ଲୋକପାଳ ନିଯୁକ୍ତିକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ କ୍ଷୁବ୍ଧ, କେନ୍ଦ୍ର ସରକାରଙ୍କୁ କେବେ ଲୋକପାଳ ନିଯୁକ୍ତି ହେବ ପ୍ରଶ୍ନ କଲେ?

Spread the love

ନୂଆଦିଲ୍ଲୀ, ୨/୭ (ସନ୍ଧାନ ନିଉଜ୍ ) : ଲୋକପାଳ ନିଯୁକ୍ତିକୁ ନେଇ କାଳକ୍ଷେପଣ ନୀତି ଅବଲମ୍ବନ କରୁଥିବା କେନ୍ଦ୍ର ସରକାରଙ୍କ ଉପରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ କ୍ଷୁବ୍ଧ ହୋଇଛନ୍ତି। ସୁପ୍ରିମକୋର୍ଟ କେବେ ଲୋକପାଳ ନିଯୁକ୍ତି ହେବ ବୋଲି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିବା ସହ ଏନେଇ ୧୦ ଦିନ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦେଶ ଦେଇଛନ୍ତି। ଜଷ୍ଟିସ୍‍ ରଞ୍ଜନ ଗୋଗୋଇ ଏବଂ ଭାନୁମତିଙ୍କ ଖଣ୍ଡପୀଠ ଲୋକପାଳ ନିଯୁକ୍ତି ପାଇଁ ନିଆଯିବାକୁ ଥିବା ସମ୍ଭାବ୍ୟ ପଦକ୍ଷେପ ନେଇ ଏକ ସତ୍ୟପାଠ ଦାଖଲ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। କୋର୍ଟରେ କେନ୍ଦ୍ର ସରକାରଙ୍କ ପକ୍ଷ ରଖୁଥିବା ଆଟର୍ଣ୍ଣି ଜେନେରାଲ କେକେ ଭେଣୁଗୋପାଳନ ଖଣ୍ଡପୀଠ ନିକଟରେ ଲୋକପାଳ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କଠାରୁ ପ୍ରାପ୍ତ ପତ୍ରକୁ ଦାଖଲ କରିଥିଲେ। ଖୁବଶୀଘ୍ର ଲୋକପାଳ କମିଟିର ବୈଠକ ହେବ ଏବଂ ଏଥିପାଇଁ ପ୍ରକ୍ରିୟା ଜାରି ରହିଛି ବୋଲି ସେ ପ୍ରକାଶ କରିଥିଲେ। ଅପରପକ୍ଷରେ ଆବେଦକଙ୍କ ପକ୍ଷ ରଖଥିବା ଶାନ୍ତି ଭୂଷଣ କହିଥିଲେ ଯେ ୨୦୧୩ ଜାନୁଆରୀରୁ ଲୋକପାଳ ବିଲ୍‍ ପାରିତ ହୋଇଛି। ଇତି ମଧ୍ୟରେ ସାଢେ ୪ ବର୍ଷ ବିତିଗଲାଣି। ତେଣୁ ସମ୍ବିଧାନ ଧାରା ୧୪୨ ଅନୁସାରେ କୋର୍ଟ ନିଜ ଅଧିକାରର ବ୍ୟବହାର କରିବାର ସମୟ ଆସିଯାଇଛି। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଖଣ୍ଡପୀଠ ଆସନ୍ତା ଶୁଣାଣି ପାଇଁ ଜୁଲାଇ ୧୭କୁ ତାରିଖ ଧାର୍ଯ୍ୟ କରିଛନ୍ତି।

Related Posts

About The Author

Add Comment