ବି ହମଲା ହୋଇଛି। ଏଠାରେ ଥିବା କ୍ୟାମ୍ପରୁ ଆତଙ୍କବାଦୀମାନେ ୨୦୨୩ ଏପ୍ରିଲରେ ପୁଞ୍ଚ ଠାରେ ଭାରତୀୟ ସେନାକୁ ଟାର୍ଗେଟ କରିଥିଲା। ସେହିପରି ୨୦୨୪ ଜୁନ ମାସରେ ହିନ୍ଦୁ ଶ୍ରଦ୍ଧାଳୁଙ୍କ ବସ ଉପରେ ହୋଇଥିବା ଆକ୍ରମଣର ଲିଙ୍କ ଏହି କ୍ୟାମ୍ପ ସହ ରହିଥିଲା।

ପହଲଗାମ ହମଲା ଠାରୁ ଭାରତୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକ ମିଳିତ ଭାବେ ଆତଙ୍କବାଦୀଙ୍କ କ୍ୟାମ୍ପଗୁଡ଼ିକୁ ଚିହ୍ନଟ କରିଥିଲେ। ସେମାନେ ଚିହ୍ନଟ କରିଥିବା ୯ଟି ସ୍ଥାନରେ ମିସାଇଲ ଆଟାକ ହୋଇଛି। ଗୁଇନ୍ଦା ତଥ୍ୟ ଆଧାରରେ ତିନି ସେନା ଆକ୍ରମଣ କରିଛନ୍ତି।

Related Posts

About The Author

Add Comment