ବୈପାରିଗୁଡା୧୨/୭ (ସନ୍ଧାନ ନିଉଜ) : – ନଅ ଦିବସୀୟ ଯାତ୍ରା ଶେଷ କରି ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜର ବଡ଼ ଭାଇ ବଳଭଦ୍ର ଓ ସାନଭାଇ ସୁଭଦ୍ରାଙ୍କ ସହିତ ଆଜି (ଶୁକ୍ରବାର) ପବିତ୍ର ଆଶାଢ଼ ଶୁକ୍ଲପକ୍ଷ ଦଶମୀ ତିଥିରେ ନିଜ ଘର ଅଭିମୁଖେ ଫେରିଛନ୍ତି ।ଏଥି ପାଇଁ ରଥଯାତ୍ରା ଭଳି ଆଜି ମଧ୍ୟ ଭକ୍ତମାନେ ଶ୍ରୀଜଉ ମାନଙ୍କ ଆଗମନକୁ ଚାତକ ଭଳି ଅନେଇ ବସିଥିଲେ ।ବୈପାରିଗୁଡା ସହର ର ମୁଖ୍ୟ ରାସ୍ତା ଆଜି ପୁଣି ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ରେ ପୁରୀ ଉଠିଥିଲା । ଶ୍ରଦ୍ଧାଳୁଙ୍କ ହରିବୋଳ-ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନୀରେ ଆଧ୍ୟାତ୍ମିକ ବୈପାରିଗୁଡା ସହର କମ୍ପି ଉଠିଥିଲା ।ବାହୁଡ଼ା ଯାତ୍ରା ଅବସରରେ ବୈପାରିଗୁଡା କୁ ପ୍ରାୟ ୫୦ହଜାର ରୁ ଉର୍ଦ୍ଧ୍ବ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥିବା ଜଣାପଡିଛି ।ଭଗବାନ ଶ୍ରୀଜଗନ୍ନାଥଙ୍କ ଆଡ଼ପ ଦର୍ଶନ ଗୁରୁବାର ସନ୍ଧ୍ୟା ୭ଟାରେ ଶେଷ ହୋଇଯାଇଛି । ଗୁଣ୍ଡିଚା ମନ୍ଦିରରେ ଏହି ଦର୍ଶନ ୮ ଦିନ ଯାଏଁ ଚାଲିଥିଲା । ଆଡ଼ପ ଦର୍ଶନ ଗୁରୁବାର ସନ୍ଧ୍ୟା ୭ଟାରେ ଶେଷ ହେବା ପରେ ବାହୁଡ଼ା ନୀତି ଆରମ୍ଭ ହୋଇଯାଇଥିଲା । ଆଜି ଭୋର ସକାଳୁ ମହାପ୍ରଭୁଙ୍କର ବିଭିନ୍ନ ପାରଂପରିକ ନୀତି ନିର୍ଦ୍ଧାରିତ ସମୟରେ ଶେଷ ହୋଇଛି ।ବାହୁଡ଼ା ଯାତ୍ରା ପାଇଁ ବୈପାରିଗୁଡା ମନ୍ଦିର କମିଟି ପକ୍ଷରୁ ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଥିଲା । କାର୍ଯ୍ୟସୂଚୀ ଅନୁସାରେ ଆଜି ଅପରାହ୍ନ ୩ ଟାରୁ ଗୁଣ୍ଡିଚା ମନ୍ଦିର ଭିତରୁ ପହଣ୍ଡି ହେବା ସହିତ ୪ ଟାରୁ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇ ୭ ଟାରେ ଶେଷ ହୋଇଥିଲା ।ବାହୁଡ଼ା ଯାତ୍ରା ପାଇଁ ଭକ୍ତ ବୈପାରିଗୁଡା ସହରରେ ଗହଳି ଲଗାଇଥିବା ବେଳେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ଶାନ୍ତି ଶୃଙ୍ଖଳାର ସହିତ ବାହୁଡ଼ା ଯାତ୍ରା ଶେଷ କରିବା ପାଇଁ ପୋଲିସ ଅଣ୍ଟା ଭିଡ଼ିଥିଲା । ମହାପ୍ରଭୁଙ୍କର ସୁନାବେଶ ଶନିବାର ଅନୁଷ୍ଠିତ ହେବ ଏବଂ ଜୁଲାଇ ୧୫ରେ ନୀଳଦ୍ରିବିଜେ ଦିନ ଶ୍ରୀଜିଉମାନେ ପୁଣି ଥରେ ରତ୍ନ ସିଂହାସନ ଆରୋହଣ କରିବେ ବୋଲି ପୂଜା କମିଟି ପକ୍ଷରୁ ସୂଚନା ମିଳିଛି ।
ରିପୋର୍ଟ – ସରୋଜ କୁମାର ଲେଙ୍କା ।