ମୋଗଲ ସୁବେଦାରଙ୍କ ଝିଅ ରେଜିୟାଙ୍କୁ ବାହା ହୋଇଥିଲେ ବୋଲି ଗଜପତି ରାମଚନ୍ଦ୍ର ଦେବ ବି ଯାଉନଥିଲେ ଶ୍ରୀମନ୍ଦିର
ମୋଗଲ ସୁବେଦାରଙ୍କ ଝିଅ ରେଜିୟାଙ୍କୁ ବାହା ହୋଇଥିଲେ ବୋଲି ଗଜପତି ରାମଚନ୍ଦ୍ର ଦେବ ବି ଯାଉନଥିଲେ ଶ୍ରୀମନ୍ଦିର
Manas Kumar Rout |
July 9, 2018 |
-
ଗଜପତିଙ୍କ ପାଇଁ ପ୍ରତିଷ୍ଠା ହୋଇଥିଲେ ପତିତପାବନ
ପୁରୀ ୯/ ୭ (ସନ୍ଧାନ ନିୟୁଜ) : ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶକୁ ନେଇ କାହିଁ କେଉଁ ଆବହମାନ କାଳରୁ କଟକଣା ରହିଛି। ଏ କଟକଣା ପୌରାଣିକ ନୁହେଁ, ଐତିହାସିକ ତଥ୍ୟ ଉପରେ ପର୍ଯ୍ୟବେଶିତ ଥିବା ଏବେ ସ୍ପଷ୍ଟ ହୋଇଛି। ଖାଲି ସାଧାରଣ ନାଗରିକ ନୁହନ୍ତି, ବରଂ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜାଙ୍କୁ ମଧ୍ୟ ଏକଦା ଶ୍ରୀମନ୍ଦିର ପ୍ରବେଶରୁ ବାରଣ କରାଯାଇଥିଲା ଯାହାର ଐତିହାସକ ପ୍ରମାଣ ମାଦଳା ପାଞ୍ଜିରେ ଉଲ୍ଲେଖ ରହିଛି।
ସୂଚନା ଅନୁଯାୟୀ, ଶ୍ରୀମନ୍ଦିରକୁ ଗଜପତି ମହାରାଜ ରାମଚନ୍ଦ୍ର ଦେବଙ୍କୁ ପ୍ରବେଶ ଅନୁମତି ଦିଆଯାଇନଥିଲା। କାରଣ ଥିଲା ଜଣେ ମୋଗଲ ସୁବେଦାରଙ୍କ ଝିଅ ରେଜିୟାଙ୍କୁ ସେ ବିବାହ କରିଥିଲେ। ଖାସ୍ ଏଥି ପାଇଁ ଗଜପତି ମହାରାଜ ରାମଚନ୍ଦ୍ର ଦେବ ମହାପ୍ରଭୁଙ୍କ ସେବାରୁ ବଂଚିତ ହୋଇଥିବା ବେଳେ ତାଙ୍କ ଦର୍ଶନ ପାଇଁ ସିଂହଦ୍ଵାରରେ ପତିତପାବନଙ୍କୁ ସ୍ଥାପନ କରାଯାଇଥିଲା। ଗଜପତି ରାମଚନ୍ଦ୍ର ଦେବ ସେଇଠି ପତିତପାବନଙ୍କୁ ଦର୍ଶନ କରି ମହାପ୍ରଭୁଙ୍କ କୃପାଲାଭ କରିଥିଲେ। ଏ ସଂପର୍କରେ ମୁକ୍ତି ମଣ୍ଡପର ପ୍ରାକ୍ତନ ଉପଦେଷ୍ଟା ଦୁର୍ଗାପ୍ରସାଦ ମହାପାତ୍ର ଏଭଳି ରୋଚକ ତଥ୍ୟ ରଖିଛନ୍ତି। ତେବେ ଏହା କୌଣସି ପୌରାଣିକ କି ଲୋକକଥା ନୁହେଁ, ସଂପୂର୍ଣ୍ଣ ଐତିହାସିକ ତଥ୍ୟ ବୋଲି ସେ କହିଛନ୍ତି। ରାଜା ମୁକୁନ୍ଦ ଦେବଙ୍କ ପରେ ଗଜପତି ରାମଚନ୍ଦ୍ର ଦେବ ମହାପ୍ରଭୁଙ୍କୁ ମୋଗଲ ଆକ୍ରମଣରୁ ରକ୍ଷା କରିବା ଓ ଜଗନ୍ନାଥ ସଂସ୍କୃତିର ସୁରକ୍ଷା ପାଇଁ ତତ୍କାଳୀନ ମୋଗଲ ସୁବେଦାରଙ୍କ ଝିଅ ରେଜିୟାଙ୍କୁ ବାଧ୍ୟବାଧକତାରେ ବିବାହ କରିଥିଲେ। ଏକଦା ରାମଚନ୍ଦ୍ର ଦେବ ରେଜିୟାଙ୍କ ଅନୁରୋଧ ରକ୍ଷା କରି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବାକୁ ଆସିଥିଲେ। ମହାପ୍ରଭୁଙ୍କ ପ୍ରଥମ ସେବକ ଭାବେ ସେ ମନ୍ଦିର ଭିତରକୁ ପ୍ରବେଶ କରୁଥିବା ବେଳେ ମୁକ୍ତି ମଣ୍ଡପ ପଣ୍ଡିତ ସଭା ମହାପ୍ରଭୁଙ୍କ ପ୍ରଥମ ସେବକଙ୍କୁ ଏଥିରୁ ନିବୃତ୍ତ ରହିବାକୁ ନିବେଦନ କରିଥିଲେ। ମୁସଲମାନଙ୍କୁ ବିବାହ କରିଥିବାରୁ ମନ୍ଦିର ଭିତରକୁ ଯିବାର ଅଧିକାର ନାହିଁ ବୋଲି ମୁକ୍ତିମଣ୍ଡପ ଗଜପତିଙ୍କୁ ଏଭଳି ବାରଣ କରିଥିଲେ। ଆଦ୍ୟ ସେବକ ଗଜପତି ମଧ୍ୟ ଏ ପ୍ରସ୍ତାବକୁ ମାନି ନେଇଥିଲେ। ଗଜପତିଙ୍କ ଦର୍ଶନ ପାଇଁ ସିଂହଦ୍ଵାର ଗୁମୁଟରେ ପତିତପାବନ ସ୍ଥାପନ କରାଯାଇଥିଲା। ସେହିଦିନଠାରୁ ପତିତପାବନ ଅନ୍ୟ ଧର୍ମାବଲମ୍ବୀଙ୍କ ପାଇଁ ସିଂହଦ୍ଵାର ଗୁମୁଟରେ ପୂଜା ପାଉଛନ୍ତି। ଅନ୍ୟ ଧର୍ମାବଲମ୍ବୀମାନେ ପତିତପାବନଙ୍କୁ ଦର୍ଶନ କରୁଛନ୍ତି। ଯେଉଁଠି ମହାପ୍ରଭୁଙ୍କ ପ୍ରଥମ ସେବକ ଗଜପତିଙ୍କ ପାଇଁ କଟକଣା ଥିଲା ସେଠାରେ ଅଣହିନ୍ଦୁ କଥା ଉଠିବା ଦୁର୍ଭାଗ୍ୟଜନକ ବୋଲି ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଅନ୍ୟପକ୍ଷରେ ଡକ୍ଟର ଭାସ୍କର ମିଶ୍ର ଏ ସଂପର୍କରେ ମାଦାଳା ପାଞ୍ଜିରେ ମଧ୍ୟ ଉଲ୍ଲେଖ ଥିବା ମତ ରଖିଛନ୍ତି। ଐତିହାସିକ ପ୍ରଫେସର ଡକ୍ଟର ଖାରବେଳ ମହାନ୍ତି ଏ ସଂପର୍କରେ ଐତିହାସିକ ପ୍ରମାଣ ରହିଥିବା, ଧାର୍ମିକ ଓ ପରମ୍ପରା ଦୃଷ୍ଟିରୁ ଗଜପତିଙ୍କୁ ଏଥିରୁ ବାରଣ କରାଯାଇଥିବା ସୂଚନା ଦେଇଛନ୍ତି।
Related Posts
About The Author