ରସୁଲପୁର, ୨୮/୨ (ସନ୍ଧାନ ନିଉଜ/ଜଗମୋହନ ରାଉତ) ମଦମୁକ୍ତ ସମାଜ ଗଠନ ଆହ୍ୱାନ ଦେଇ ମିଳିତ ନିଶାନିବାରଣ ଅଭିଜାନ(ମୋନା) ରାଜରାସ୍ତାକୁ ଓହ୍ଲାଇଛି । ଆନେ୍ଦାଳନକାରୀମାନେ ସମାଜରୁ ମଦ ହଟିବ ନଚେତ ନବୀନ ଗାଦିରୁ ହଟିଯାଅ ଦାବି ଜୋର ଧରିଛି । ମଦ କାରବାରରୁ ସରକାରଙ୍କୁ ରାଜସ୍ୱ ଆଦାୟ ଚିନ୍ତା ଘାରିଛି । ଅପରପକ୍ଷରେ ମଦ ଗରୀବ ଓ ମଧ୍ୟବର୍ତ୍ତୀ ବର୍ଗ ପରିବାରକୁ ପ୍ରଭାବିତ କରୁଛି । ସେଥିରୁ ସେମାନଙ୍କୁ ମୁକ୍ତିଦେବା ଚିନ୍ତା ସଂଗଠନକୁ ଘାରିଛି । ନିର୍ବାଚନ ପୂର୍ବରୁ ଗାଁ ରୁ ସହର ସବୁ ମଦମୁକ୍ତ ପାଇଁ ଦାବି କରି ସଂଗଠନ ପକ୍ଷରୁ ପଦଯାତ୍ରା ଆରମ୍ଭ ହୋଇଛି । ଏହି କ୍ରମରେ ପଦଯାତ୍ରୀମାନେ ୧୧ଟି ଜିଲା ପରିକ୍ରମାକରି ପୁନଃର୍ବାର ଭୂବନେଶ୍ୱରରେ ପହଁଚିବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଏ ସମସ୍ତ ଜିଲାରେ ଆନେ୍ଦାଳନାକାରୀମାନେ ୧୧୦୦ କି.ମି. ଦୂରତା ଅତିକ୍ରମ କରିବେ । ପ୍ରତ୍ୟେକ ଜିଲାରେ ସମାବେଶ କରି ମଦ ବିରୋଧୀ ଆନେ୍ଦାଳନକୁ ତ୍ୱାରାନ୍ୱିତ କରାଯିବ । ଆନେ୍ଦାଳନକାରୀମାନେ ଗାଁ ଗଣ୍ଡାରେ ବୁଲି ମଦ ବନ୍ଦ କରିବା ଦିଗରେ ଜନ ସଚେତନତା ସୃଷ୍ଟି କରିବେ । ଏଥି ପାଇଁ ସଂଗଠନ ପକ୍ଷରୁ ୨୩ଫେବୃଆରୀ ରୁ ଭୂବନେଶ୍ୱର ସ୍ଥିତି ମହାତ୍ମାଗାନ୍ଧି ମାର୍ଗଠାରୁ ପଦଯାତ୍ରା ଆରମ୍ଭ ହୋଇଛି । ପଂଚାୟତରାଜ ଦିବସ(ମାର୍ଚ୍ଚ ୫ତାରିଖ) ରେ ମଦ ବିରୋଧୀ ନେତା ଓ କର୍ମୀ ଭୂବନେଶ୍ୱରରେ ପହଁଚି ଆନେ୍ଦାଳନ କରିବେ । ଏ ନେଇ ସଂଗଠନ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା ଜିଲା ଅତିକ୍ରମ କରି ଯାଜପୁରରେ ପହଁଚିଛି । ଆଜି ଆନେ୍ଦାଳନକାରୀମାନେ କୁଆଖିଆ ବଜାରଠାରେ ପହଁଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବଜାର ନିକଟସ୍ଥ ସାରଙ୍ଗପୁର, ସାନ ଓରାଳି, ଚଣ୍ଡିପୁର, ନତିପୁର, ରସୁଲପୁର, କୁଆଖିଆ, ଓରାଳି ପ୍ରଭୃତି ଗାଁ ପରିକ୍ରମା କରିଥିଲେ । ସଂଗଠନର ପ୍ରମୁଖ ରମାକାନ୍ତ ମଣ୍ଡଳ, ବିଶ୍ୱଜିତ୍ ମହାନ୍ତି, ପ୍ରିୟନାଥ ଆଚାର୍ଯ୍ୟ, ମଳୟ ତ୍ରିପାଠୀ, କାହ୍ନୁଚରଣ ବେହୁରା, ଇନ୍ଦୁମତି ସାହୁ, ସତ୍ୟବ୍ରତ ପୃଷ୍ଟି, ବସନ୍ତ ଖୁଣ୍ଟିଆ, ଉମାକାନ୍ତ ବେହେରା, ସୌୟମ ମହାନ୍ତି, କାଂଚନବାଳା ପତି, ବନ୍ଦିତା ଦାସ, ଉଦୟ ଧଳଙ୍କ ସମେତ ହଜାରୁ ଉର୍ଦ୍ଧ ମହିଳା ଶୋଭାଯାତ୍ରା ସାମିଲ ହୋଇ ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲେ । ଶୋଭାଯାତ୍ରାକାରୀଗଣ ସରକାର ବିରୋଧୀ ନାନା ସ୍ଲୋଗାନ ମାନ ଦେଇଥିଲେ । ମଦ ମୁକ୍ତ ସମାଜ ଗଠନ ନଚେତ ଭୋଟ ବର୍ଜନ ବୋଲି ନାରା ଦେଇଥିଲେ ।
ରାଜରାସ୍ତାରେ ଗର୍ଜିଲେ ମଦ ବିରୋଧୀ, ମଦମୁକ୍ତ ସମାଜ ଗଠନ ନଚେତ ଭୋଟ ବର୍ଜନ
|
February 28, 2019 |