ଯାଜପୁର,୩୦/୩ (ସନ୍ଧାନ ନିୟୁଜ ) ଦିନକୁ ଦିନ ପ୍ରଚଣ୍ଡ ଗ୍ରୀଷ୍ମର ପ୍ରଭାଵ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସଠିକ ସମୟରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣକୁ ଗୁରୁତ୍ୱ ଦେବାକୁ ଯାଇ ଆୟୋଜିତ ହେଉଛି ଘନ ଘନ ପ୍ରସ୍ତୁତି ବୈଠକ ।ଏହାଛଡା ଖରାଦିନେ ସର୍ତକର୍ତା ଅବଲମ୍ବନ କରିବା ନିମିତ୍ତ ଛକ ଜାଗାମାନଙ୍କରେ ପୋଷ୍ଟର ଓ ବ୍ୟାନର ସାହାଯ୍ୟରେ ସଚେତନତା ସୃଷ୍ଟି କରାଯାଉଛି। ଆହୁରି ମଧ୍ୟ ପଞ୍ଚାୟତ ସଦର ମହକୁମାକୁ ଲାଗିଥିବା ଗ୍ରାମଗୁଡିକୁ ସର୍ବଦା ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ପ୍ରତି ପଂଚାୟତରେ ସରକାରଙ୍କ ତରଫରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ହେଉଛି ପାନୀୟ ଜଳ ଯୋଗାଣ ପ୍ରକଳ୍ପ । ଏହିପରି ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ବୃନ୍ଦାଦେଇପୁର ଗ୍ରାମପଞ୍ଚାୟତ ରେ କିଛି ବର୍ଷ ହେଲା ପ୍ରାୟ ୪୦ ଲକ୍ଷ ଟଙ୍କା ବ୍ୟୟରେ ପ୍ରକଳ୍ପଟି ନିର୍ମିତ ହୋଇଥିଲେ ମଧ୍ୟ ଏହା ପଞ୍ଚାୟତବାସୀ ଙ୍କ ହିତରେ
ଆଦୋୖ ଆସୁ ନ ଥିବା ଅଭିଯୋଗ ହୋଇଛି।
ଏଥି ନେଇ ଖୋଦ ପଂଚାୟତ କାର୍ଯ୍ୟାଳୟକୁ ପ୍ରତି ମାସରେ ଭତ୍ତା ଓ ଚାଉଳ ଗହମ ପାଇଁ ଆସୁଥିବା ବୃଦ୍ଧ ବୃଦ୍ଧା ଓ ରସନକାର୍ଡ ଧାରୀମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।ପଂଚାୟତ କାର୍ଯ୍ୟାଳୟ ପରିସରରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କଲାବେଳେ ପ୍ରଚଣ୍ଡ ଖରାର ପ୍ରକୋପ ସହି ନ ପାରି ବରିଷ୍ଠ ନାଗରିକ ମାନେ ଶୋଷ ମେଣ୍ଟାଇବା ପାଇଁ ଟୋପାଏ ବିଶୁଦ୍ଧ ପାନୀୟ ଜଳ ଚାହିଁଥାନ୍ତି।ସେତେବେଳେ ସେଠାରେ ନିର୍ମିତ ହୋଇଥିବା ପାଣିଟାଙ୍କି ନିକଟକୁ ଗଲାବେଳେ ତାହା ଶୁଖିଲା ଓ ଅପରିଷ୍କୃତ ଏବଂ ଭଗ୍ନ ଅବସ୍ଥାରେ ପଡିରହିଥିବାର ଦେଖିବାକୁ ମିଳିଥାଏ ।ଫଳସ୍ୱରୂପ ନିରାଶ ହୋଇ ସେଠାରୁ ଫେରିବା ସଙ୍ଗେ ସଙ୍ଗେ ପାଣି ପାଇଁ ବହୁ ହଟହଟା ର ସମ୍ମୁଖୀନ ହେବାକୁ ପଡୁଛି ।ପାନୀୟଜଳ ସମସ୍ୟାର ତତ୍କାଳୀନ ସମାଧାନ କରିବା ପଂଚାୟତର ଏକ ମୁଖ୍ୟ କାର୍ଯ କିନ୍ତୁ ଏଥି ପ୍ରତି କୌଣସି ଜନ ପ୍ରତିନିଧି କିମ୍ବା ବିଭାଗୀୟ କର୍ମକର୍ତ୍ତା ଧ୍ୟାନ ଦେଉ ନ ଥିବାରୁ ଲକ୍ଷାଧିକ ଟଙ୍କା କେବଳ ପାଣିରେ ପଡିବା ସାର ହୋଇଛି।କେବଳ ପଂଚାୟତକୁ କାମ ଆସିଲେ ତାହାକୁ ସମ୍ପାଦନ କରିବା ପାଇଁ ଏହି ପଞ୍ଚାୟତର କୁଜି ନେତାମାନେ ଆଗେଇ ଆସିଥାନ୍ତି, ଅଥଚ କେଉଁଠାରେ ଅବ୍ୟବସ୍ଥା ଦେଖାଗଲେ କିମ୍ବା ପଂଚାୟତ ବାସୀ ହଇରାଣ ହେଲେ ତାହାର ସମାଧାନ କରିବା ପାଇଁ କେହି ପାଟି ଖୋଲି ନ ଥାନ୍ତି।ଦୁର୍ନୀତି ମୂଳକ ଭାବେ ନିମ୍ନ ମାନର କାର୍ଯ୍ୟ ବାରମ୍ବାର ହେଉଥିବାରୁ ଏପରି ପରିସ୍ଥିତି ଉପୁଜୁଛି ବୋଲି କିଛି ଗ୍ରାମ ବାସୀ ଅଭିଯୋଗ କରିଛନ୍ତି।ପୁଣି ଗ୍ରାମ ମଧ୍ୟରେ ନିମ୍ନ ମାନର ପାଇପ ବିଛାଯାଇଥିବା ଯୋଗୁ ଅଧିକାଂଶ ସମୟ ତାହା ଫାଟି ଯାଉଥିବାର ଦେଖିବାକୁ ମିଳୁଛି।
ଏତିକିବେଳେ ପାଣି ପାଇବାରେ ଘୋର ବ୍ୟାଘାତ ସୃଷ୍ଟି ହେଉଛି।ଆଉ କେତେକ ସ୍ଥାନରେ ପାଣି ଜମି କୁତ୍ରିମ ହ୍ରଦର ଭ୍ରମ ମଧ୍ୟ ସୃଷ୍ଟି କରିଥାଏ।ପୁଣି ପଂଚାୟତ କାର୍ଯ୍ୟାଳୟ ପରିସରରେ ଅଦ୍ୟାବଧି ଫାଟକ ଟିଏ ମଧ୍ୟ ଲାଗିପାରି ନାହିଁ।ଏହାର ସୁଯୋଗ ନେଇ କିଛି ଅସାମାଜିକ ବ୍ୟକ୍ତି ଅବାଧରେ ଏହା ମଧ୍ୟରେ ପ୍ରବେଶ କରି ଆକ୍ରୋସମୂଳକ ଭାବେ ବିଭିନ୍ନ ଜିନିଷ ଭଙ୍ଗା ରୁଜା କରିବା ସହିତ ମଳ ତ୍ୟାଗ କରୁଛନ୍ତି।ଏଥିସହିତ ଭୋଜିଭାତ ଓ ମଦ୍ୟ ପାନ କରି ବୋତଲ ଓ ଖଲି ପତ୍ର ଗୁଡିକୁ କାର୍ଯ୍ୟାଳୟ ପରିସରରେ ଫିଙ୍ଗୁଥିବା ଦୃଶ୍ୟମାନ ହୋଇଛି।ଏହାକୁ ନିରୀକ୍ଷଣ କଲେ ପଂଚାୟତରେ ସ୍ୱଚ୍ଛ ଭାରତ ଅଭିଯାନ କେତେଦୂର କାର୍ଯ୍ୟକାରୀ, ତାହା ଜଳ ଜଳ କରି ବାରି ହୋଇପଡେ।ବୃନ୍ଦାଦେଇପୁର ପରି ଏକ କ୍ଷୁଦ୍ର ପଂଚାୟତରେ ଏପରି କାର୍ଯ୍ୟ ସର୍ବଦା ଜାରିରହିଲେ ପଂଚାୟତ ବାସୀଙ୍କର କ ‘ଣ ଉନ୍ନତି ଘଟିବ ବୋଲି ସାଧାରଣରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ତେଣୁ ଏଥିପ୍ରତି ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଓ ଜନ ପ୍ରତିନିଧି ସ୍ବତନ୍ତ୍ର ଦୃଷ୍ଟି ଦେଇ ଉକ୍ତ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ପଞ୍ଚାୟତବାସୀ ଦୃଢ ଦାବୀ କରିଛନ୍ତି।
Report Prasanta Samal