ସତ୍ଯଯୁଗରେ ସନତକୁମାର ନାମରେ ଜଣେ ମହର୍ଷି ଥିଲେ । ସନତକୁମାର ହେଉଛନ୍ତି ବ୍ରହ୍ମାଙ୍କର ପୁତ୍ର । ସନତକୁମାର ଥିଲେ ସୂର୍ଯ୍ୟଙ୍କ ପରି ତେଜସ୍ବୀ ।
ଦିନେ ସନତକୁମାର ନିଜ ଆସନରେ ବସିଥିଲା ବେଳେ ରାବଣ ଆସି ତାଙ୍କ ପାଦତଳେ ପଡି ନମସ୍କାର କରି ପଚାରିଲା ହେ ମୁନିବର ଆପଣ ଦୟାବହି ମୋତେ କହନ୍ତୁ ସବୁ ଦେବତାଙ୍କ ମଧ୍ଯରେ କିଏ ବଡ ? ଲୋକେ କାହାକୁ ସବୁବେଳେ ଧ୍ଯାନ କରନ୍ତି ? ମୁନି ଋଷିମାନେ ଲକ୍ଷ ଲକ୍ଷ ବର୍ଷ ଧରି କାହାର ସ୍ବରୂପକୁ ଚିନ୍ତାକରୁଥାନ୍ତି ? କାହା ବଳରେ ଦେବତାମାନେ ଶତ୍ରୁ ଜୟକରନ୍ତି ? କାହା ରୂପକୁ ଦେଖି ଲୋକେ ମୁକ୍ତିଲାଭ କରନ୍ତି ? ରାବଣର ଏହିସବୁ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବ୍ରହ୍ମର୍ଷି ସନତକୁମାର କହିଲେ ସବୁ ଦେବତାଙ୍କ ମଧ୍ଯରେ ବିଷ୍ଣୁ ହିଁ ବଡ ଅଟନ୍ତି । ବିଷ୍ଣଙ୍କୁ ଲୋକେ ସଦାସର୍ବଦା ଧ୍ଯାନ କରୁଥାନ୍ତି । ମୁନି ଋଷିମାନେ ଲକ୍ଷ ଲକ୍ଷ ବର୍ଷଧରି ବିଷ୍ଣୁଙ୍କ ସ୍ବରୂପକୁ ଚିନ୍ତା କରୁଥାନ୍ତି । ବିଷ୍ଣୁଙ୍କ ବଳରେ ଦେବତାମାନେ ଶତ୍ରୁ ଜୟକରନ୍ତି । ବିଷ୍ଣୁଙ୍କ ରୂପକୁ ଦେଖି ଲୋକେ ମୁକ୍ତିଲାଭ କରନ୍ତି । ବିଷ୍ଣୁ ହେଉଛନ୍ତି ଜଗତର ପାଳନକର୍ତ୍ତା । ବିଷ୍ଣୁଙ୍କର ଆଦିଅନ୍ତ ନାହିଁ । ତେଣୁ ବିଷ୍ଣୁଙ୍କୁ ସମସ୍ତେ ସବୁବେଳେ ପୂଜାକରୁଥାନ୍ତି । ଏହା ଶୁଣି ରାବଣ ପଚାରିଲା ଯେଉଁମାନେ ବିଷ୍ଣୁଙ୍କଦ୍ବାରା ନିହତ ହୁଅନ୍ତି ଅନ୍ତଃକାଳରେ ସେମାନଙ୍କର କି ଗତି ହୁଏ ?
ରାବଣର ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବ୍ରହ୍ମର୍ଷି ସନତକୁମାର କହିଲେ ଦେବତାମାନଙ୍କ ଦ୍ବାରା ଯେଉଁମାନେ ନିହତ ହୁଅନ୍ତି ସେମାନଙ୍କର ସ୍ବର୍ଗଲାଭ ହୁଏ । ସେମାନେ ସ୍ବର୍ଗପୁରରେ ରହି ସ୍ବର୍ଗସୁଖ ଲାଭ କରନ୍ତି । ମାତ୍ର ସେମାନଙ୍କର ପୁନର୍ଜନ୍ମ ହୁଏ । ସେମାନେ ପୁଣି ମର୍ତ୍ତ୍ଯଲୋକରେ ଜନ୍ମଲାଭ କରି ପୂର୍ବାଜିତ କର୍ମଫଳସବୁ ଭୋଗକରନ୍ତି । କିନ୍ତୁ ଯେଉଁମାନେ ବିଷ୍ଣୁଙ୍କ ଦ୍ବାରା ନିହତ ହୁଅନ୍ତି ସେମାନେ ବିଷ୍ଣୁଙ୍କ ଶରୀରରେ ଲୀନ ହୋଇ ଯା’ନ୍ତି । ସେମାନଙ୍କର ଆଉ ପୁନର୍ଜନ୍ମ ହୁଏ ନାହିଁ । ଏହାଶୁଣି ରାବଣ ମନେ ମନେ ଭାବିଲା ଯୁଦ୍ଧରେ ମୁଁ ବିଷ୍ଣଙ୍କୁ କିପରି ଭେଟିପାରିବି ।
ରାବଣର ମନକଥା ଜାଣିପାରି ସନତକୁମାର କହିଲେ କାହିଁକି ଭାବନା କରୁଚ । କିଛିକାଳ ଅପେକ୍ଷା କର । ତୁମେ ନର ରୂପରେ ଜନ୍ମିଥିବା ମହାବିଷ୍ଣୁଙ୍କର ଦର୍ଶନ ପାଇବ । ସେହି ମହାବିଷ୍ଣୁ ଜଗତର ମଙ୍ଗଳ ପାଇଁ ଅଯୋଧ୍ୟାର ରାଜା ଦଶରଥଙ୍କର ପୁତ୍ରରୂପେ ଜନ୍ମଲାଭ କରିବେ । ବିଷ୍ଣୁଙ୍କର ପତ୍ନୀ ମହାଲକ୍ଷ୍ମୀ ସେହି ସମୟରେ ସୀତା ରୂପରେ ଜାତ ହେବେ ଓ ରାମଚନ୍ଦ୍ରଙ୍କୁ ବିବାହ କରିବେ । ପିତୃସତ୍ଯ ପାଳିବା ସକାଶେ ରାମ ଚଉଦ ବର୍ଷ ପାଇଁ ବନବାସ କରିବେ । ସେହି ସମୟରେ ତୁ ରାମରୂପୀ ବିଷ୍ଣୁଙ୍କର ଦର୍ଶନ ପାଇବୁ ।
ଏହାଶୁଣି ରାବଣ ମନେ ମନେ ସ୍ଥିର କଲା ମୁଁ ରାମଙ୍କ ସହିତ ଯୁଦ୍ଧ କରି ରାମଙ୍କ ହାତରେ ମରିବି । ଏହି କଥା ମନ ମଧ୍ଯରେ ଭାବି ରାବଣ ବ୍ରହ୍ମର୍ଷି ସନତକୁମାରଙ୍କଠାରୁ ବିଦାୟ ନେଇ ଲଙ୍କାକୁ ଫେରିଆସିଲା ।
Collection by Anita Behera