ଶ୍ରୀ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ନୀତି ସମ୍ପନ୍ନ: ଗଜାନନ ବେଶରେ ଦର୍ଶନ ଦେଲେ ମହାବାହୁ I

Spread the love

ବାଲିଗୁଡା, ତା, ୧୧/୦୬/୨୫: (ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ନିର୍ଦ୍ଧାରିତ ରୀତିନୀତି ଅନୁସାରେ ମହାପ୍ରଭୁଙ୍କ ମହା ଦିବ୍ୟସ୍ନାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସକାଳୁ ସକାଳୁ ଶ୍ରଦ୍ଧାଳୁ ମାନଙ୍କ ପ୍ରବଳ ଭିଡ଼ ହୋଇଥିଲା I ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଅଦ୍ୟ ସକାଳ ୫ ଟା’ରେ ମଙ୍ଗଳ ଆଳତୀ, ସୂର୍ଯ୍ୟ ପୂଜା, ଦ୍ଵାରପାଳ ପୂଜା ପରେ ଖେଚୁଡ଼ି ଭୋଗ ଅର୍ପଣ କରାଯାଇଥିଲା । ତାପରେ ଚତୁର୍ଦ୍ଧା ଦାରୁ ବିଗ୍ରହଙ୍କୁ ରତ୍ନ ସିଂହାସନରୁ ଅବତରଣ କରାଯାଇଥିଲା। ସକାଳ ୮ ଟା’ରେ ମଙ୍ଗଳାର୍ପଣ ଓ ବେଶ କରାଯାଇଥିଲା। ପରେ ଶ୍ରୀଜୀଉ ମାନଙ୍କୁ ଧାଡ଼ି ପହଣ୍ଡିରେ ସ୍ନାନ ବେଦୀକୁ ବିଜେ କରାଯାଇଥିଲା। ପୂର୍ବରୁ ରୀତିନୀତି ଅନୁସାରେ କୂଅରୁ ଅଣାଯାଇଥିବା ପବିତ୍ର ଜଳକୁ ଚନ୍ଦନ, ଅଗୁରୁ, କର୍ପୁର, କେଶର ଆଦି ଦିବ୍ୟ ସୁବାସିତ ପଦାର୍ଥ ଦେଇ ମନ୍ତ୍ରପୂତ କରି ୧୦୮ ସୁବାସିତ ଜଳ ସ୍ନାନ ମଣ୍ଡପକୁ ନିଆଯାଇଥିଲା । ଏଥିରେ ଶାଳପର୍ଣ୍ଣି, ନାଗପର୍ଣ୍ଣି, ମଂଚିଷ୍ଟା, ଅଶ୍ଵଗନ୍ଧା, ତ୍ରିଫଳା, ଗରଚନା, କସ୍ତୁରୀ, ଜଟାମାସି, ଜାଇଫଳ, ହରିତାଳ, ଶ୍ରୀକର୍ପୁର, ଅଗୁର, ଚନ୍ଦନ ମିଶ୍ରିତ ଜଳ କରାଯାଇଥିଲା । ପୂଜାର୍ଚ୍ଚନା ପରେ ଶ୍ରୀ ବଳଭଦ୍ରଙ୍କୁ ୩୩, ଶ୍ରୀ ଜଗନ୍ନାଥଙ୍କୁ ୩୫, ଦେବୀ ସୁଭଦ୍ରାଙ୍କୁ ୨୨ ଏବଂ ଶ୍ରୀ ସୁଦର୍ଶନଙ୍କୁ ୧୮ ରୂପା ପୂର୍ଣ୍ଣ କୁମ୍ଭ ଜଳରେ ମହାସ୍ନାନ କରାଯାଇଥିଲା। ତାପରେ ଶ୍ରୀଜୀଉମାନଙ୍କର ଦିବ୍ୟ ଗଜାନନ ବେଶ ଅନୁଷ୍ଠିତ ହୋଇଥିଲା। ଭୋଗ, ଆଳତୀ ପୂଜାର୍ଚ୍ଚନା ପରେ ଏହି ଦିବ୍ୟ ଦୁର୍ଲଭ ବେଶକୁ ଶତାଧିକ ଭକ୍ତ ଏହି ମହାସ୍ନାନ ଜଳ ଟିକକ ପାଇବା ପାଇଁ ଉତ୍କଣ୍ଠାର ସହ ଅନାଇ ରହିଥିଲେ । ବିଶ୍ୱାସ ରହିଛି ଏହି ସ୍ନାନଜଳ ସେବନ କଲେ ଶରୀର ସୁସ୍ଥ ରୁହେ । ସନ୍ଧ୍ୟାରେ ସନ୍ଧ୍ୟା ଆଳତୀ, ଦକ୍ଷିଣ ଆଳତୀ ପରେ ଅଣସର ଘରକୁ ରାତ୍ରରେ ତିନି ଠାକୁର ଗୋଟି ପହଣ୍ଡି ବିଜେ କରିଥିଲେ । ପ୍ରକାଶ ଥାଉ କି, ଆଜିଠାରୁ ଦଶ ଦିନ ଧରି ଅଣସର ରେ ଠାକୁର ରହିବେ I ଏଣୁ ଆଉ ଜଗା ଦର୍ଶନ ହୋଇପାରିବନି l ସେଥିପାଇଁ ଭକ୍ତ ଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଦେଖା ଦେଇଥିଲା I ଆଜି ଜ୍ୟେଷ୍ଠ ପୂର୍ଣ୍ଣିମା ହୋଇଥ‌ିବାରୁ ଘର ର ବଡ଼ ମାନେ ନୂଆଁ ବସ୍ତ୍ର ପରିଧାନ କରି ଠାକୁରଙ୍କୁ ଦର୍ଶନ କରିବା ସଙ୍ଗେ ସଙ୍ଗେ ପୂଜାର୍ଚ୍ଚନା କରିଥିଲେ I ଏଥିରେ ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା ଟ୍ରଷ୍ଟ ର ଟି. ଶ୍ରୀନିବାସ ରାଓ, ମଧୁସୂଦନ ଦାସ, ଲୋକନାଥ ପାଢ଼ୀ, ପୂଜକ ମହେଶ୍ୱର ପଣ୍ଡା, ପର୍ଶୁରାମ ବାହିନୀ, ବ୍ରାହ୍ମଣ ସମିତି ର ସମସ୍ତ ସଦସ୍ୟ ଙ୍କ ସମେତ ଶତାଧିକ ଭକ୍ତ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l

Related Posts

About The Author

Add Comment