ହଜିଯାଉଛି ଘରଚଟିଆ, ହଜୁଛି ପ୍ରକୃତିର ମଧୁର ସ୍ୱର

Spread the love

କେବେ ଆମେ ଭାବିଛେ କି, ଆମ ଘର ଅଗଣାରୁ ଗୋଟିଏ ଛୋଟ ଚଢ଼େଇ ହଜିଗଲେ ଆମ ଜୀବନରେ କ’ଣ ବଦଳିଯିବ? ଘରର ଛାତ ରହିବ, କାନ୍ଥ ରହିବ, ସକାଳ ହେବ, ସୂର୍ଯ୍ୟ ଉଇଁବ। ହେଲେ ଏସବୁ ଭିତରେ କିଛି ଗୋଟିଏ ନଥିବାର ଅନୁଭବ ହେବ। ସେହି ଅଭାବଟି ହେଉଛି ଘରଚଟିଆର ଚିରପରିଚିତ ଡାକ। ଦିନେ ଆମ ଘରର ଅବିଚ୍ଛେଦ୍ୟ ଅଂଶ ଥିବା ଏହି ଛୋଟ ପକ୍ଷୀଟି ଆଜି ଅନେକ ସ୍ଥାନରେ ଦୁର୍ଲଭ ଦୃଶ୍ୟ ପାଲଟିଛି। ଆମେ ଉନ୍ନତିର ନୂଆ ନୂଆ ସୋପାନ ଅତିକ୍ରମ କରୁଥିବା ବେଳେ ଆମ ଜୀବନରୁ ପ୍ରକୃତିର ଏହି ସରଳ ଉପହାରଟି ଧୀରେ ଧୀରେ ଦୂରେଇ ଯାଉଛି। ଏହା ଆମକୁ ଆତ୍ମସମୀକ୍ଷା କରିବାର ସୁଯୋଗ ଦେଉଛି। ମୋ ପାଇଁ ଘରଚଟିଆ କେବଳ ଏକ ପକ୍ଷୀ ନୁହେଁ। ଏହା ଆମ ସମାଜର ସରଳ ଜୀବନର ଏକ ପରିଚିତ ଚିତ୍ର। ଘରର ଚାଳ ଉପରେ ଏହାର ଚଳପ୍ରଚଳ, ଅଗଣାରେ ଦାନା ଖୋଜିବା ଏବଂ ନିଜ ଛୁଆଙ୍କ ପାଇଁ ଖାଦ୍ୟ ସଂଗ୍ରହ କରିବାର ଦୃଶ୍ୟ ଆମକୁ ଜୀବନର ଏକ ସୁନ୍ଦର ସତ୍ୟ ଶିଖାଏ—ବଞ୍ଚିବା ପାଇଁ ବହୁତ କିଛି ନୁହେଁ, କେବଳ ଉପଯୁକ୍ତ ପରିବେଶ ଓ ସୁରକ୍ଷା ଦରକାର। ଏହି ପକ୍ଷୀଟି ମଣିଷ ପାଖରେ ରହି ନିଜର ଛୋଟ ସଂସାର ଗଢ଼ିଥିଲା। ଆଜି ଆମ ଘର ବଦଳିଛି, ଜୀବନଶୈଳୀ ବଦଳିଛି ଏବଂ ପରିବେଶ ସହ ଆମର ସମ୍ପର୍କ ମଧ୍ୟ ବଦଳିଛି। ଏହି ପରିବର୍ତ୍ତନ ଭିତରେ ଘରଚଟିଆ ପାଇଁ ଥିବା ସ୍ଥାନ କ୍ରମେ ସଙ୍କୁଚିତ ହୋଇଛି। ଆମେ ଘର ତିଆରି କରୁଛୁ, କିନ୍ତୁ ସେହି ଘରର ଆଖପାଖରେ ଅନ୍ୟ ଜୀବଙ୍କ ପାଇଁ କିଛି ସ୍ଥାନ ଛାଡ଼ୁଛେ କି? ଆମେ ଅଗଣାକୁ ସୁନ୍ଦର କରୁଛୁ, କିନ୍ତୁ ସେଠାକୁ ପକ୍ଷୀଟିଏ ଆସିବା ପାଇଁ ଆବଶ୍ୟକ ସୁବିଧା ରଖୁଛେ କି? ଏହି ପ୍ରଶ୍ନଗୁଡ଼ିକ ଆଜି ଗୁରୁତ୍ୱପୂର୍ଣ୍ଣ। ପୁରୁଣା ଘରର ଚାଳ, କାଠର ଖୋପ ଓ କାନ୍ଥର ଛୋଟ ଫାଙ୍କ ଘରଚଟିଆ ପାଇଁ ଆଶ୍ରୟ ଥିଲା। ଆଧୁନିକ ଘରରେ ସେହି ସ୍ଥାନ ନଥିବାରୁ ଏମାନଙ୍କ ପାଇଁ ବସା ବାନ୍ଧିବା କଷ୍ଟକର ହେଉଛି। ଏହା ସହିତ ଗଛପତ୍ର କମିବା, କୀଟପତଙ୍ଗର ଉପଲବ୍ଧତାରେ ପରିବର୍ତ୍ତନ ଏବଂ କୀଟନାଶକର ବ୍ୟବହାର ମଧ୍ୟ ସେମାନଙ୍କ ଜୀବନକୁ ପ୍ରଭାବିତ କରିପାରେ। ତେଣୁ ଘରଚଟିଆର ଅନୁପସ୍ଥିତିକୁ କେବଳ ଏକ ସାଧାରଣ ପରିବର୍ତ୍ତନ ଭାବେ ନେବା ଉଚିତ ନୁହେଁ। ପ୍ରକୃତିର ଏକ ବିଶେଷତ୍ୱ ହେଉଛି, ଏଠାରେ କୌଣସି ଜୀବ ସମ୍ପୂର୍ଣ୍ଣ ଏକାକୀ ନୁହେଁ। ପ୍ରତ୍ୟେକ ଜୀବ ଅନ୍ୟ ଜୀବ ଓ ପରିବେଶ ସହ ଜଡ଼ିତ। ଘରଚଟିଆ ନିଜ ଛୁଆଙ୍କୁ ଖୁଆଇବା ପାଇଁ କୀଟପତଙ୍ଗ ସଂଗ୍ରହ କରେ। ଏହାର ଉପସ୍ଥିତି ଆମ ଚାରିପାଖର ଜୀବଜଗତର ଏକ ଅଂଶ। ଏହି ଛୋଟ ପକ୍ଷୀଟିକୁ ଅବହେଳା କରିବା ଅର୍ଥ ପ୍ରକୃତିର ଏକ ଅଂଶକୁ ଅବହେଳା କରିବା। ଜୈବ ବିବିଧତାର ସୁରକ୍ଷା କେବଳ ଜଙ୍ଗଲ ଭିତରେ ସୀମିତ ନୁହେଁ। ଆମ ଘର, ବିଦ୍ୟାଳୟ, କାର୍ଯ୍ୟାଳୟ ଓ ସହରର ଛୋଟ ଛୋଟ ସବୁଜ ସ୍ଥାନ ମଧ୍ୟ ଏହାର ଅଂଶ। ପ୍ରକୃତିକୁ ସୁରକ୍ଷା ଦେବାର ଅଭ୍ୟାସ ଆମ ନିଜ ଘରୁ ଆରମ୍ଭ ହେବା ଦରକାର। ଘରଚଟିଆ ପାଇଁ ଆମେ ଯାହା କରିପାରିବା, ତାହା ଅତ୍ୟନ୍ତ ସରଳ। ଘରର ଏକ ସୁରକ୍ଷିତ ସ୍ଥାନରେ ପାଣି ରଖିବା, ଆବଶ୍ୟକ ସ୍ଥାନରେ କୃତ୍ରିମ ବସା ଲଗାଇବା ଏବଂ ଘର ଚାରିପାଖରେ ଗଛ ଲଗାଇବା ଭଳି ପଦକ୍ଷେପ ନେଇପାରିବା। ଏଥିସହ ପାଣିପାତ୍ରକୁ ସଫା ରଖିବା, ପକ୍ଷୀଙ୍କୁ ଭୟଭୀତ ନକରିବା ଓ ସେମାନଙ୍କ ବସାକୁ ନଷ୍ଟ ନକରିବା ଦରକାର। ଆମ ଘର ଓ ଅଗଣାକୁ ଏପରି ଭାବେ ରଖିବା ଉଚିତ, ଯେପରି ଅନ୍ୟ ଜୀବଙ୍କ ପାଇଁ ମଧ୍ୟ ସେଠାରେ ବଞ୍ଚିବାର ସୁଯୋଗ ରହିବ। ଏହି ଉଦ୍ୟମରେ ପରିବାରର ସଦସ୍ୟ, ପଡ଼ୋଶୀ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ସଂଗଠନ ସାମିଲ ହେଲେ ଏକ ବଡ଼ ସାମାଜିକ ଆନ୍ଦୋଳନର ରୂପ ନେଇପାରିବ। ମୁଁ ବିଶ୍ୱାସ କରେ, ପ୍ରକୃତି ପ୍ରତି ଦାୟିତ୍ୱବୋଧ ମଣିଷର ଚିନ୍ତାଧାରାରୁ ଆରମ୍ଭ ହୁଏ। ଯେଉଁ ପିଲା ନିଜ ଘର ଅଗଣାରେ ପକ୍ଷୀକୁ ଦାନା ଦେବା ଶିଖେ, ସେ ବଡ଼ ହେଲେ ଅନ୍ୟ ଜୀବଙ୍କ ପ୍ରତି ମଧ୍ୟ ସମ୍ବେଦନଶୀଳ ହେବାର ସମ୍ଭାବନା ଅଧିକ। ତେଣୁ ଘରଚଟିଆର ସୁରକ୍ଷାକୁ ଆମେ କେବଳ ପରିବେଶ ସମ୍ପର୍କିତ ଏକ କାର୍ଯ୍ୟ ଭାବେ ନୁହେଁ, ଏକ ମାନବୀୟ ଶିକ୍ଷା ଭାବେ ମଧ୍ୟ ଗ୍ରହଣ କରିବା ଉଚିତ। ପ୍ରକୃତିକୁ ଭଲ ପାଇବାର ଅର୍ଥ କେବଳ ତାହାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ନୁହେଁ; ତାହାର ସୁରକ୍ଷା ପାଇଁ ନିଜ ଭାଗର ଦାୟିତ୍ୱ ନିର୍ବାହ କରିବା ମଧ୍ୟ ଅଟେ ଆମେ ଆଗାମୀ ପିଢ଼ି ପାଇଁ ଅନେକ ସ୍ୱପ୍ନ ଦେଖୁଛେ। ସେମାନଙ୍କୁ ଉନ୍ନତ ଶିକ୍ଷା, ଭଲ ଜୀବନ ଓ ନିରାପଦ ଭବିଷ୍ୟତ ଦେବାକୁ ଚାହୁଁଛେ।

ଡ. ସତ୍ୟଜିତ ନାୟକ, ଆଇପିଏସ

Related Posts

About The Author

Add Comment