ସଂସଦରେ ପ୍ରତିନିଧିତ୍ୱ କରିବେ ୭୮ ମହିଳା

Spread the love

ନୂଆଦିଲ୍ଲୀ, ୨୫/୫ (ସନ୍ଧାନ ନିୟୁଜ) ୨୦୧୯ ସାଧାରଣ ନିର୍ବାଚନ ଶେଷ ହୋଇ ଫଳ ପ୍ରକାଶ ପାଇଛି। ଜୁନ୍‌ ୩ ପୂର୍ବରୁ ଗଠନ ହେବାକୁ ଥିବା ସପ୍ତଦଶ ଲୋକ ସଭାକୁ ଦେଶର ବିଭିନ୍ନ ଭାଗରୁ ଭିନ୍ନ ଭିନ୍ନ ରାଜନୈତିକ ଦଳର ୭୮ ମହିଳାଙ୍କୁ ମତଦାତା ନିର୍ବାଚିତ କରିଛନ୍ତି। ନିମ୍ନ ସଦନକୁ ଏତେ ସଂଖ୍ୟକ ମହିଳା ପୂର୍ବରୁ କେବେ ନିର୍ବାଚିତ ହୋଇ ନ ଥିଲେ।
ଲୋକ ସଭାରେ କିଛି ଦିନ ମଧ୍ୟରେ ଯେଉଁ ୫୪୨ ଏମ୍‌ପି ଶପଥଗ୍ରହଣ କରିବେ, ସେମାନଙ୍କ ମଧ୍ୟରୁ ୭୮ ହେଉଛନ୍ତି ମହିଳା। କେବଳ ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରୁ ୧୧ ଜଣ ଲେଖାଏ ମହିଳା ଏମ୍‌ପି ଲୋକ ସଭାରେ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଛନ୍ତି। ୭ ପର୍ଯ୍ୟାୟ ସାଧାରଣ ନିର୍ବାଚନରେ ମଇଦାନରେ ୭୨୪ ମହିଳା ପ୍ରାର୍ଥୀ ଥିଲେ। କଂଗ୍ରେସ ସର୍ବାଧିକ ୫୪ ମହିଳାଙ୍କୁ ଟିକେଟ ଦେଇଥିବାବେଳେ ଭାଜପା ୫୩ ଜଣଙ୍କୁ ପ୍ରାର୍ଥୀ କରିଥିଲା। ୧୭ତମ ଲୋକ ସଭାର ୧୪% ଏମ୍‌ପି ମହିଳା। ୧୯୫୨ ମସିହାରୁ ଅଦ୍ୟାବଧି ଏହା ଏକ ରେକର୍ଡ। ଷୋଡ଼ଶ ଲୋକ ସଭାରେ ୬୪ ଓ ପଞ୍ଚଦଶ ଲୋକ ସଭାରେ ୫୨ ମହିଳା ପ୍ରତିନିଧିତ୍ୱ କରୁଥିଲେ। ବର୍ତ୍ତମାନ ୪୧ ସିଟିଙ୍ଗ୍‌ ମହିଳା ଏମ୍‌ପିଙ୍କ ମଧ୍ୟରୁ ୨୭ ଜଣଙ୍କ ମଧ୍ୟରେ ଥିବା ସୋନିଆ ଗାନ୍ଧୀ, ହେମାମାଳିନୀ ଓ କିରନ୍‌ ଖେର ସେମାନଙ୍କ ଆସନରେ ଜିତିଛନ୍ତି। ଅନ୍ୟପକ୍ଷରେ ଭାଜପାର ପ୍ରଜ୍ଞା ସିଂ ଠାକୁର କଂଗ୍ରେସର ଦିଗ୍‌ବିଜୟ ସିଂଙ୍କଠାରୁ ଭୋପାଳ ଓ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କଠାରୁ ଅମେଠି ଆସନ ଛଡ଼ାଇନେବାରେ ସକ୍ଷମ ହୋଇଛନ୍ତି। ଏଥର ଲୋକ ସଭାକୁ ନିର୍ବାଚିତ ହୋଇଥିବା ଅନ୍ୟ ପ୍ରମୁଖ ମହିଳାଙ୍କ ମଧ୍ୟରେ ଅଛନ୍ତି ଡିଏମ୍‌କେର କାନିମୋଝି(ଟୁଟିକୋରିନ୍‌) ଓ ଭାଜପାର ରୀତା ବହୁଗୁଣା ଜୋଷୀ (ଆଲ୍ଲାହାବାଦ)। ସେହିପରି ଅଭିନେତ୍ରୀରୁ ରାଜନେତା ପାଲଟିଥିବା ଲକେଟ ଚାଟାର୍ଜୀ ହୁଗୁଳି ଆସନରୁ ବିଜୟୀ ହୋଇଛନ୍ତି। ବିଏସ୍‌ପି ୨୪, ଟିଏମ୍‌ସି ୨୩, ସିପିଏମ୍‌ ୧୦, ସିପିଆଇ ୪, ଏନ୍‌ସିପି ଜଣେ ମହିଳାଙ୍କୁ ଟିକେଟ ଦେଇଥିଲା। ମଇଦାନରେ ୨୨୨ ମହିଳା ସ୍ବାଧୀନ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହୋଇଥିଲେ। ପ୍ରକାଶ ଯେ, ଲୋକ ସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାଙ୍କୁ ୩୩% ସଂରକ୍ଷଣ ପାଇଁ ପ୍ରସ୍ତାବିତ ବିଲ୍‌ ପାର୍ଲାମେଣ୍ଟରେ ପଡ଼ିରହିଛି।

Related Posts

About The Author

Add Comment