ଭଦ୍ରକ, ୧୭ା୬, ( ସନ୍ଧାନ ନିୟୁଜ) : ଏହି ଜିଲାର ଚାନ୍ଦବାଲି ବ୍ଲକ୍ରେ ବାଟବଣା ହେଉଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ପଦାକୁ ଆସୁଛି ଗୋଟିଏ ପରେ ଗୋଟିଏ କେଳେଙ୍କାରୀ। ଏହି ଯୋଜନାରେ ତଳଠାରୁ ଉପର ଯାଏ ସମସ୍ତ ସରକାରୀ ଅଧିକାରୀ ଭିନ୍ନ ଭିନ୍ନ ଉପାୟରେ ହିତାଧିକାରୀମାନଙ୍କୁ ଲୁଟିଛନ୍ତି। ହିତାଧିକାରୀମାନେ ଏହି ଯୋଜନାରେ ଘର କରିବାକୁ କାଗଜପତ୍ରରେ ଉଲ୍ଲେଖ ଥିଲେ ମଧ୍ୟ ଭିଏଲ୍ଡବ୍ଲ୍ୟୁଙ୍କୁ ଲାଞ୍ଚ ନଦେଲେ ବିଲ୍ ପାସ୍ ହେଉନାହିଁ ବୋଲି ଏହି ବ୍ଲକ୍ର କରଂଜମାଳ ପଂଚାୟତର ବିଭିନ୍ନ ଅଂଚଳରୁ ଅଭିଯୋଗ ଆସିଛି। ଜଣେ କି ଜଣ ନୁହଁନ୍ତି, କରଂଜମାଳ ଗ୍ରାମପଂଚାୟତର ବିଭିନ୍ନ ଗ୍ରାମରୁ ସଂପୃକ୍ତ ଭିଏଲ୍ଡବ୍ଲ୍ୟୁ ପ୍ରାୟ ୯୦ ଜଣ ହିତାଧିକାରୀଙ୍କ ଠାରୁ ୪ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ଆସିଛି। ଚାନ୍ଦବାଲି ବ୍ଲକ୍ର କରଂଜମାଳ ପଂଚାୟତ ନରେନ୍ଦ୍ରପୁର (ସାଲେଇ) ଗ୍ରାମର ଅନ୍ତନ୍ତ ପ୍ରଧାନଙ୍କ ପୁଅ ପଂଚାନନ। ୨୦୧୭-୧୮ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିଛି ବୋଲି ଗ୍ରାମ ରୋଜଗାର ସେବକଙ୍କ ଠାରୁ ଖବର ପାଇ ସେ ଘର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରଥମ କିସ୍ତିରେ ୧୩/୧୨/୨୦୧୭ ରେ ୨୦ ହଜାର, ଦ୍ୱିତୀୟ କିସ୍ତି ୩୧/୧/୨୦୧୮ ରେ ୩୦ ହଜାର, ତୃତୀୟ କିସ୍ତି ୨୮/୨/୨୦୧୮ ରିଖରେ ୪୦ ହଜାର ଟଙ୍କା ମଧ୍ୟ ବ୍ୟାଙ୍କରୁ ଉଠାଇଥିଲେ। କିନ୍ତୁ ଘର ନିର୍ମାଣ ସାରିଥିଲେ ମଧ୍ୟ ଚତୁର୍ଥ କିସ୍ତି ଟଙ୍କା ଉଠାଇବାକୁ ଯିବାବେଳେ ଅଧିଆ ପଡିଥିଲେ ଭିଏଲ୍ଡବ୍ଲ୍ୟୁ। ୨୦ ହଜାର ଲାଞ୍ଚ ନଦେଲେ ଚତୁର୍ଥ କିସ୍ତି ଟଙ୍କା ଉଠାଇବାକୁ ଦିଆଯିବ ନାହିଁ ବୋଲି ଭିଏଲ୍ଡବ୍ଲ୍ୟୁ ପିୟୁଷକାନ୍ତି ଦାସ ରୋକଠୋକ୍ ଶୁଣାଇ ଦେଇଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମୋଟ ୧ ଏକ୍ଷ ୨୦ ହଜାର ଟଙ୍କା ମିଳିବାକୁ ଥିବାବେଳେ ଭିଏଲ୍ଡବ୍ଲ୍ୟୁ ୨୦ ହଜାର ଟଙ୍କା ହାତଗୁଂଜା ନେବା କଥା ପଂଚାନନ ମଥାରେ ଚଡକ ପକାଇଥିଲା। ହାତ ଓଠ ଧରି ମଧ୍ୟସ୍ଥି ବିଦ୍ୟାଧର ସାହୁଙ୍କ ଦ୍ୱାରା ସେ ୧୧ ହଜାର ଟଙ୍କା ଦେଇଥିଲେ ମଧ୍ୟ ଭିଏଲ୍ଡବ୍ଲ୍ୟୁ ଏଥିରେ ରାଜି ନଥିବା କଥା ପଂଚାନନ ଅତି ଦୁଃଖର ସହ କହିଥିଲେ। ଅନ୍ୟ ପକ୍ଷରେ ଚତୁର୍ଥ ବିଲ୍ଟି ୨୧/୩/୨୦୧୮ ରିଖ ଉଠାଯାଇଥିବା ସରକାରୀ କାଗଜପତ୍ରରୁ ଜଣାଯାଇଛି। ତେବେ ଏହି ଟଙ୍କା କିଏ ଉଠାଇଲା? ପ୍ରକୃତ ହିତାଧିକାରୀ ଦସ୍ତଖତକୁ କିଏ ନକଲି କରି ଟଙ୍କା ଚଳୁ କଲା ନେଇ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଛି। ଖାଲି ଏହି ପଂଚାୟତର ପଂଚାନନକୁ ଶୋଷଣ କରାଯାଇନାହିଁ। ୨୦୧୭-୧୮ ଆର୍ଥିକ ବର୍ଷରେ ୧୦୬ ଜଣ ହିତାଧିକାରୀଙ୍କ ମଧ୍ୟରୁ ପ୍ରାୟ ୯୦ ଜଣ ହିତାଧିକାରୀଙ୍କ ନିକଟରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରାଇଦେବାକୁ କହି କାହା ପାଖରୁ ୨ ହଜାର ତ କାହା ପାଖରୁ ୫ ହଜାର ଟଙ୍କା ଭିଏଲ୍ଡବ୍ଲ୍ୟୁ ଆଦାୟ କରିଥିବା ନେଇ ପଂଚାୟତ ସରପଞ୍ଚଙ୍କ ନିକଟରେ ଅଭିଯୋଗ ହୋଇଛି। କରଂଜମାଳ ଗ୍ରାମର ହରିପଦ ଜେନା, ଗୟାଧର ଜେନା, ଶରତ ମାଝୀ, ରଂଗଲାଲ ସରକାର, ସୀତା ମାଝି ସହିତ ବହୁ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବାକୁ ଭିଏଲ୍ଡବ୍ଲ୍ୟୁଙ୍କୁ ଲାଞ୍ଚ ଦେଇଥିବା ଅଭିଯୋଗ କରିଛନ୍ତି। ତେବେ କରଂଜମାଳ ଭିଏଲ୍ଡବ୍ଲ୍ୟୁ ପିୟୁଷକାନ୍ତି ଦାସ ଏଭଳି ଅଭିଯୋଗକୁ ଅସ୍ୱୀକାର କରିବା ସହ ଏହା ତାଙ୍କ ବିରୋଧରେ ଏକ ଷଡଯନ୍ତ୍ର ବୋଲି କହିଛନ୍ତି। ଏ ନେଇ ପୂର୍ବରୁ ଚାନ୍ଦବାଲି ବିଡିଓ ମନୋଜ ପାତ୍ର ତଦନ୍ତ ପରିସରକୁ ଆସିଥିବାବେଳେ ତାଙ୍କୁ ଚାନ୍ଦବାଲିରୁ ବଦଳି କରାଯାଇଛି। ଶ୍ରୀ ପାତ୍ର ତଥା ଅନ୍ୟ କର୍ମଚାରୀମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବହୁ ହିତାଧିକାରୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରି ସରକାରଙ୍କର ଜନହିତକର କାର୍ଯ୍ୟରେ ବାଧା ଉପୁଜାଇଥିବା ଜଣାପଡିଛି। ଏ ନେଇ କରଂଜମାଳର ପୂର୍ବତନ ସରପଞ୍ଚ ତଥା ଯୁବନେତା ରମେଶ ନାୟକ କହିଛନ୍ତି ଗରିବ ଲୋକମାନଙ୍କୁ ସରକାର ମାଗଣାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଗାଇ ଦେଇଆସୁଥିବହା ବେଳେ ଗ୍ରାମ ରୋଜଗାର ସେବକ, ଭିଏଲ୍ଡବ୍ଲ୍ୟୁ ତଥା ବ୍ଲକ୍ ହିତାଧିକାରୀ ମିଳିତ ଭାବରେ ଏମାନଙ୍କୁ ଲୁଟି ଚାଲିଛନ୍ତି। କିନ୍ତୁ ବର୍ତ୍ତମାନ ବିଡିଓଙ୍କ ଅନୁପସ୍ଥିତି ଯୋଗୁଁ କିଛି ସମାଧାନ କରି ହେଉନାହିଁ। ଆମେ ଏ ବିଷୟରେ ହିତାଧିକାରୀଙ୍କୁ ନେଇ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିବୁ ଓ ଏହାର ବିଧିବଦ୍ଧ ତଦନ୍ତ ପାଇଁ ଜିଲାପାଳଙ୍କୁ ନିବେଦନ କରିବୁ ବୋଲି ସେ କହିଛନ୍ତି।
Report By ପ୍ରମୋଦ ରାୟ