ଭୁବନେଶ୍ବର/ସନ୍ଧାନ ନିୟୁଜ: ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଲେ ଫାଇଭ-ଟି ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା ଭି.କେ. ପାଣ୍ଡିଆନ । ଆଜି ଏକ ଭିଡିଓ ବାର୍ତ୍ତା ଜରିଆରେ ଏନେଇ ସେ ଘୋଷଣା କରିଛନ୍ତି । ଏହାସହ ପରାଜୟ ପାଇଁ ବିଜେଡି କର୍ମୀ ଓ ବିଜୁ ପରିବାରକୁ କ୍ଷମା ମାଗିଛନ୍ତି ପାଣ୍ଡିଆନ ।୪ ମିନିଟ ୨୬ ସେକେଣ୍ଡର ଭିଡିଓ ବାର୍ତ୍ତାରେ ଆଇଏଏସ ଜୀବନରୁ ରାଜନୀତି ପର୍ଯ୍ୟନ୍ତ ଯାତ୍ରାକୁ ଗୋଟି ଗୋଟି କରି ବଖାଣିଛନ୍ତି ପାଣ୍ଡିଆନ । ଦେ କହିଛନ୍ତି, ‘ମୁଁ ଗୋଟିଏ ଛୋଟିଆ ଗାଁରୁ ଆସିଛି । ପିଲାବେଳଠୁ ସ୍ବପ୍ନ ଥିଲା ଆଇଏଏସ ହେବା ପାଇଁ । ପ୍ରଭୁ ଜଗନ୍ନାଥଙ୍କ କୃପାରୁ ମୁଁ ଆଇଏଏସ ହୋଇଥିଲି । ଓଡ଼ିଶାର ବିଭିନ୍ନ ସ୍ଥାନରେ କାମ କରିବା ସମୟରେ ଓଡ଼ିଶା ଓ ଓଡ଼ିଆଙ୍କ ପ୍ରତି ଆବେଗ ଓ ଭଲ ପାଇବା ସୃଷ୍ଟି ହୋଇଥିଲା । ରାଜ୍ଯର ବିଭିନ୍ନ ସ୍ଥାନରେ ଜିଲ୍ଲାପାଳ ଭାବେ କାମ କରିଛି । ଏହି ସମୟରେ ଓଡ଼ିଶାର ଲୋକଙ୍କୁ ଭଲ ପାଇ ବସିଥିଲି । ସବୁଠି ଲୋକଙ୍କ ପାଇଁ କାମ କରିବାକୁ ଚେଷ୍ଟା କରିଛି ।’ଆଗକୁ ସେ କହିଛନ୍ତି, ‘୧୨ ବର୍ଷ ତଳେ ମୁଖ୍ଯମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୋଗଦେଇଥିଲି । ନବୀନଙ୍କ ଭିଜନ ଓଡ଼ିଶା କାର୍ଯ୍ୟକାରୀ କରିବାକୁ ଉଦ୍ଯମ କରିଥିଲି । ଶିକ୍ଷା, ସ୍ବାସ୍ଥ୍ଯ, ଦାରିଦ୍ର୍ଯ ଦୂରୀକରଣ, କ୍ରୀଡ଼ା ବିକାଶ, ମହିଳା ସଶକ୍ତିକରଣ କ୍ଷେତ୍ରରେ ନବୀନଙ୍କ କାର୍ଯ୍ୟ ଏକ ମାଇଲଷ୍ଟୋନ । ମୁଁ ପିଲାବେଳେ ସରକାରୀ ସ୍କୁଲରେ ପାଠ ପଢିଥିଲି । ସେଇ ସ୍ମୃତି ଆଧାରରେ ମୁଁ ସ୍କୁଲ, କଲେଜର ରୂପାନ୍ତରଣ କାର୍ଯ୍ୟରେ ଲାଗିଥିଲି । କରୋନା ସମୟରେ ୩୦ଟି ଜିଲ୍ଲା ବୁଲି ସ୍ବାସ୍ଥ୍ଯ ସମ୍ବନ୍ଧୀୟ ବ୍ଯବସ୍ଥାର ଅନୁଧ୍ଯାନ କରିଥିଲି ।’ରାଜନୀତିକୁ ନେଇ କହିଛନ୍ତି, ‘ମୁଁ ରାଜନୀତିକୁ ଆସିଥିଲି ନବୀନଙ୍କୁ ସାହାଯ୍ୟ କରିବାକୁ । ରାଜନୀତିରେ କୌଣସି ପଦବୀ ପାଇଁ ଲାଳାୟିତ ନଥିଲି । ବିଜେଡିରେ କୌଣସି ପଦରେ ନଥିଲି କି ନିର୍ବାଚନ ଲଢି ନଥିଲି । ଗତ ୧୨ ବର୍ଷରେ ଭୋରରୁ ବିଳମ୍ବିତ ରାତି ଯାଏଁ ଓଡ଼ିଶାର ବିକାଶ ଚିନ୍ତା କରିଛି । ନବୀନ ବାବୁଙ୍କ ସ୍ବପ୍ନ ସାକାର କରିବାକୁ ସବୁବେଳେ ଚେଷ୍ଟା କରିଛି ।’ସମ୍ପତ୍ତିକୁ ନେଇ ହେଉଥିବା ପ୍ରଚାରର ଜବାବ ଦେଇଛନ୍ତି ପାଣ୍ଡିଆନ । ସେ କହିଛନ୍ତି, ‘ଚାକିରି ଜୀବନର ୨୪ ବର୍ଷ ପରେ ବି ମୋ ସମ୍ପତ୍ତି ତାଲିକା ଯାହା ଥିଲା ସେତିକି ଅଛି । ଚାକିରିରେ ଯୋଗଦେବା ବେଳେ ଦେଇଥିବା ସମ୍ପତ୍ତି ତାଲିକା ଆଜି ବି ସମାନ ରହିଛି । ନିର୍ବାଚନ ପ୍ରଚାର ସମୟରେ ମୋତେ ନେଇ ରାଜନୈତିକ କାହାଣୀ ତିଆରି ହୋଇଥିଲା । ଏହି କାହାଣୀର ଉଚିତ ସମୟରେ ଜବାବ ଦେଇପାରଲିନି । ପ୍ରଚାର ସମୟରେ ଗପ ତିଆରି କରାଯାଇଥିଲା । ସେହି ଗପ ବିଜେଡିକୁ କ୍ଷତି ପହଞ୍ଚାଇ ଥିଲେ ମୁଁ ଦୁଃଖିତ ।ସୂଚନାଯୋଗ୍ୟ ନଭେମ୍ବର ୨୫ ପାଣ୍ଡିଆନ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ । ଏହାର ଦିନକ ପରେ ୨୭ରେ ବିଜେଡିରେ ଯୋଗଦେଇଥିଲେ । ଚଳିତ ନିର୍ବାଚନରେ ସେ ବିଜେଡିର ପ୍ରଚାର ମଙ୍ଗ ଧରିଥିଲେ । ସାରା ରାଜ୍ୟ ବୁଲି ବୁଲି ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିଲେ । ବିଜେଡି ୪୦ ଜଣ ଷ୍ଟାର କ୍ୟାମ୍ପେନରଙ୍କ ତାଲିକା ପ୍ରକାଶ କରିଥିଲେ ବି ନବୀନ ପଟ୍ଟନାୟକଙ୍କ ପରେ ସେ ହିଁ ଥିଲେ ଯିଏ ପ୍ରଚାର କରିଥିଲେ । ହେଲେ ଦଳର ଅନ୍ୟ ଷ୍ଟାର କ୍ୟାମ୍ପେନରଙ୍କୁ ଦେଖିବାକୁ ମିଳି ନଥିଲା । ଯାହାକୁ ବିରୋଧୀ ଦଳ ବିଜେପି ପ୍ରସଙ୍ଗ କରିବା ସହ ପାଣ୍ଡିଆନ ବିଜେଡିକୁ ହାଇଜାକ କରି ନେଇଥିବା ଅଭିଯୋଗ ଉଠାଇଥିଲା । ଏପରିକି ନବୀନ ପଟ୍ଟନାୟକଙ୍କୁ ମଧ୍ୟ ପାଣ୍ଡିଆନ ଇସାରାରେ ନଚାଉ ଥିବା ଅଭିଯୋଗ ହୋଇଥିଲା । ଯାହା ରାଜ୍ୟର ଭୋଟରଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା । ଆଉ ଏହା ବିଜେଡିର ଶୋଚନୀୟ ପରାଜୟ ପାଇଁ ଏକ ପ୍ରମୁଖ କାରଣ ହୋଇଥିଲା ।ନିର୍ବାଚନ ଫଳାଫଳ ଜୁନ ୪ ତାରିଖରେ ଆସିଥିଲେ ବି ପାଣ୍ଡିଆନଙ୍କୁ ଦେଖିବାକୁ ମିଳି ନଥିଲା । ପାଣ୍ଡିଆନ ଓଡ଼ିଶା ଛାଡି ଦେଇଥିବା ଚର୍ଚ୍ଚା ହେଉଥିଲା । ୭ ତାରିଖ ଦିନ ପାଣ୍ଡିଆନଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଥିଲା । ଏହାର ଦିନକ ପରେ ସେ ଆଜି ଭିଡିଓ ବାର୍ତ୍ତା ଜରିଆରେ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି ।
ବିଜେଡି ପରାଜୟ ପାଇଁ ନିଜକୁ ଦାୟୀ କରି ରାଜନୀତିରୁ ସନ୍ନ୍ୟାସ ନେଲେ ପାଣ୍ଡିଆନ
|
June 9, 2024 |