ରଘୁନାଥ ମହାପାତ୍ର ; ଏକ ସଂକ୍ଷିପ୍ତ ପରିଚୟ


୧୯୪୩ ମସିହା ୨୩ ମାର୍ଚ୍ଚରେ ପୁରୀରେ ଜନ୍ମିତ ରଘୁନାଥ ମହାପାତ୍ର ମାତ୍ର ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଲାଭ କରିଛନ୍ତି । ପରେ ମୂର୍ତ୍ତି ତିଆରି କରୁଥିବା ନିଜ ଅଜାଙ୍କ ପାଖକୁ ଚାଲି ଆସିଥିଲେ। ୧୯୭୬ରେ ତତ୍କାଳୀନ ରାଷ୍ଟ୍ରପତି ଫକରୁଦ୍ଦିନ ଅଲୀ ଅହମ୍ମଦ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ। ପୁଣି ୨୦୦୧ରେ ପଦ୍ମଭୂଷଣ ଏବଂ ୨୦୧୩ରେ ଶ୍ରୀ ମହାପାତ୍ର ପଦ୍ମବିଭୂଷଣରେ ସମ୍ମାନିତ ହୋଇଥିଲେ। ୨୦୦୦ରେ ତାଙ୍କୁ ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦର ସଦସ୍ୟ ଭାବେ ବିଦେଶ ମନ୍ତ୍ରଣାଳୟ ଦ୍ୱାରା ମନୋନିତ କରାଯାଇଥିଲା। ସେ ଜଣେ ବରିଷ୍ଠ ପ୍ରଶିକ୍ଷକ ଏବଂ ହସ୍ତଶିଳ୍ପ ପ୍ରଶିକ୍ଷକ ଏବଂ ଡିଜାଇନ କେନ୍ଦ୍ରର ଅଧୀକ୍ଷକ ଭାବେ ଓଡ଼ିଶା ସରକାରଙ୍କ ଅଧିନରେ ୧୯୬୩ରୁ କାର୍ଯ୍ୟ କରିଛନ୍ତି। ଏହି ସମୟରେ ମୂର୍ତ୍ତିକଳା ପାଇଁ ତାଙ୍କୁ ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି।
ଦ୍ୱିତୀୟ କୋଣାର୍କର ଭୂମିପୂଜନ
ପୁରୀ-ଭୁବନେଶ୍ୱର ରାସ୍ତା ସାକ୍ଷିଗୋପାଳଠାରେ ଦ୍ୱିତୀୟ କୋଣାର୍କ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ ସମ୍ପନ୍ନ ହୋଇଛି। ବିଶିଷ୍ଟ ପ୍ରସ୍ତର ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ଅବସରରେ ତାଙ୍କର ଏହି ମହତ୍ୱାକାଂକ୍ଷୀ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ୧୦୦ ଏକରରେ ଏହି ମନ୍ଦିର ତୋଳାଯିବ। ଆଦିତ୍ୟ ନାରାୟଣ ଚାରିଟେବୁଲ ଟ୍ରଷ୍ଟ ନାମରେ ଆଦିତ୍ୟ ନାରାୟଣ ମନ୍ଦିର ତୋଳିବାର ସ୍ୱପ୍ନ ସାକାର କରିବାକୁ ଯାଉଛନ୍ତି ଶ୍ରୀ ମହାପାତ୍ର। ବର୍ଷା ପରେ ମନ୍ଦିର ତୋଳା କାର୍ଯ୍ୟ ଆରମ୍ଭ ହେବ। ମନ୍ଦିର ତୋଳିବା ପାଇଁ ୬୦୦ କାରିଗର ନିୟୋଜିତ ହେବେ। ଏହି ମନ୍ଦିର ବେଢ଼ାରେ କୋଣାର୍କ ଶୈଳୀରେ ଦ୍ୱିତୀୟ କୋଣାର୍କ ମନ୍ଦିର ଗଢ଼ାଯିବା ସହିତ ଓଡ଼ିଶାର ପ୍ରସିଦ୍ଧ ରାଜାରାଣୀ ମନ୍ଦିର, କୋଣାର୍କର ଛାୟାମନ୍ଦିର ଶୈଳୀରେ ଅମ୍ବିକା ମନ୍ଦିର, ପୁରୁଣାଭୁବନେଶ୍ୱରର ତିନି ମୁଣ୍ଡିଆ ଛକରେ ଥିବା ବୈତାଳ ମନ୍ଦିର ଓ ବ୍ରହ୍ମେଶ୍ୱର ଛକରେ ଥିବା ବ୍ରହ୍ମେଶ୍ୱର ମନ୍ଦିର ଆଦି ନିର୍ମାଣ ଯୋଜନା ରଖିଛନ୍ତି।
Related Posts
About The Author