ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଜିଲ୍ଲାପାଳ, ଟ୍ରେଜେରୀ, ମନ୍ଦିର ପ୍ରଶାସନ, ଆଇନ ମନ୍ତ୍ରୀ, ସେବାୟତଙ୍କ ଭିନ୍ନ ଭିନ୍ନ ମତ ରଖିବା ସନ୍ଦେହକୁ ଆହୁରି ଦୃଢୀଭୂତ କରୁଛି । ବାସ୍ତବରେ ଏହି ଘଟଣା ପାଇଁ କିଏ ଦାୟୀ ଏବଂ ଦୋଷୀ ବିରୁଦ୍ଧରେ କଣ ଦଣ୍ଡବିଧାନ ରହିବ ସେ ନେଇ ମୁଖ୍ୟମନ୍ତ୍ରୀ ଜନସାଧାରଣରେ ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି । ପୂର୍ବରୁ ନବକଳେବର ବ୍ରହ୍ମ ବିଭ୍ରାଟରେ ସମୟରେ ଶାସକ ଦଳର ନେତାମାନଙ୍କର ସଂପୃକ୍ତି ରହିଥିବାର ଗୁରୁତର ଅଭିଯୋଗ ରହିଛି । ରାଜ୍ୟ ସରକାର ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ସେହିପରି ନିଳାଦ୍ରି ବିଜେ ସମୟରେ ହୋଇଥିବା ବିଶୃଙ୍ଖଳାର ସମାଧାନ ସରକାର କରିପାରିଲେ ନାହିଁ । ଏବେ ରତ୍ନ ଭଣ୍ଡାର ଚାବି ହଜିବା ଶାସକ ଦଳର ସଂପୃକ୍ତିକୁ ଆହୁରି ସନ୍ଦେହ ଘେରରେ ପକାଉଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି । ରତ୍ନ ଭଣ୍ଡାରର ସୁରକ୍ଷା ପ୍ରସଙ୍ଗରେ ସଂପୂର୍ଣ୍ଣ ତଥ୍ୟ ଜାଣିବା ରାଜ୍ୟବାସୀଙ୍କ ଅଧିକାର ରହିଛି । ରାଜ୍ୟର ମୁଖିଆ ଭାବେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଆଗରେ ଏହି ଘଟଣାର ସତ୍ୟାସତ୍ୟ ସଂପର୍କରେ ତୁରନ୍ତ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପ୍ରବକ୍ତା ଗୋଲକ ମହାପାତ୍ର ଉପସ୍ଥିତ ଥିଲେ ।