ମାନବାଧିକାର କର୍ମୀଙ୍କ ୫ ବର୍ଷର ପ୍ରୟାସ : ୧୨୦୦ ଡିଏମୟୁ ଟ୍ରେନ୍ ରେ ଲାଗିଲା ଟଏଲେଟ୍

Spread the love

ଭୁବନେଶ୍ୱର ୧୫-୫ (ଓଡ଼ିଆ ପୁଅ) ଦେଶରେ ଚାଲୁଥିବା ଡିଜେଲ୍ ଇଲେକ୍ଟ୍ରିକ୍ ମଲ୍ଟିପଲ୍ ୟୁନିଟ୍ (ଡିଏମୟୁ) ଟ୍ରେନ୍ କୋଚ୍ଗୁଡିକରେ ପାଇଖାନା ନଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ବିଶେଷକରି ମହିଳା, ବୟସ୍କ ଓ ରୋଗୀମାନଙ୍କ ଦୁର୍ଦ୍ଦଶା ଅଧିକ ଥିଲା। ଜଣାଶୁଣା ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡଙ୍କ ପାଂଚବର୍ଷର ଲଢେଇ ପରେ ଏବେ ଦେଶର ୮୨ ଭାଗ ଡିଏମୟୁ କୋଚରେ ପାଇଖାନା ବ୍ୟବସ୍ଥା କରିଛି ରେଳବାଇ। ବାକି ଟ୍ରେନ୍ଗୁଡିକରେ ମଧ୍ୟ ଆସନ୍ତା ବର୍ଷମାନଙ୍କରେ ଏହି ବ୍ୟବସ୍ଥା କରାଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।

୨୦୧୪ରେ ଶ୍ରୀ ଅଖଣ୍ଡ ପ୍ରଥମେ ଏକ ପିଟିସନ ମାଧ୍ୟମରେ ବିଶାଖାପଟନମ୍-ପାରାଦ୍ୱୀପ ମଧ୍ୟରେ ଚାଲୁଥିବା ଡିଏମ୍ୟୁ ଟ୍ରେନରେ ପାଇଖାନା ନଥିବାରୁ ଯାତ୍ରୀମାନେ ହଇରାଣ ହରକତ ହେଉଥିବା ଜାତୀୟ ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ମାନବିକ ଅଧିକାରର ଉଲଂଘନ ବୋଲି ସେ ଦର୍ଶାଇଥିଲେ। ଏହାକୁ ନେଇ କମିଶନ ରେଲବାଇ ବୋର୍ଡ ଅଧ୍ୟକ୍ଷଙ୍କୁ ନୋଟିସ୍ ଜାରି କରିଥିଲେ। ରେଳବାଇ ଅଧ୍ୟକ୍ଷ ତାଙ୍କ ଜବାବରେ କହିଥିଲେ ଯେ ଏହି ସବୁ ଟ୍ରେନ୍ କମ୍ ଦୂରତ୍ୱ ଯାଉଥିବାରୁ ଏଥିରେ ପାଇଖାନାର ଆବଶ୍ୟକତା ନାହିଁ। ଅଖଣ୍ଡ ଏହାକୁ ନେଇ ଆପତି ଉଠାଇବା ପରେ ରେଳବାଇ ରିପୋର୍ଟକୁ କମିଶନ ଖାରଜ କରିଦେଇଥିଲେ। ଏହା ପରେ ସଂପୃକ୍ତ ଟ୍ରେନରେ ଗୋଟିଏ ଟଏଲେଟ୍ ବ୍ୟବସ୍ଥା ହୋଇଥିଲା। ଇତିମଧ୍ୟରେ ଆବେଦନକାରୀ ସୂଚନା ଅଧିକାର ଆଇନ ବଳରେ ଜାଣିବାକୁ ପାଇଥିଲେ ଯେ କେବଳ ଏହି ଗୋଟିଏ ଡିଏମୟୁ ଟ୍ରେନ ନୁହେଁ, ଦେଶର ଶତାଧିକ ଏଭଳି ଟ୍ରେନରେ ପାଇଖାନା ବ୍ୟବସ୍ଥା ନାହିଁ। ଏ ସମ୍ପର୍କରେ କମିଶନଙ୍କୁ ମଧ୍ୟ ଜଣାଇଥିଲେ। ୨୦୧୬ ସେପ୍ଟେମ୍ବର ମାସରେ ରେଳବାଇ ବୋର୍ଡକୁ କମିଶନ ଜଣାଇଥିଲେ ଯେ ଏସବୁ ଟ୍ରେନରେ ପାଇଖାନା ବ୍ୟବସ୍ଥା ପାଇଁ ରେଳବାଇ ନିକଟରେ କିଛି ଦୀର୍ଘକାଳୀନ ଯୋଜନା ଅଛି କି ନାହିଁ, ତାହା ଜଣାନ୍ତୁ। ଏହାପରେ ସେହି ମାସରେ ରେଳବାଇ ବୋର୍ଡ ଡିଏମୟୁ ଟ୍ରେନର ଗୋଟିଏ କୋଚ୍ରେ ପାଇଖାନା ଲଗାଇବାକୁ ବିଧିବଦ୍ଧ ନିଷ୍ପତି ନେଇଥିଲା ଓ ଟଏଲେଟ୍ ଲଗାଇବା କାମକୁ ତ୍ୱରାନିତ କରାଯାଇଥିଲା। କିନ୍ତୁ କେତେ ଅବଧି ମଧ୍ୟରେ ଏଭଳି ସବୁ ଟ୍ରେନ୍ରେ ଟଏଲେଟ୍ ବ୍ୟବସ୍ଥା ହୋଇପାରିବ, ସେ ସମ୍ପର୍କରେ ଜବାବ ରଖିବାକୁ କମିଶନ ରେଳବାଇ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Related Posts

About The Author

Add Comment