ହୋ ହାଲ୍ଲାରେ ସରିଲା ବଡଚଣା ପଂଚାୟତ ସମିତି ବୈଠକ: ସାଂସଦ ପ୍ରତିନିଧିଙ୍କ ଆଚରଣରେ ସମିତି ସଭ୍ୟା କାନ୍ଦିଲେ!

Spread the love

ବଡଚଣା,୪/୭(ସନ୍ଧାନ ନିୟୁଜ/ଆର୍ତତ୍ରାଣ ସାହୁ): ବଡଚଣା ପଞ୍ଚାୟତ ସମିତି ବୈଠକରେ ଏଜେଣ୍ଡାରୁ ପରିମଳ ବିଭାଗକୁ ବାଦ ଦିଆଯିବା ଘଟଣାକୁ ନେଇ ଅନେକ ସଭ୍ୟ ଅସନ୍ତୋଷ ପ୍ରକାଶ କରିବା ସହ ବୈଠକ ଚାଲିଥିବା ବେଳେ ଅସୌଜନ୍ୟ ଆଚରଣ ପାଇଁ ଜଣେ ସମିତି ସଭ୍ୟା କ୍ଷୁବ୍ଦ ହୋଇଥିବା ଜଣାଯାଇଛି । ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ ଭାଗ୍ୟଧର ମଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୂର୍ବ ନିଦ୍ଧାରିତ ଅନୁସାରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ପରିମଳ ବିଭାଗ ଉପରେ ଆଲୋଚନା ହେବାକୁ ନିର୍ଦ୍ଧାରଣ କରାଯାଇଥିଲା । ପ୍ରଥମେ ଶିକ୍ଷା ବିଭାଗ ଉପରେ ଆଲୋଚନା ହେବା ପରେ ବଡଚଣା ଶିକ୍ଷା ମଣ୍ଡଳ ଅଧିନରେ କେତେ ସ୍ୱୁଲରେ କେତେ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି ଏବଂ କେତେ ଜଣ ଶିକ୍ଷକ ଅଛନ୍ତି, କେତେ ଶିକ୍ଷକ ପଦବୀ ଖାଲି ପଡିଛି ବୋଲି ସୁଙ୍ଗୁଡା ସମିତି ସଭ୍ୟ ପ୍ରିତମ କୁମାର ନାୟକ ପ୍ରଶ୍ନ କରିଥିଲେ ମଧ୍ୟ ଉକ୍ତ ବିଭାଗର ଅଧିକାରୀ ନଥିବାରୁ ତାଙ୍କ ପ୍ରଶ୍ନର ଉତ୍ତର ମିଳି ନଥିବାରୁ ସେ ବୈଠକରେ କ୍ଷୋଭ ପ୍ରକାଶ କରିଥିଲେ । ଏଥି ସହିତ ସୁଙ୍ଗୁଡା ପଞ୍ଚାୟତରେ ପଲ୍ଲୀସଭାକୁ ହାଇଜାକ କରି ଗ୍ରାମରେ ନକରି ଚଣ୍ଡିଖୋଲସ୍ଥ ବିଜୁ କଲ୍ୟାଣ ମଣ୍ଡପ ଓ ପଞ୍ଚାୟତ ଅଫିସରେ କାହିଁ କରାଯାଇଥିଲା ବୋଲି ପ୍ରଶ୍ନ କରିଥିଲେ । ସେହିପରି ସ୍ୱାସ୍ଥ୍ୟ ବିଭାଗ ଉପରେ ଆଲୋଚନା ହୋଇଥିଲା, ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ଡାକ୍ତରଙ୍କ ପାଇଁ ଆବଶ୍ୟକ ଗୃହ ନଥବବାରୁ ସମସ୍ୟା ସୃଷ୍ଟିହେଉଥିବା ବୈଠକରେ ଆଲୋଚନା ହୋଇଥିଲା । ବନ୍ତଳା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଦିର୍ଘ ଦିନହେବ ଡାକ୍ତର ପଦବୀ ଖାଲି ପଡିବା ସହ ନିୟମିତ ଭାବେ କର୍ମଚାରୀ ଆସୁନଥିବାରୁ ସେଠାରେ ସ୍ୱାସ୍ଥ୍ୟସେବା ଏକପ୍ରକାର ଠପ ହୋଇଯାଇଥିବା ସରପଞ୍ଚ ମିନାକ୍ଷୀ ମିଶ୍ର ପ୍ରଶ୍ନ ଉଠାଇଥିଲେ । ବିଭିନ୍ନ ସ୍ଥାନରେ ମହିଳା ସ୍ୱାସ୍ଥ୍ୟ କର୍ମୀ ପଦବୀ ଖାଲିପଡିବା ଏବଂ ବିଶେଷ କରି ବରଦା ପଞ୍ଚାୟତରେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ କାର୍ଯ୍ୟଉପରେ ସମିତି ସଭ୍ୟା ତପସ୍ୱନୀ ବାରିକ ପ୍ରଶ୍ନକରିବା ବେଳେ ମଞ୍ଚରେ ବସିଥିବା ସାଂସଦଙ୍କ ପ୍ରତିନିଧି ତାଙ୍କୁ ପ୍ରଶ୍ନରଖିବା ପାଇଁ ବାରଣ କରିବାରୁ ସେ କ୍ଷୋଭ ପ୍ରକାଶ କରିବା ସହ କାନ୍ଦି କାନ୍ଦି ପଦାକୁ ଚାଲିଆସିଲେ । ଏଭଳି ଘଟଣାକୁ ନେଇ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା । ପୂର୍ବ ନିର୍ଦ୍ଧାରିତ ଏଜେଣ୍ଡା ଅନୁସାରେ ଆଲୋଚନା ହେବାକୁ ଥିବା ବିଭାଗର ଅଧିକାରୀ ବୈଠକରେ ଉପସ୍ଥିତ ନଥିବାରୁ ଅନେକ ସଭ୍ୟ/ସଭ୍ୟା ଅସନ୍ତୋଷ ପ୍ରକାଶ କରିଥିଲେ । ଆଗାମୀ ବୈଠକରେ ସଂପୃକ୍ତ ବିଭାଗୀୟ ଅଧିକାରୀ ଅନୁପସ୍ଥିତ ରହିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବୈଠକରେ ପ୍ରସ୍ଥାବ ଗୃହିତ କÿରିବା ପାଇଁ କିଛିସଭ୍ୟ ଅଡିବସିଥିଲେ । ସାଂସଦଙ୍କ ଆଦର୍ଶ ପଞ୍ଚାୟତ ସମିଆଁରେ ଚଳିତ ବର୍ଷ ଧାଡିରୁଆ ପ୍ରଣାଳୀରେ ଧାନ ଚାଷ କରାଯିବାକୁ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଥିଲା । ଆବଶ୍ୟକ ଅନୁସାରେ ବଡଚଣା ଅଞ୍ଚଳରେ ଉନ୍ନତ ଚାଷ ପାଇଁ ବିଭାଗ ପକ୍ଷରୁ ଚାଷୀମାନଙ୍କୁ ଉପଯୁକ୍ତ ବିହନ, ସାର ଓ ଯନ୍ତ୍ରପାତି ଯୋଗାଇ ଦେବାକୁ ସଭ୍ୟମାନେ ଅବଗତ କରିଥିଲେ । ବିକ୍ରମତିରଣ ପଞ୍ଚାୟତରେ ଅନେକ ବୃଦ୍ଧ/ବୃଦ୍ଧା ଭତ୍ତାପାଇବାକୁ ଥିବା ବେଳେ ଭୋଟର ତାଲିକାରେ ସେମାନଙ୍କ ନାମ ସଂଶୋଧନ କରାଯାଇନଥିବାରୁ ସମସ୍ୟା ସୃଷ୍ଟିହେଉଥିବା ଏହି ସମସ୍ୟାର ତୁରନ୍ତ ସମାଧାନ କରିବାକୁ ସରପଞ୍ଚ ପ୍ରସ୍ତାବ ଦେଇଥିଲେ । ବିଶେଷ କରି ପରିମଳ ବିଷୟରେ ଏଜେଣ୍ଡାରେ ଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତି ଯୋଗୁଁ ଏହା ଆଲୋଚନା ହୋଇନପାରିବାରୁ ବୈଠକରେ ବହୁ ସଭ୍ୟ/ସଭ୍ୟା ଅସନ୍ତୋଷ ପ୍ରକାଶ କରିଥିଲେ । ଏହି ବୈଠକରେ ସାଂସଦଙ୍କ ପ୍ରତିନିଧି ପଞ୍ଚାନନ ଧଳ, ବିଧାୟକଙ୍କ ପ୍ରତିନିଧି ତଥା ଜିଲାପରିଷଦ ସଭ୍ୟ ଅରବିନ୍ଦ ସାମଲ,ବିଡିଓ ଅଜିତ ପ୍ରସାଦ ଗିରି,ଏବିଡିଓ ଶାଶ୍ୱତ କୁମାର ଜେନା, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ନିମାଇଁ ଚରଣ ନାୟକ, ଜିଲାପରିଷଦ ସଭ୍ୟା ବିନୋଦିନୀ ସାହୁ, ସୁମତୀ ବାସ୍କେ ଯୋଗଦେଇଥିଲେ । ଅପରପକ୍ଷରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପଞ୍ଚାୟତ ସମିତିର ବୈଠକ ସମ୍ପର୍କରେ ନଜଣାଇବା ଓ ଦୂରେଇ ରଖିବା ରହସ୍ୟକୁ ନେଇ ନାନାଦି ପ୍ରଶ୍ନବାଚି ସୃଷ୍ଟିକରିଛି ।

Related Posts

About The Author

Add Comment