ଯାଜପୁରରେ ରାଜ୍ୟସ୍ତରୀୟ ବିପର୍ଯ୍ୟୟ ପରବର୍ତ୍ତୀ ଆବଶ୍ୟକତା ଆକଳନ (PDNA) ଦଳର ସମୀକ୍ଷା ବୈଠକ ଅନୁଷ୍ଠିତ

Spread the love

ଆସନ୍ନ ବାତ୍ୟା ମୁକାବିଲା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ହାଇ-ଆଲର୍ଟରେ; କର୍ମଚାରୀଙ୍କ ଛୁଟି ବାତିଲ
ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗ୍ରାମାଞ୍ଚଳ ରାସ୍ତା ଓ ୬୦ଟି ବିଦ୍ୟାଳୟର ବନ୍ୟା ସୁରକ୍ଷା ଭିତ୍ତିଭୂମି ନିର୍ମାଣକୁ ପ୍ରାଥମିକତା

ଯାଜପୁର, : ୧୯/୧୧/୨୬ (ସନ୍ଧାନ ନ୍ୟୁଜ) ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDMA)ର ୨୫ ଜଣିଆ ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ଦଳ ପକ୍ଷରୁ ଯାଜପୁର ଜିଲ୍ଲାର ବିଞ୍ଝାରପୁର, ଦଶରଥପୁର ଓ ଅନ୍ୟାନ୍ୟ ବାତ୍ୟା ପ୍ରବଣ ଅଞ୍ଚଳରେ କରାଯାଇଥିବା ବିପର୍ଯ୍ୟୟ ପରବର୍ତ୍ତୀ ଆବଶ୍ୟକତା ଆକଳନ (PDNA)ର ଏକ ସମୀକ୍ଷା ବୈଠକ ଆଜି ଅପରାହ୍ଣ ୪ ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଓସଡମାର ସାଧାରଣ ପରିଚାଳକ (ପ୍ରଶାସନ) ଡଃ ସୁନୀତା ଜେନା ଯୋଗଦେଇ ବିଭିନ୍ନ ବିଭାଗୀୟ କ୍ଷୟକ୍ଷତି ଓ ପୁନର୍ଗଠନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ବିଶେଷକରି ଜଳସେଚନ, ଜଳ ନିଷ୍କାସନ, ରାସ୍ତା ଓ ସେତୁ, ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଆଦି ୫ଟି ପ୍ରମୁଖ କ୍ଷେତ୍ର ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଦୁର୍ବଳ ନଦୀବନ୍ଧଗୁଡ଼ିକର ଉଚ୍ଚତା ବୃଦ୍ଧି, ତଳିଆ ଅଞ୍ଚଳ ସମେତ ସମତଳ ଅଞ୍ଚଳରେ ଜଳ ନିଷ୍କାସନ ବ୍ୟବସ୍ଥାର ନିର୍ମାଣ ଓ ନିୟମିତ ତଦାରଖ ଉପରେ ଗୁରୁତ୍ୱ ଦିଆଯାଇଥିଲା। ସେହିପରି ରାସ୍ତା ପ୍ରଶସ୍ତିକରଣ, ରାସ୍ତାପାର୍ଶ୍ୱ ବକ୍ସ କଲଭର୍ଟ ନିର୍ମାଣ ଏବଂ ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗ୍ରାମ ପଞ୍ଚାୟତ ସ୍ତରର ସମସ୍ତ ରାସ୍ତା ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବନ୍ୟା ସମୟରେ ନିରବଚ୍ଛିନ୍ନ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଉପ-ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକର ପିଣ୍ଡିକୁ ସୁରକ୍ଷିତ ସ୍ତରଠାରୁ ଉପରକୁ ଉଠାଇବା ସହ ବନ୍ୟା ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାର ୬୦ଟି ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ବିଦ୍ୟାଳୟର ଢାଞ୍ଚାଗତ ପରିବର୍ତ୍ତନ ଏବଂ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ କରିବା ଉପରେ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଓସଡମାର ସାଧାରଣ ପରିଚାଳକ ଡଃ ଜେନା ସାମୟିକ ବ୍ୟବସ୍ଥା ପରିବର୍ତ୍ତେ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ। ବୈଠକରେ ଜିଲ୍ଲାପାଳ ଶ୍ରୀ କର ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିଜ ନିଜ ବିଭାଗର କାର୍ଯ୍ୟର ବିସ୍ତୃତ ରିପୋର୍ଟ ଦାଖଲ କରିବା ସହ ସମସ୍ତ ପରିସଂଖ୍ୟାନଗତ ତଥ୍ୟକୁ ସଠିକ୍ ଭାବେ ଲିପିବଦ୍ଧ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଆସନ୍ତା ୬ ଦିନ ପରେ ଏହାର ପରବର୍ତ୍ତୀ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି। ଆସନ୍ନ ବାତ୍ୟା ପାଇଁ ଯାଜପୁର ଜିଲ୍ଲା ଅରେଞ୍ଜ ଜୋନ୍ (Orange Zone) ଅନ୍ତର୍ଭୁକ୍ତ ହୋଇଥିବାରୁ ସମସ୍ତ ବିଭାଗକୁ ସବୁ ଦିଗରୁ ବାତ୍ୟାର ତୀବ୍ରତାକୁ ଦୃଷ୍ଟିରେ ରଖି ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶ ଦେବା ସହ ବାତ୍ୟାର ତୀବ୍ରତାକୁ ଦୃଷ୍ଟିରେ ରଖି ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।  ଏହାସହ ଭିଡିଓ କନଫରେନ୍ସିଂ (VC) ମାଧ୍ୟମରେ ସମସ୍ତ ପ୍ରସ୍ତୁତି କାର୍ଯ୍ୟର ନିୟମିତ ସମୀକ୍ଷା କରାଯିବ। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ଯୁଧିଷ୍ଠିର ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ଶିବାନନ୍ଦ ସ୍ୱାଇଁ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ (BDO), ତହସିଲଦାର ଏବଂ ବିଭିନ୍ନ ଲାଇନ୍ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Related Posts

About The Author

Add Comment