ସୁନ୍ଦରଗଡ଼ ତା:୨୮/୧୧/୨୦୨୬( ସନ୍ଧାନ ନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍ ଅନ୍ତର୍ଗତ ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଝିରପାଏନ ଖୁଦାନ ପଦାରେ ଗତକାଲି ଏକ ଅଭାବନୀୟ ଘଟଣା ସାମ୍ନା କୁ ଆସିଛି । ହାତୀ ଗତିବିଧି ଅନୁଧ୍ୟାନ କରୁଥିବା ସମୟରେ ମହିଳା ଫରେଷ୍ଟ ଗାର୍ଡ ପ୍ରତିଭା ବିସି ଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୁଚନା ଅନୁସାରେ ଗତ ଗୁରୁବାର ଦିନ ପ୍ରାୟ ୫୧ ଟି ହାତୀ ଝିରପାଏନ ଖୁଦାନ ପଡ଼ା ଜଙ୍ଗଲରେ ଥିବା ଜଣାପଡ଼ିଥିଲା । ହାତୀ ଆଚରଣ ନିରୀକ୍ଷଣ କରିବାକୁ ଯାଇ ବିଭାଗୀୟ ଅଧିକାରୀଙ୍କୁ ଫଟୋ ମାଧ୍ୟମରେ ସୂଚନା ଦେବାପାଇଁ ଯାଇଥିବା ଏହି ଦୁଃଖଦ ଘଟଣା ଘଟିଥିବା ସୂତ୍ରରୁ ପ୍ରକାଶ । ବନ୍ ବିଭାଗ ପାଖରେ ସରକାରୀ ସୁବିଧା ଥାଇ ମଧ୍ୟ ତାର ସଦ ଉପଯୋଗ ନ ହେବା କାରଣରୁ ଜଣେ ନିରୀହ ବନରକ୍ଷୀ ଙ୍କ ଜୀବନ ଯାଇଥିବା ଚର୍ଚ୍ଚା ହେଉଛି । ଏ ନେଇ ବନ୍ ବିଭାଗ କର୍ତ୍ତୃପକ୍ଷଙ୍କ ଅବହେଳା ଉପରେ ଅନେକ ପ୍ରଶ୍ନ ଉଠୁଥିବା ସୂଚନା ରହିଛି । ମୃତକ ବନରକ୍ଷୀ ଙ୍କ ଘର ବ୍ରଜରାଜନଗର ରହିଥିବା ବେଳେ ପୋଲିସ ଶବକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଚିକିତ୍ସାଳୟକୁ ପଠାଇଥିବା ଜଣାପଡିଛି । ଏହି ଘଟଣା କୁ ନେଇ ବନରକ୍ଷୀ ପରିବାରଙ୍କୁ ଉଚିତ୍ କ୍ଷତି ପୁରଣ ଦିଆଯିବ ବୋଲି ଡିଏଫଓ ଯଶବନ୍ତ ସିଂ ସୂଚନା ଦେଇଛନ୍ତି ।
ହାତୀ ଗତିବିଧି ଅନୁଧ୍ୟାନ ବେଳେ ଚାଲିଗଲା ଜୀବନ,ଡିଏଫଓ ଙ୍କ ନିର୍ଦ୍ଦେଶ କୁ ନେଇ ଉଠିଲା ପ୍ରଶ୍ନ
|
November 28, 2026 |



