ଜେନାପୁର /୨୮/୮(ସନ୍ଧାନ ନ୍ୟୁଜ )ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ଜେନାପୁର ଯାବରା ସେତୁ ତଳେ ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ଘଟିଛି ଅଘଟଣ। ତିନି ଯୁବକ ନଦୀରେ ଭାସିଯାଉଥିବା ବେଳେ ସ୍ଥାନୀୟ ଲୋକେ ଦୁଇଜଣଙ୍କୁ ଉଦ୍ଧାର କରିଥିବାବେଳେ ଅନ୍ୟ ଜଣେ ଯୁବକ ଏବେ ମଧ୍ୟ ନିଖୋଜ ରହିଛନ୍ତି।
ସୂଚନା ଅନୁଯାୟୀ, ବରହମପୁର ଗ୍ରାମର ବିଜୟ ଦଳେଇଙ୍କ ପୁଅ ପ୍ରତାପ ଦଳେଇ (୨୧), ଅମୂଲ୍ୟ ଦଳାଇଙ୍କ ପୁଅ ସିଦ୍ଧାର୍ଥ ଦଳାଇ ଓରଫ ନଣ୍ଡା (୨୪) ଏବଂ ଜଇରାମ ଦଳାଇଙ୍କ ପୁଅ ଶାନ୍ତନୁ ଦଳାଇ ଓରଫ କାଳିଆ (୨୩) ଶୁକ୍ରବାର ପ୍ରାୟ ଦିନ ୨ଟା ସମୟରେ ବ୍ରାହ୍ମଣୀ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ତେବେ ଗାଧୋଇବା ସମୟରେ ତିନିଜଣ ନଦୀର ଗଭୀର ପାଣିରେ ଭାସିଯାଇଥିଲେ।
ଏହି ସମୟରେ ରବୀନ୍ଦ୍ର ପଣ୍ଡାଙ୍କ ପୁଅ ସତ୍ୟବ୍ରତ ପଣ୍ଡା (୨୫) ନିଜ ଜୀବନକୁ ବିପଦରେ ପକାଇ ନଦୀକୁ ଡେଇଁ ଦୁଇଜଣ ଯୁବକଙ୍କୁ ଉଦ୍ଧାର କରିଥିଲେ। ତେବେ ପ୍ରତାପ ଦଳେଇଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇନଥିଲା।
ଘଟଣା ସମ୍ପର୍କରେ ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଯୁବକଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ପ୍ରତାପଙ୍କ କୌଣସି ସନ୍ଧାନ ମିଳିପାରିନଥିବା ଜଣାପଡ଼ିଛି। ଉଦ୍ଧାର ହୋଇଥିବା ଯୁବକମାନଙ୍କୁ ଚିକିତ୍ସା ପାଇଁ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଅନ୍ୟପକ୍ଷରେ, ଏହି ଅଘଟଣ ପାଇଁ ସ୍ଥାନୀୟ ଲୋକେ ନଦୀରେ ହୋଇଥିବା ବେଆଇନ ବାଲି ଉତ୍ତୋଳନକୁ ଦାୟୀ କରିଛନ୍ତି। ବାଲିଘାଟ ଯୋଗୁଁ ନଦୀ ଶଯ୍ୟାରେ ସୃଷ୍ଟି ହୋଇଥିବା ବୃହତ୍ ଗର୍ତ୍ତ ଏହି ଦୁର୍ଘଟଣାର ମୁଖ୍ୟ କାରଣ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ପୂର୍ବରୁ ସ୍ଥାନୀୟ ଲୋକଙ୍କ ବିରୋଧ ସତ୍ତ୍ୱେ ସେଠାରୁ ବାଲି ଉତ୍ତୋଳନ କରାଯାଇଥିବାରୁ ନଦୀରେ ବିପଜ୍ଜନକ ଗଭୀର ଗର୍ତ୍ତ ସୃଷ୍ଟି ହୋଇଛି ବୋଲି ସେମାନେ କହିଛନ୍ତି।
ଘଟଣାକୁ ନେଇ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବାବେଳେ ନିଖୋଜ ପ୍ରତାପଙ୍କୁ ଶୀଘ୍ର ଉଦ୍ଧାର କରିବାକୁ ପରିବାର ଓ ସ୍ଥାନୀୟ ଲୋକେ ଆଶା ପ୍ରକାଶ କରିଛନ୍ତି।



