ଅନୁବାଦ ଗଳ୍ପ
•••••
ଫ୍ରାନଜ୍ କାଫକା
ସାଧୁବେଶୀ ଜଣେ ଚାଲବାଜର ମୁଖା ଉନ୍ମୋଚନ
•••••
ଅବଶେଷରେ ରାତି ଦଶଟା ଆଡକୁ ମୁଁ ସେଇ ବିରାଟ ଘରର ଦରଜା ନିକଟରେ ପହଂଚିଯାଇଥିଲି।ସେଇଠେ ଗୋଟିଏ ପାର୍ଟିକୁ ମୋର ନିମନ୍ତ୍ରଣ ରହିଛି।ମୋ ସାଙ୍ଗରେ ଜଣେ ଲୋକ ଯାହା ସହ ଆଗରୁ ଥରେ କି ଦିଥର କେଉଁଠି ଦେଖା ହେବାପରେ ଚିହ୍ନାପରିଚୟ ହୋଇଥିଲା ସେ ମୋ ଉପରେ ପଡି ପୂରା ଦିଘଣ୍ଟା ମୋତେ ଏ ଗଳି ସେ ଗଳି ଘୁରାଇସାରିବା ପରେ ଏଇଠିକୁ ଆଣି ପହଂଚେଇଦେଇଛି।
“ଠିକ୍ ଅଛି”।ମୁଁ କହିଲି ଆଉ ହାତରେ ତାଳି ବଜାଇ ଏମିତି କହିଥିଲି ଯେ ସେଥିରୁ ଯାହା ବୁଝାଯିବ ତାହା ହେଉଛି ଆମର ଏଥର ଅଲଗା ହେବା କଥାଟି ଖୁବ୍ ଜରୁରୀ।ଏହାର ଆଗରୁ ବେଶ୍ କେତେ ଥର ୟାଡୁ ସ୍ୟାଡୁ ଥରେ ଅଧେ ଏମିତି ଚେଷ୍ଟା କରିଛି,ଯଥେଷ୍ଠ ହେଲାଣି,ଆଉ ଅଧିକ ନୁହଁ।
“ଆପଣ କ’ଣ ସିଧା ଉପରକୁ ଯାଉଛନ୍ତି ତ ?”ସେ ଜାଣିବାକୁ ଚାହିଁଲା।ତାହାର ମୁହଁରୁ ଦାନ୍ତ ଠକଠକ କରିବା ଆବାଜ ଯେମିତି ଆସୁଥିଲା।
“ହଁ”।
କଥା ହେଉଛି,ଏଠାରେ ମୋର ନିମନ୍ତ୍ରଣ ଅଛି ବୋଲି ପ୍ରଥମରୁ ମୁଁ ତାକୁ କହିଛି। ମୋର ଅଶ୍ୱସ୍ତି ଏଇ ପାହାଚ ଦେଇ ଉପରକୁ ନିମନ୍ତ୍ରଣ ରକ୍ଷା କରିବାକୁ ଯିବାବେଳେ(ସେଇଠିକୁ ଯିବା ପାଇଁ ମୁଁ ଏକ ପ୍ରକାର ବ୍ୟାକୁଳ)ତଳେ ଗେଟ୍ ବାହାରେ ଛିଡାହୋଇ ମୋର ପଛରେ ମୋ ଆଡକୁ ଚାହିଁ କାନପାତିଥିବା ଲୋକଟି ପାଇଁ ନୁହଁ।କିଂବା ଏଇ ଲୋକଟି ଯେମିତି ଚୁପଚାପ ଛିଡା ହୋଇଛି (ଆଉ ମନେ ହେଉଛି ଯେମିତି ଖୁବ୍ ଲଂବା ସମୟ ଏମିତି ଛିଡା ହେବାର ସିଦ୍ଧାନ୍ତ ଆମେ ନେଇଛୁ।)ତାହାରି ପାଇଁ ନୁହଁ।ଏପରି ଏକ ନୀରବତା ,ଚାରିପଟର ଘରଦ୍ୱାର ଠୁ ଆକାଶ ଯାଏଁ ବ୍ୟାପି ଯାଇଥିବା ଅଂଧାର ,ସବୁ ସେଥିରେ ଯୋଡିହୋଇ ଯାଇଛି।ଆଉ ରାସ୍ତାରେ ଦେଖାଯାଉନଥିବା ଏପରି ପଥଚାରୀର ପାଦଶବ୍ଦ (ସେମାନେ କୁଆଡକୁ ଯାଆନ୍ତି ତାହାର ଆଗ୍ରହ କାହାର ନାହିଁ),ରାସ୍ତାର ଆରପଟକୁ ଜାବୁଡି ଧରିଛି ଯେଉଁ ପବନ,କୌଣସି ଏକ ଘରର ବଂଦ ଝରକା ପଛରେ ଗ୍ରାମଫୋନରେ ବାଜୁଥିବା ପୁରୁଣା ସ୍ୱର-ଏଇ ନୀରବତାରେ ସବୁକିଛି କାନରେ ବେଶ୍ ସ୍ପଷ୍ଟ,ଯେମିତି ନୀରବତାର ମାଲିକ ଏମାନେ,ଆଗେ ସବୁଦିନ ଓ ଭବିଷ୍ୟତରେ ସବୁଦିନ ମାଲିକ ହୋଇ ରହିବେ।
ଆଉ ମୋର ଏଇ ସଂଗୀଜଣକ ଏଇ ନୀରବତାରେ ନିଜକୁ ସମର୍ପଣ କରିଦେଇଛନ୍ତି ନିଜ ସ୍ୱାର୍ଥରେ ଏବଂ ସାମାନ୍ୟ ମୁଚୁକି ହସି ମୋ ତରଫରୁ ବି।ସେ କାନ୍ଥରେ ନିଜର ଡାହାଣ ହାତ ରଖିଥିଲେ ଆଉ ଆଖିବୁଜି ନିଜ ଗାଲକୁ ଛୁଆଁଇଲେ ସେଇ କାନ୍ଥରେ।
କିନ୍ତୁ ତାଙ୍କର ଏଇ ହସଟିକୁ ପୂରା ଶେଷଯାଏଁ ମୋର ଦେଖା ହୋଇପାରିଲାନାହିଁ ,କାରଣ ହଠାତ୍ ଏକ ଲାଜରେ ମୁଣ୍ଡକୁ ବୁଲେଇ ନେଇ ଓଲଟାଦିଗକୁ ଘୁରି ଯାଇଥିଲି ମୁଁ। ଏଇ ହସଟିକୁ ଦେଖି ମୁଁ ଚିହ୍ନି ପକେଇଥିଲି ଯେ ସେ ଲୋକଟି ଜଣେ ଭଣ୍ଡ,ଭଣ୍ଡ ସାଧୁ,ଏହା ଛଡା ଆଉ କିଛିହିଁ ନୁହଁ।ହେ ଭଗବାନ,ଏଇ ସହରରେ କେତେ ମାସ କଟିଲାଣି ମୋର,ଭାବୁଥିଲି ସାଧୁ ସାଜୁଥିବା ଏଇ ଧପ୍ପାବାଜ ମାନଙ୍କୁ ମୁଁ ନଖଠୁ ଶିଖା ଯାଏଁ ସହଜରେ ଚିହ୍ନି ପାରିବି ,ଯେମିତି ସେମାନେ ରାତିବେଳା ପାଖଗଳିରୁ ଆସି ଆମ ସାମ୍ନାରେ ଉଦୟ ହୋଇଯାଆନ୍ତି,ତାଙ୍କ ହାତଦୁଇଟି ସରାଇଖାନାର ମାଲିକ ଭଳି ଦୁଇ ପଟକୁ ବଢାଇଥାଆନ୍ତି;ଆଉ ଯେମିତି ସେମାନେ କାନ୍ଦକାନ୍ଦ ମୁଁହରେ ସାଇନବୋର୍ଡ ପୋଷ୍ଟର ଗୁଡିକ ସାମ୍ନାରେ ଘୁରିବୁଲୁଥାଆନ୍ତି ଯେତେବେଳେକି ଆମେ ବିଜ୍ଞାପନଗୁଡିକୁ ଖୁଣ୍ଟିଖୁଣ୍ଟି ଦେଖୁଥାଉ।ସେମାନେ ଅନ୍ତତଃ ଗୋଟିଏ ଆଖି ରେ ଲୁଚିଛପି ଆମକୁ ଦେଖିବେ ଆମ ପଛରେ ଆଉ ଆମେ ଯେତେବେଳେ ରାସ୍ତାର ମୋଡରେ ଠିଆ ହୋଇ ଭୟରେ ଥରିବାକୁ ଆରଂଭକରିଛୁକି ନାହିଁ,ସେମାନେ ହଠାତ୍ କେଉଁଠୁ ଆସି ଆମ ଆଗରେ ଉଭା ହୋଇଯିବେ,ଫୁଟପାଥ୍ ଦାଢରେ।ଏମାନଙ୍କୁ ମୁଁ ଯେ କେତେ ଭଲଭାବରେ ବୁଝେ,ସତ କହିଲେ ଏଇ ସହରରେ,ଏଠିକାର ଛୋଟ ପାନଶାଳାଗୁଡିକରେ ,ମୋ ସହିତ ପ୍ରଥମେ ଦେଖା ହେବାର ଲୋକ ଏମାନେ,ଆଉ ଏମାନଙ୍କ ଯୋଗୁ ମୁଁ ପ୍ରଥମେ ଖୋଜି ପାଏ “ଏକଜିଦିଆ”ଶବ୍ଦଟିକୁ,ଯାହା ଏତେଦିନ ମୋ ଜୀବନରେ ଏତେ ବଡ ଅଂଶଟିଏ ହୋଇ ଉଠିଛି ଯେ ମନେ ହୁଏ ମୁଁ ନିଜ ଭିତରେ ଏହିଭଳି ସ୍ୱଭାବ ଖୋଜି ପାଇବାକୁ ଆରମ୍ଭ କରିଛି।କେଉଁ ଭଳି ନଛୋଡବନ୍ଧା ପରି ସେମାନେ ମୋ ସହ ଲାଗିଯାଉଛନ୍ତି,ଏପରିକି ଏମାନଙ୍କଠାରୁ ପଳାଇ ବଂଚିବାର ଅନେକଦିନ ପରେ ଏଯାଏଁ ବି,ସେତେବେଳେ ଯଦି ଆମକୁ ଠକାଇବାର ଆଉ କୌଣସି ଫିକର ତାଙ୍କର ହାତପାହାନ୍ତାରେ ନଥାଉ ପଛକେ ବି।କେଉଁଭଳି ସେମାନେ ବସିବାକୁ ରାଜି ହୁଅନ୍ତି ନାହିଁ,ଭାଙ୍ଗି ପଡିବାକୁ ଚାହାଁନ୍ତି ନାହିଁ,ଏହା ବଦଳରେ ସେତେବେଳେ(ଟିକିଏ ଦୂରରେ ରହି) ସେମାନେ ଏତେ କିଛି ପରେ ବି କେମିତି ଆମ ଆଡକୁ ବିଶ୍ୱାସଭରା ଆଖିରେ ବିରାମହୀନ ଭାବରେ ଚାହିଁ ରହିଥାନ୍ତି।ଆଉ ସେମାନଙ୍କର ଏମିତି କୌଶଳ ସବୁ ଏକ ପ୍ରକାରର:ଆମ ସାମ୍ନାରେ ଆସି ଛିଡା ହେବେ,ଯେତେ ସମ୍ଭବ ସ୍ଥାନ ଅକ୍ତିଆର୍ ରେ ଥିବ ସେମାନଙ୍କର,ଯେଉଁଠିକୁ ଯାଉଛି ସେଠିକି ନଯିବା ପାଇଁ ଟିକିଏ ଅଳି କଲାଭଳି ବାଧ୍ୟ କରିବେ,କହିବେ,ତା’ବଦଳରେ ଆମ ଆଡକୁ ଆସ,ଆଉ ଯଦି ସେତେବେଳେ ଆମ ଭିତରେ ଜମି ଯାଇଥିବା ଚାପା କ୍ଷୋଭ ଟି ଶେଷ ଆଡକୁ ଉଜ୍ଜଳି ଉଠିବ ତ ତେବେ ସେମାନେ ତାହା ମାନି ନେବେ ଆଲିଙ୍ଗନ ଭଳି,ତାହା ଭିତରେ ସବୁଠୁ ଆଗ ନିଜ ମୁଁହଟିକୁ ବଢାଇଦେଉଥିବେ ଆଗକୁ, ସେମାନେ।
ଆଉ ମୋର ଦେଖୁଚ ଏଥର ଏଇ ଲୋକଟି ସହ ଏତେ ସମୟ ଲାଗିଗଲା ସେମାନଙ୍କର ଏହି ପୁରୁଣା ଖେଳ ଗୁଡିକୁ ବୁଝିଯିବାକୁ।ହାତଆଙ୍ଗୁଳି ର ଅଗକୁ ସବୁ ଏକା ସାଙ୍ଗରେ ଘଷିବାକୁ ଲାଗିଲି,ଏହିପରି ଚେଷ୍ଟା କଲି ଯେମିତି ସବୁତକ ଲାଜ ପୋଛି ହୋଇଯିବ ଏବେ।
ତାହା ପରେ ବି ଆମର ଏଇ ଲୋକଟି ଆଗଭଳି କାନ୍ଥକୁ ଆଉଜି ଛିଡା ହୋଇ ରହିଥାଏ,ଏଇଲେ ଭାବୁଛି ଯେମିତି ସେ ସାଧୁରୂପୀ ଚାଲବାଜି ରେ ପୂରା ଉସ୍ତାଦ୍,ନିଜର ଏଇମିତି କାମରେ ଏକ ପରିତୃପ୍ତିର ଗୋଲାପୀ ଆଭା ଖେଳୁଥାଏ ମୋ ଆଡକୁ ଥିବା ତାହାର ଗାଲପଟକରେ।
“ଚିହ୍ନି ପାରିଲି !”ମୁଁ କହିଲି,ତାହାର କାନ୍ଧରେ ହାଲକା ଆଘାତ କଲି।ତାହାପରେ ଚଟାପଟ ଉଠିଗଲି ସିଡିରେ,ଆଉ ଅତିଥି ମାନଙ୍କୁ ଅପେକ୍ଷା କରିବା ଘରେ ଚାକରବାକର ମାନଙ୍କ ଚେହେରାରେ ମାତ୍ରାଧିକ ଆତ୍ମନିବେଦନ ଦେଖି ମୋର ମନ ଭରିଗଲା ଏକ ମଧୁର ବିସ୍ମୟରେ।ମୁଁ ସମସ୍ତଙ୍କୁ ଗୋଟିଗୋଟି କରି ଚାହିଁଲି,ସେମାନେ ସେତେବେଳେ ମୋର କୋଟ୍ ଖୋଲି ଦେଉଛନ୍ତି ଆଉ ଜୋତାରୁ ଧୁଳି ଝାଡୁଛନ୍ତି। ତାହାପରେ ଶରୀରକୁ ନିଜର ପୂରା ଉଚ୍ଚତା ଯାଏଁ ଛିଡା କରାଇ ସାରି,ସ୍ୱସ୍ତିର ଏକ ନିଃଶ୍ୱାସ ଛାଡି ଲଂବା ପାହୁଣ୍ଡ ପକାଇ ପଶିଗଲି ସେଇ ହଲ୍ ଘର ଭିତରକୁ…
ଜ୍ୟୋତି ନନ୍ଦ
•••••