ସରକାରୀ ପ୍ରୋତ୍ସାହନ ଅଭାବ : କନ୍ଧମାଳ ଜିଲ୍ଲାର ପ୍ରସିଦ୍ଧ କାଠ ମୁଖା ଲଙ୍କା ପୋଡି ଯାତ୍ରା:  ଭତ୍ତା ପାଇଁ ଗୁହାରି କରି ଥକିଗଲେଣି ନାଟ୍ୟଗୁରୁ ଉପେନ୍ଦ୍ର ବିଶୋଇ

Spread the love
  •  
  •  
  •  
  •  
  •  

 କନ୍ଧମାଳ,20/01.(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ):  ସରକାର ଲୋକକଳାକୁ ବଞ୍ଚାଇ ରଖିବାକୁ ନାନା ପ୍ରକାର ଯୋଜନା ଓ ପ୍ରୋତ୍ସାହନର ବ୍ୟବସ୍ଥା କରୁଛନ୍ତି। ମାତ୍ର ଜିଲ୍ଲାସ୍ତରରେ ପ୍ରାଚୀନ ଲୋକକଳା କିଭଳି ଅବହେଳିତ ଓ ବିଲୁପ୍ତ ହେବାକୁ ବସିଛି ତାହାର ଏକ ଉଦାହରଣ କନ୍ଧମାଳ ଜିଲ୍ଲାରେ ଦେଖିବାକୁ ମିଳିଛି। କନ୍ଧମାଳ ଜିଲ୍ଲାର ଫୁଲବାଣୀ ସଦର ବ୍ଲକ୍‌ ଅନ୍ତର୍ଗତ ବିଶିପଡ଼ାର ପ୍ରସିଦ୍ଧ କାଠମୁଖା ଲଙ୍କାପୋଡ଼ି ଯାତ୍ରା କେବଳ ଜିଲ୍ଲା କାହିଁକି, ରାଜ୍ୟ ଓ ରାଜ୍ୟ ବାହାରେ ମଧ୍ୟ ବେଶ୍‌ ଲୋକପ୍ରିୟ। ବିଶିପଡ଼ାର କାଠ ମୁଖା ଲଙ୍କାପୋଡ଼ି ଯାତ୍ରା କନ୍ଧମାଳ ଜିଲ୍ଲାର ଏକ ସର୍ବପୁରାତନ ଲୋକ ନାଟକ ଭାବେ ସମଗ୍ର ରାଜ୍ୟରେ ପ୍ରସିଦ୍ଧି ଲାଭ କରିପାରିଛି। ବିଶିପଡ଼ାର କାଠମୁଖା ଲଙ୍କାପୋଡ଼ି ଯାତ୍ରା ନୂଆଦିଲ୍ଲୀଠାରୁ ଆରମ୍ଭ କରି ଦେଶର ବିଭିନ୍ନ ସ୍ଥାନରେ ପ୍ରଦର୍ଶିତ ହୋଇ କନ୍ଧମାଳ ଜିଲ୍ଲାର ଗୌରବ ବୃଦ୍ଧି କରିଛି। ସେହିଭଳି ଭୁବନେଶ୍ବର ସମେତ ଭବାନୀପାଟଣା, କୋରାପୁଟ, ଅନୁଗୁଳ, ସମ୍ବଲପୁର ଆଦି ବିଭିନ୍ନ ସ୍ଥାନରେ ମଧ୍ୟ ବିଶିପଡ଼ାର କାଠମୁଖା ଲଙ୍କାପୋଡ଼ି ଯାତ୍ରାର ଆଦର ରହିଛି। ମାତ୍ର ଉପଯୁକ୍ତ ପ୍ରୋତ୍ସାହନ ଅଭାବରୁ ଏହି ଲୋକନାଟକ ଏବେ ବିଲୁପ୍ତ ହେବାକୁ ବସିଲାଣି।୧୮୩୫ ମସିହାରେ ପ୍ରଥମ କରି ବିଶିପଡ଼ାରେ ଏହି କାଠ ମୁଖାପିନ୍ଧା ଲଙ୍କାପୋଡ଼ି ଯାତ୍ରାର ଆରମ୍ଭ ହୋଇଥିଲା। ପିଢ଼ି ପରେ ପିଢ଼ି ସୂତ୍ରରେ ଏହି ଲୋକନୃତ୍ୟକୁ ଆଜିଯାଏ ବଞ୍ଚାଇ ରଖାଯାଇ ପାରିଛି। ବିଶିପଡ଼ା ଗ୍ରାମର ନାଟଗୁରୁ ଉପେନ୍ଦ୍ର ବିଶୋଇ ଏହାକୁ ଆଗେଇ ନେଇ ପାରିଥିଲେ। ଦୀର୍ଘ ୩୦ ବର୍ଷ ଧରି ନାଟଗୁରୁ ଉପେନ୍ଦ୍ର ବିଶୋଇ ନିଃସ୍ବାର୍ଥପର ଭାବେ ଏହି‌ ଲୋକନାଟକଟିକୁ ବଞ୍ଚାଇ ରଖିପାରିଛନ୍ତି। ଉପେନ୍ଦ୍ରଙ୍କ ବୟସ ଏବେ ୭୦ ଏବଂ ବୟସର ଅପରାହ୍ନରେ ପହଞ୍ଚି ମଧ୍ୟ ସେ ଲଙ୍କାପୋଡ଼ି ଯାତ୍ରାର ନିର୍ଦ୍ଦେଶନା ଦେବାକୁ ଭୁଲି ନାହାନ୍ତି। ମାତ୍ର ତାଙ୍କୁ ଆଜିଯାଏ କଳାକାର ଭତ୍ତାଟିଏ ମିଳି ପାରିଲା ନାହିଁ। କଳାକାର ଭତ୍ତା ପାଇଁ ସେ ବିଶିପଡ଼ାରୁ ଜିଲ୍ଲା ସଦରମହକୁମାସ୍ଥିତ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ କାର୍ଯ୍ୟାଳୟକୁ ଧାଇଁ ଧାଇଁ ନୟାନ୍ତ ହୋଇଗଲେଣି। ବାରମ୍ବାର ଜିଲ୍ଲା ସଦରମହକୁମାକୁ ଆସି ଜିଲ୍ଲାପାଳ କିମ୍ବା ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ଭେଟିଲେ ମଧ୍ୟ ତାଙ୍କର କଳାକାର ଭତ୍ତାଟିଏ ଚୂଡ଼ାନ୍ତ ହୋଇପାରିଲା ନାହିଁ। ବୟସାଧିକ କାରଣରୁ ନାଟଗୁରୁ ଉପେନ୍ଦ୍ର ଆଉ ଜିଲ୍ଲାପାଳଙ୍କୁ ସାକ୍ଷାତ କରିବାକୁ ଆସି ପାରୁନାହାନ୍ତି। ଅନ୍ୟପକ୍ଷରେ ଦୀର୍ଘ ବର୍ଷ ଧରି କନ୍ଧମାଳରେ ଜିଲ୍ଲା ସଂସ୍କୃତି ଅଧିକାରୀ ପଦବି ଖାଲି ପଡ଼ିଥିବାରୁ ତାଙ୍କ ପାଇଁ କଳାକାର ଭତ୍ତା ମଧ୍ୟ ସମ୍ଭବପର ହୋଇପାରୁନାହିଁ।ପିଲାଦିନେ ନିଜେ ଉପେନ୍ଦ୍ର ଏହି ଲଙ୍କାପୋଡ଼ି ଯାତ୍ରାରେ ଅଭିନୟ କରି ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଉପେନ୍ଦ୍ର ରାମଚନ୍ଦ୍ର, ସୁଗ୍ରୀବ, ହନୁମାନ ଏବଂ ବେଳେବେଳେ ରାବଣର ପତ୍ନୀ ମନ୍ଦୋଦରୀ ଭୂମିକାରେ ଅଭିନୟ କରି ନିଜର ଅଭିନୟ କଳାର ପରିଚୟ ଦେଇପାରିଛନ୍ତି। ବୟସ ବଢ଼ିବା ସହ ସେ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଥାପିଥିଲେ। ଦୀର୍ଘ ୩୦ ବର୍ଷ ଧରି ଆଜିଯାଏ ସେ ନିର୍ଦ୍ଦେଶନା ଦେଇ ଆସୁଛନ୍ତି। କିନ୍ତୁ ଥକି ପଡ଼ି ନାହାନ୍ତି। ଲଙ୍କାପୋଡ଼ି ଯାତ୍ରାର ମୁଖ୍ୟ ବିଶେଷତ୍ବ ହେଉଛି ଏଥିରେ ବ୍ୟବହାର କରାଯାଉଥିବା କାଠ ନିର୍ମିତ ମୁଖା। ରାବଣ ବ୍ୟବହାର କରୁଥିବା ଦଶମୁଣ୍ଡିଆ କାଠ ମୁଖାଟି ଅତ୍ୟନ୍ତ ଆକର୍ଷଣୀୟ ବୋଲି କହନ୍ତି ଉପେନ୍ଦ୍ର। ସୀତା ଓ ସୁପର୍ଣ୍ଣଖା ଭୂମିକାରେ ଅଭିନୟ କରି ଦିଲ୍ଲୀରୁ ପୁରସ୍କୃତ ହୋଇଥିଲେ ଗୁରୁ ଉପେନ୍ଦ୍ର ବିଶୋଇ। ତାଙ୍କ ଘରେ ଏବେ ଗଦାଗଦା ସାର୍ଟିଫିକେଟ ଓ ପୁରସ୍କାର। ମାତ୍ର ଅର୍ଥାଭାବରୁ ସେ ‌ଏବେ ଦୟନୀୟ ଜୀବନ ବିତାଉଛନ୍ତି। ମାତ୍ର, ସରକାରଙ୍କ ପକ୍ଷରୁ କଳାକାର ଭତ୍ତାଟିଏ ଆଜି ଯାଏ ତାଙ୍କୁ ମିଳିପାରିଲା ନାହିଁ।ବୟସାଧିକ୍ୟ ସହିତ ରୋଗ ଏବେ ଉପେନ୍ଦ୍ରଙ୍କ ଜୀବନକୁ ଦୁର୍ବିସହ କରିଦେଇଛି। ଅର୍ଥାଭାବରୁ ସେ ନିଜର ଚିକିତ୍ସା କରିପାରୁ ନାହାନ୍ତି। ମାତ୍ର ଲଙ୍କାପୋଡ଼ି ଯାତ୍ରାକୁ ସେ ଛାଡ଼ି ପାରି ନାହାନ୍ତି। ତାଙ୍କ ନାଟ ଦଳରେ ଯେଉଁମାନେ ଇନ୍ଦ୍ରଜିତ୍‌, ବିଭୀଷଣ, ହନୁମାନ, ରାବଣ, ଅଙ୍ଗଦ, ମାରିଚ, ଅକ୍ଷୟ କୁମାର, ଜଟାୟୁ ଅଭିନୟ କରୁଛନ୍ତି ସେମାନଙ୍କୁ ମଧ୍ୟ କଳାକାର ଭତ୍ତା ମିଳିନାହିଁ। ବିଶିପଡ଼ା ଲଙ୍କାପୋଡ଼ି ଯାତ୍ରାରେ ସୁଗ୍ରୀବ ଅଭିନୟ କରୁଥିବା କଳାକାର ନାରାୟଣ ବିଶୋଇ ମଧ୍ୟ ଆଜି ଯାଏ କଳାକାର ଭତ୍ତା ପାଇ ନାହାନ୍ତି। ଏମାନେ ସମସ୍ତେ ବୟସ୍କ ଓ ବୃଦ୍ଧ ହୋଇଗଲେଣି। ମାତ୍ର ଜିଲ୍ଲା ପ୍ରଶାସନର ସଂସ୍କୃତି ବିଭାଗ ସେମାନଙ୍କୁ କଳାକାର ଭତ୍ତା ପାଇଁ ଏ ଯାଏ ସୁପାରିଶ କରିନାହିଁ। ତେବେ ଏ ବିଷୟରେ ଉଚିତ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ବୃନ୍ଦା ଡି. ପ୍ରକାଶ କରିଛନ୍ତି।

Related Posts

About The Author

Add Comment