ରାଜନଗର: ୪୦ କୁମ୍ଭୀର ଅଣ୍ଡା ଭିତରକନିକାରୁ ନନ୍ଦନକାନନ ଯିବ

Spread the love
  •  
  •  
  •  
  •  
  •  

ରାଜନଗର (ସନ୍ଧାନ ନିୟୁଜ): ଭିତରକନିକା ଜାତୀୟ ଉଦ୍ୟାନରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ୪୦ଟି କୁମ୍ଭୀର ଅଣ୍ଡା ପଠାଯିବ। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବଉଳା କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ନିମନ୍ତେ ଏଭଳି ପଦକ୍ଷେପ ନିଆଯାଇଛି। ଆସନ୍ତା ସପ୍ତାହକ ମଧ୍ୟରେ ଭିତରକନିକାରୁ ନନ୍ଦନକାନନ କର୍ତ୍ତୃପକ୍ଷ ଏହି ଅଣ୍ଡା ସଂଗ୍ରହ କରିବେ ବୋଲି ରାଜନଗର ବନବିଭାଗ ସୂତ୍ରରୁ ଜଣାପଡିଛି।

ଭିତରକନିକାରେ ଏବେ ଲୁଣିପାଣି କୁମ୍ଭୀର ବା ବଉଳାକୁମ୍ଭୀରଙ୍କ ପ୍ରଜନନ ଋତୁ ଚାଲିଛି। ମେ’ ମାସରୁ ମା’ କୁମ୍ଭୀରମାନେ ଭିତରକନିକାରେ ବସାବାନ୍ଧି ଅଣ୍ଡା ଦେବାରେ ଲାଗିଛନ୍ତି। ଏହି ପ୍ରକ୍ରିୟା ଜୁଲାଇ ଯାଏଁ ଚାଲିବ। ଚଳିତ ବର୍ଷ ଆଜି ସୁଦ୍ଧା ଭିତରକନିକାରେ ୮୫ଟି କୁମ୍ଭୀର ବସା ଚିହ୍ନଟ ହୋଇଛି। ଜୁଆର ମାଡ଼ ଦ୍ୱାରା ନଷ୍ଟ ହୋଇଯାଇଥିବା କୁମ୍ଭୀରବସାରୁ ସଂଗୃହୀତ ଅଣ୍ଡା ମଧ୍ୟରୁ ୪୦ଟି ନନ୍ଦନକାନନ ଯିବ। ପି.ସି.ସି.ଏଫ୍‌.ଙ୍କ ପକ୍ଷରୁ ଏ ନେଇ ରାଜନଗର ଡି.ଏଫ୍‌.ଓ.ଙ୍କୁ ଅବଗତ କରାଯାଇଛି।

ରାଜନଗର ଡିଏଫ୍‌ଓ କନିକା ରେଂଜ ଅଫିସରଙ୍କୁ ନଷ୍ଟ ହୋଇଥିବା କୁମ୍ଭୀର ବସା ଠାବ କରିବା ସହ ଏ ନେଇ ପ୍ରସ୍ତୁତ ରହିବାକୁ ଚିଠି ଲେଖି ଜଣାଇଛନ୍ତିି। ମିଳିଥିବା ସୂଚନା ମୁତାବକ କନିକା ରେଂଜ ଅଞ୍ଚଳରେ ବଉଳାକୁମ୍ଭୀର ୮୨ଟି ବସା ବାନ୍ଧି ଅଣ୍ଡା ଦେଇଛନ୍ତି। ସେଥିମଧ୍ୟରୁ କାଳିଭଂଜଡିଆ ଅଞ୍ଚଳରେ ଦୁଇଟି କୁମ୍ଭୀର ବସା ଜୁଆର ମାଡରେ ନଷ୍ଟ ହୋଇଯାଇଛି। ସେହି ବସା ନିକଟରେ ମା’ କୁମ୍ଭୀର ଏବେବି ଜଗି ରହିଛି। ସେଠାରୁ ମା’ କୁମ୍ଭୀର ଯିବା ପରେ ସେହି ନଷ୍ଟ ହୋଇଥିବା ବସାରୁ ଅଣ୍ଡା ସଂଗ୍ରହ କରାଯିବ। ସେଥିମଧ୍ୟରୁ ୪୦ଟି କୁମ୍ଭୀର ଅଣ୍ଡା ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ଦିଆଯିବ। ଅବଶିଷ୍ଟ ଅଣ୍ଡାକୁ ଡାଙ୍ଗମାଳ କୁମ୍ଭୀର ପ୍ରଜନନକେନ୍ଦ୍ରରେ କୃତ୍ରିମ ଉପାୟରେ ଛୁଆ ଫୁଟାଯିବ ବୋଲି ବନବିଭାଗ ସୂତ୍ରରୁ ଜଣାପଡିଛି। ଖରଖରିପତ୍ର ଓ କୁଟାରେ ଘୋଡ଼ାଇ ଅଣ୍ଡାଗୁଡିକୁ ନନ୍ଦନକାନନ ନିଆଯିବ ବୋଲି କୁହାଯାଇଛି।

ସୂଚନା ଥାଉ କି, ୧୯୭୫ରେ ୫୦ ଲକ୍ଷ ଟଙ୍କା ବ୍ୟୟରେ ଦେଶର ପ୍ରଥମ ବଉଳା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ର ଆରମ୍ଭ ହୋଇଥିଲା। ମାତ୍ର ୪ଟି ବଉଳା କୁମ୍ଭୀରଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଯୋଜନା ଯୋଗୁଁ ଭିତରକନିକାରେ ବଉଳା କୁମ୍ଭୀରଙ୍କ ସଂଖ୍ୟା ୧୬୯୮ରେ ପହଞ୍ଚିିଛି।

Related Posts

About The Author

Add Comment