​ମୃତ୍ୟୁ ବି ପାରିଲାନି ଅଲଗା କରି: ଲାଇଫ୍ ଜ୍ୟାକେଟ୍ ଭିତରେ ବନ୍ଧା ହୋଇଥିଲା ମାଆ-ପୁଅଙ୍କ ଶେଷ ଆଲିଙ୍ଗନ

Spread the love

ଜବଲପୁର /୨/୫(ସନ୍ଧାନ ନ୍ୟୁଜ): ମୃତ୍ୟୁ ଅତି ଭୟଙ୍କର, କିନ୍ତୁ ମାଆର ମମତା ତା’ଠାରୁ ଅନେକ ଗୁଣରେ ଶକ୍ତିଶାଳୀ। ମଧ୍ୟପ୍ରଦେଶ ଜବଲପୁରସ୍ଥିତ ବାରଗି ଡ୍ୟାମରେ ଘଟିଥିବା କ୍ରୁଜ୍ ଦୁର୍ଘଟଣା ଆଜି ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି। ଏହି କରୁଣ ଦୁର୍ଘଟଣା ଭିତରୁ ସାମ୍ନାକୁ ଆସିଛି ଏମିତି ଏକ ଦୃଶ୍ୟ, ଯାହା ଉଦ୍ଧାରକାରୀ ଦଳଙ୍କ ଆଖିରେ ବି ଲୁହ ଆଣିଦେଇଛି।

ଗୁରୁବାର ଅପରାହ୍ନରେ ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ କ୍ରୁଜ୍ ହଠାତ୍ ବର୍ଷା ଓ ପବନର ପ୍ରକୋପରେ ଭାରସାମ୍ୟ ହରାଇ ବାରଗି ଡ୍ୟାମର ଅଥଳ ଜଳରାଶିରେ ବୁଡ଼ି ଯାଇଥିଲା। ଏହି ଦୁଃଖଦ ଘଟଣାରେ ଏପର୍ଯ୍ୟନ୍ତ ୯ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୨୫ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ତେବେ ଶୁକ୍ରବାର ସକାଳୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସମୟରେ ଦେଖିବାକୁ ମିଳିଥିଲା ସେହି ସେହି ହୃଦୟବିଦାରକ ଦୃଶ୍ୟ।

​ଶେଷ ନିଶ୍ୱାସ ଯାଏଁ ହାରିନଥିଲା ମାତୃତ୍ୱ:

ଜଳରାଶି ଭିତରୁ ମିଳିଥିବା ଏକ ଲାଇଫ୍ ଜ୍ୟାକେଟ୍ ଭିତରେ ବନ୍ଧା ହୋଇଥିଲା ଦୁଇଟି ମୃତଦେହ। ଜଣେ ମାଆ ନିଜ ୪ ବର୍ଷର କୁନି ପୁଅକୁ ବଞ୍ଚାଇବା ପାଇଁ ଶେଷ ଚେଷ୍ଟା କରିଥିଲେ। ପୁଅ କାଳେ ପାଣି ସ୍ରୋତରେ ଭାସିଯିବ, ସେଥିପାଇଁ ସେ ନିଜ ଲାଇଫ୍ ଜ୍ୟାକେଟ୍ ସହ ପୁଅକୁ ନିଜ ଛାତିରେ ଜାବୁଡ଼ି ଧରି ବାନ୍ଧି ଦେଇଥିଲେ। ପାଣିର ପ୍ରଖର ସ୍ରୋତ ସେମାନଙ୍କ ଶ୍ୱାସ ଅଟକାଇ ଦେଲା ସତ, କିନ୍ତୁ ମାଆର ସେହି ନିବିଡ଼ ଆଲିଙ୍ଗନକୁ ଅଲଗା କରିପାରିଲାନି।

ମୃତ୍ୟୁ ପରେ ବି ପୁଅକୁ ନିଜ ଛାତିରେ ଜାବୁଡ଼ି ଧରିଥିବା ମାଆର ଏହି ଅମର ମମତାକୁ ଦେଖି ଉଦ୍ଧାରକାରୀ ଦଳ ମଧ୍ୟ କିଛି କ୍ଷଣ ପାଇଁ ନିଶ୍ଚଳ ହୋଇଯାଇଥିଲେ। ସେଠାରେ ଉପସ୍ଥିତ ପ୍ରତ୍ୟେକ ବ୍ୟକ୍ତିଙ୍କ ଆଖି ଲୁହରେ ଭିଜି ଯାଇଥିଲା। ମୃତ୍ୟୁ ଜିତିଗଲା ସତ, ହେଲେ ହାରିଗଲା ମାଆର ଭଲପାଇବା ଆଗରେ। ଧନ୍ୟ ସେହି ମା’ ଆଉ ଧନ୍ୟ ତା’ର ଅମର ମାତୃତ୍ୱ।

​ଆଜି ବି ନିଖୋଜ ଥିବା ଅନ୍ୟ ୯ ଜଣଙ୍କ ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ଦୁଃଖଦ ଘଟଣା ପୁଣିଥରେ ପ୍ରମାଣ କରିଛି ଯେ, ସଂସାରରେ ମାଆର ମମତା ପରି ପବିତ୍ର ଓ ଶକ୍ତିଶାଳୀ ବସ୍ତୁ ଆଉ କିଛି ନାହିଁ।

 

Related Posts

About The Author

Add Comment