ଯାଜପୁର, : ୧୧/୧୧/୨୬ (ସନ୍ଧାନ ନ୍ୟୁଜ) ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY) ୨୦୨୬-୨୭ର ସଫଳ ରୂପାୟନ, ଫସଲ କଟା ପରୀକ୍ଷଣ (CCE)ର ସଠିକ୍ ଓ ସ୍ୱଚ୍ଛ ପରିଚାଳନା ତଥା ଡିଜିଟାଲ୍ ମାଧ୍ୟମରେ ତଥ୍ୟ ସଂଗ୍ରହ ଓ ପ୍ରେରଣ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଯାଜପୁରଠାରେ ଏକ ଜିଲ୍ଲାସ୍ତରୀୟ ତିନିଦିନିଆ ପୁନଃତାଲିମ କାର୍ଯ୍ୟକ୍ରମ ଆଜି ଆରମ୍ଭ ହୋଇଛି। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ଶିବାନନ୍ଦ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ତାଲିମ କାର୍ଯ୍ୟକ୍ରମରେ ଉପନିର୍ଦ୍ଦେଶକ (ଯୋଜନା ଓ ପରିସଂଖ୍ୟାନ) ତଥା DPMU, ଯାଜପୁରର ଅଧିକାରୀ ଶ୍ରୀ ମନୋଜ କୁମାର ନାୟକ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଭାସ୍କର ଚନ୍ଦ୍ର ଦାସ, ସମବାୟ ସମିତିର ସହକାରୀ ନିବନ୍ଧକ (ARCS), ସହକାରୀ ନିର୍ଦ୍ଦେଶକ (ପରିସଂଖ୍ୟାନ) ଶ୍ରୀମତୀ ସିପ୍ରା ଦାସ, ସହକାରୀ ଉଦ୍ୟାନ କୃଷି ଅଧିକାରୀ, ସାଂଖ୍ୟିକ ଅଧିକାରୀ ଶ୍ରୀମତୀ ଉମାଭାରତୀ ସେନାପତି, ସହକାରୀ କୃଷି ଅଧିକାରୀ ଶ୍ରୀମତୀ ସୌଦାମିନୀ ସାହୁ, ରାଜ୍ୟ PMUର ଅଧିକାରୀ ଏବଂ ଇଣ୍ଡସ୍ଇଣ୍ଡ୍ ବୀମା ସଂସ୍ଥାର ପ୍ରତିନିଧିମାନେ ଯୋଗଦେଇଥିଲେ। ତାଲିମ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଦଶରଥପୁର, ଧର୍ମଶାଳା ଓ କୋରେଇ ବ୍ଲକ୍ର ରାଜସ୍ୱ ନିରୀକ୍ଷକ (RI), ସହକାରୀ ରାଜସ୍ୱ ନିରୀକ୍ଷକ (ARI), ବ୍ଲକ୍ ପରିସଂଖ୍ୟାନ ଅଧିକାରୀ (BSO), ପରିସଂଖ୍ୟାନ ପର୍ଯ୍ୟବେକ୍ଷକ (SS), ସାଂଖ୍ୟିକ କ୍ଷେତ୍ର ସର୍ବେକ୍ଷକ (SFS), ଗ୍ରାମ୍ୟ କୃଷି କର୍ମଚାରୀ (VAW), କୃଷି ଅଧିକାରୀ (AO) ଓ ଅନ୍ୟାନ୍ୟ କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ତାଲିମ ଗ୍ରହଣ କରିଥିଲେ। ଅବଶିଷ୍ଟ ବ୍ଲକ୍ର କର୍ମଚାରୀମାନଙ୍କୁ ପରବର୍ତ୍ତୀ ଦୁଇଦିନରେ ପର୍ଯ୍ୟାୟକ୍ରମେ ତାଲିମ ପ୍ରଦାନ କରାଯିବ। ଅଧ୍ୟକ୍ଷୀୟ ଅଭିଭାଷଣରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସ୍ୱାଇଁ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଜାତୀୟ ଅର୍ଥନୀତିରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଦେଶର ୫୦ ପ୍ରତିଶତରୁ ଅଧିକ ଜନସଂଖ୍ୟା କୃଷି ଓ ଆନୁଷଙ୍ଗିକ କାର୍ଯ୍ୟରେ ନିୟୋଜିତ ଥିବାବେଳେ ଜାତୀୟ ଜିଡିପିକୁ ଏହି କ୍ଷେତ୍ରର ଅବଦାନ ତୁଳନାତ୍ମକ ଭାବେ କମ୍ ରହିଛି ବୋଲି ସେ କହିଥିଲେ। ତେଣୁ କୃଷକମାନଙ୍କ ଆୟକୁ ସୁରକ୍ଷିତ ଓ ସ୍ଥିର ରଖିବା, କୃଷିକୁ ଅଧିକ ଲାଭଜନକ କରିବା ଏବଂ ସେମାନଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ସମସ୍ତ ବିଭାଗ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଆବଶ୍ୟକ। ଫସଲ ହାନି ଯୋଗୁଁ କୃଷକମାନେ ସମ୍ମୁଖୀନ ହେଉଥିବା ଆର୍ଥିକ କ୍ଷତିରୁ ସୁରକ୍ଷା ଦେବାରେ PMFBY ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ବୋଲି ସେ ମତବ୍ୟକ୍ତ କରିଥିଲେ। ଉପନିର୍ଦ୍ଦେଶକ (ଯୋଜନା ଓ ପରିସଂଖ୍ୟାନ) ଶ୍ରୀ ମନୋଜ କୁମାର ନାୟକ ଅନଲାଇନ୍ ଫସଲ କଟା ପରୀକ୍ଷଣର ଗୁରୁତ୍ୱ ଉପରେ ଆଲୋକପାତ କରି CCE ଆପ୍ର ସଠିକ୍ ବ୍ୟବହାର, ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ କ୍ଷେତ୍ରସ୍ତରରେ ପରୀକ୍ଷଣ, ଡିଜିଟାଲ୍ ମାଧ୍ୟମରେ ତଥ୍ୟ ରେକର୍ଡିଂ, GPS ଆଧାରିତ ଫଟୋ ଅପଲୋଡ୍ ଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ତଥ୍ୟ ପ୍ରେରଣ ଉପରେ ଗୁରୁତ୍ୱ ଦେଇଥିଲେ। ଫସଲ କଟା ପରୀକ୍ଷଣରେ ସଠିକତା ଓ ସ୍ୱଚ୍ଛତା ରହିଲେ ଉତ୍ପାଦନର ବାସ୍ତବ ଆକଳନ ସମ୍ଭବ ହେବା ସହ ଚାଷୀମାନଙ୍କୁ ଉପଯୁକ୍ତ ବୀମା ସୁବିଧା ମିଳିପାରିବ ବୋଲି ସେ କହିଥିଲେ। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଭାସ୍କର ଚନ୍ଦ୍ର ଦାସ ଫସଲ କଟା ପରୀକ୍ଷଣକୁ ନିରପେକ୍ଷ, ସଠିକ୍ ଓ ତ୍ରୁଟିମୁକ୍ତ ଭାବେ ସମ୍ପାଦନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଫସଲର ବାସ୍ତବ ଉତ୍ପାଦନ ଆକଳନ ବୀମା ଦାବି ନିର୍ଦ୍ଧାରଣର ଏକ ପ୍ରମୁଖ ଆଧାର ହୋଇଥିବାରୁ କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ନିୟମାନୁସାରେ ପରୀକ୍ଷଣ କରିବାକୁ ସେ ପରାମର୍ଶ ଦେଇଥିଲେ। ସାଂଖ୍ୟିକ ଅଧିକାରୀ ଶ୍ରୀମତୀ ଉମାଭାରତୀ ସେନାପତି ଫସଲ କଟା ପରୀକ୍ଷଣର ବୈଷୟିକ ପଦ୍ଧତି, ନମୁନା କ୍ଷେତ୍ର ଚୟନ, ପରୀକ୍ଷଣ ପ୍ରକ୍ରିୟା, ଉତ୍ପାଦନ ତଥ୍ୟର ରେକର୍ଡିଂ, ଫସଲ ଉତ୍ପାଦନ ଆକଳନ ଏବଂ ବୀମା ଦାବି ନିର୍ଦ୍ଧାରଣ ସମ୍ପର୍କରେ ଅଂଶଗ୍ରହଣକାରୀମାନଙ୍କୁ ବିସ୍ତୃତ ତାଲିମ ଦେଇଥିଲେ। ସେହିପରି ସହକାରୀ କୃଷି ଅଧିକାରୀ ଶ୍ରୀମତୀ ସୌଦାମିନୀ ସାହୁ CCE Agri ମୋବାଇଲ୍ ଆପ୍ର ବ୍ୟବହାର ସମ୍ପର୍କରେ ବ୍ୟବହାରିକ ତାଲିମ ପ୍ରଦାନ କରିଥିଲେ। ଆପ୍ରେ ଲଗ୍ଇନ୍, ନିର୍ଦ୍ଧାରିତ CCE ସୂଚନା ଯାଞ୍ଚ, କ୍ଷେତ୍ରସ୍ତରରେ ତଥ୍ୟ ଏଣ୍ଟ୍ରି, GPS ଆଧାରିତ ଫଟୋ ଉତ୍ତୋଳନ ଓ ଅପଲୋଡ୍ ଏବଂ ଅନଲାଇନ୍ରେ ରିପୋର୍ଟ ଦାଖଲ ପ୍ରକ୍ରିୟା ସମ୍ପର୍କରେ ସେ ପ୍ରତ୍ୟକ୍ଷ ଭାବେ ବୁଝାଇଥିଲେ। ଏହି ଅବସରରେ ରାଜ୍ୟ PMUର ଅଧିକାରୀମାନେ ଯୋଜନାର ବିଭିନ୍ନ ବୈଷୟିକ ଓ ପରିଚାଳନାଗତ ଦିଗ ସମ୍ପର୍କରେ ଆଲୋଚନା କରିଥିବାବେଳେ ଇଣ୍ଡସ୍ଇଣ୍ଡ୍ ବୀମା ସଂସ୍ଥାର ପ୍ରତିନିଧିମାନେ ଫସଲ ବୀମା, ଚାଷୀଙ୍କ ବୀମା ସୁବିଧା ଓ ଦାବି ପ୍ରକ୍ରିୟା ସମ୍ପର୍କରେ ସୂଚନା ଦେଇଥିଲେ। ଏହି ତିନିଦିନିଆ ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ କ୍ଷେତ୍ରସ୍ତରୀୟ କର୍ମଚାରୀମାନଙ୍କ ବୈଷୟିକ ଦକ୍ଷତା ବୃଦ୍ଧି, ଫସଲ ଉତ୍ପାଦନର ସଠିକ୍ ଓ ସ୍ୱଚ୍ଛ ଆକଳନ, ଅନଲାଇନ୍ CCE ପ୍ରକ୍ରିୟାର ସଫଳ ରୂପାୟନ ଏବଂ ଚାଷୀମାନଙ୍କୁ ଉପଯୁକ୍ତ ବୀମା ସୁରକ୍ଷା ପ୍ରଦାନ ଦିଗରେ ଅଧିକ ଦକ୍ଷତା ଓ ସମନ୍ୱୟ ସୃଷ୍ଟି ହେବ ବୋଲି ଆଶା ପ୍ରକାଶ କରାଯାଇଛି।
ଯାଜପୁରରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଉପରେ ଜିଲ୍ଲାସ୍ତରୀୟ ପୁନଃତାଲିମ କାର୍ଯ୍ୟକ୍ରମ ଆରମ୍ଭ ଫସଲ କଟା ପରୀକ୍ଷଣରେ ସ୍ୱଚ୍ଛତା ଓ ଡିଜିଟାଲ୍ପ ଦ୍ଧତିର ସଠିକ୍ ଉପଯୋଗ ଉପରେ ଗୁରୁତ୍ୱ
|
November 11, 2026 |



