-
୩ଦିନର ଚଢାଉ କଲା ପରେ ଫେରି ଗଲେ ଭିଜିଲାନ୍ସ ଟିମ,
-
ଫଳାଫଳକୁ ଅନାଇବସିଛନ୍ତି ଅଂଚଳବାସୀ
ଖଇରା, ୨୬/୬ (ସନ୍ଧାନ ନିୟୁଜ) -କଟକ ଭିଜିଲାନ୍ସ ସଲ ପକ୍ଷରୁ ବାଲେଶ୍ୱର ଜିଲା ଖଇରା ତହସିଲର ଶାରୀଶୂଆ ପାହାଡରେ ପଥର ଖଣି ନିଲାମ, ଖଣି ଖୋଳା, ପାହାଡ ପାଦ ଦେଶରେଥବା ୩କ୍ରସରରେ ହୋଇଥିବା ଅନିୟମିତତା ଉପରେ ୩ଦିନଧରି ତନାଘନା ପରେ ଗୁରୁବାର ସନ୍ଧ୍ୟାରେ କଟକ ଫେରିଯାଇଛନ୍ତି। ଭିଜିଲାନ୍ସ ସେଲ ସହ ପରିବେଶ ବିଭାଗ, ଜଙ୍ଗଲ ବିଭାଗ, ଶ୍ରମ ବିଭାଗ, ବିଦ୍ୟୁତ ବିଭାଗ, ରାଜସ୍ୱ ବିଭାଗ ମଧ୍ୟ ଏହି ଚଢାଉ ଏବଂ ଯାଞ୍ଚରେ ସାମିଲଥିଲେ। ଓଡିଶା ସ୍ପେଶ ଏପ୍ଲିକେଶନ କର୍ପୋରେଶନ ସହାୟତାରେ ଏହି ଟିମ ଖଣି ଗୁଡିକର ମାପଜୁପ କରିଥିଲେ। ଖଇରା ତହସିଲ କାର୍ଯ୍ୟାଳୟକୁ ଯାଇ ନିଲାମ ହୋଇଥିବା ୯୭ଟି ଖଣିର କାଗଜପତ୍ର ଯାଞ୍ଚ ପାଇଁ ସଙ୍ଗରେ ନେଇଯାଇଥିବାର ଡିଏସପି ନିର୍ମଳ ମହାନ୍ତି ପ୍ରକାଶ କରିଛନ୍ତି। ତେବେ ଏଭଳି ଚଢାଉକୁ ନେଇ ଖଣି ଅଞ୍ଚଳବାସୀଙ୍କ ମନରେ ଅନେକ ପ୍ରଶ୍ନ ଅସମାହିତ ହୋଇ ରହିଯାଇଛି। ନିକଟରେ ଖଣି ନିଲାମ ହେବା ପରଠାରୁ ଦିପାବଳିରେ ବାଣ ଫୁଟିବା ଭଳି ପାହାଡରେ ବ୍ଲାଷ୍ଟିଂ ଚାଲିବାା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଅତିଷ୍ଠ କରିସାରିଲାଣି। ଘରକାନ୍ଥ ଫାଟିବା ସହ ରାସ୍ତାଘାଟ ନଷ୍ଟହେବା ପରିବେଶ ପ୍ରଦୂଷିତ ହେବାକୁ ନେଇ ବଗେଇପୁର, ଗାଭର, କୁଟୀରପାଳ, କଦଳୀଗଡିଆ, ଗୁଆପାଳ ଗ୍ରାମବାସୀ ବାରମ୍ବାର ଜିଲା ଓ ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ କରି ଆସୁଛନ୍ତି। ମାତ୍ର କିଛି ଲୋକ ବ୍ଲାଷ୍ଟିଂପାଇଁ ଲାଇସେନ୍ସ ପାଇଛନ୍ତି। ହେଲେ ଶହଶହ ସଂଖ୍ୟାର ବ୍ଲାଷ୍ଟିଂ କରାଯିବା ପ୍ରସଙ୍ଗରେ ଟିମ ନିରବ ରହିବା ନେଇ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। ଏ ସମ୍ପର୍କରେ ଡିଏସପି ନିର୍ମଳ ମହାନ୍ତିଙ୍କୁ ପଚାରିବାରେ ଏହା ଜିଲାପ୍ରଶାସନର ଦାୟିତ୍ୱ କହି ଏଡାଇ ଯାଇଛନ୍ତି। ସେହିଭଳି ଖଣି ଅଞ୍ଚଳ ସଂଲଗ୍ନ ଗ୍ରାମବାସୀ ମାନେ ଖଣିବନ୍ଦ ଯୋଗୁଁ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି ବୋଲି ଦର୍ଶାଇ ବିକ୍ଷୋଭ ଆନ୍ଦୋଳନ ମାଧ୍ୟମରେ ଖଣି ନିଲାମପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଉପରେ ଚାପସୃଷ୍ଟି କରାଯାଇଥିଲା। ସରକାରଙ୍କ ବିଭିନ୍ନ ସଂସ୍ଥା ମଧ୍ୟ ହାଲିଚଲାପଥକୁ ଅଣଦେଖା କରି ନିଲାମ ପ୍ରଦାନ ପାଇଁ ଅନୁମତି ଦେଲେ। ଏବେ ୩ମାସରୁ ଉର୍ଦ୍ଧ ହେବ ଖଣି ଚାଲିବା ଆରମ୍ଭ କରିଥିଲେ ହେଁ ଦାଦନଯିବା ବନ୍ଦ ହୋଇଛି କି ନାହୀଁ ସେ ସମ୍ପର୍କରେ ଟିମ ତର୍ଜମା କରିନଥିବାର ଗ୍ରାମବାସୀଙ୍କ ତରଫରୁ ଅଭିଯୋଗ ହୋଇଛି। ସେହିଭଳି ଯେତେଜଣ ଶ୍ରମିକ କାର୍ଯ୍ୟ କରୁଛନ୍ତି ସେମାନେ ସୁରକ୍ଷିତ କି ଅସୁରକ୍ଷିତ ସେପ୍ରସଙ୍ଗକୁ ବିଶେଷ ଗୁରୁତ୍ୱ ଦିଆଯାଇନାହିଁ। କାରଣ ଗତ ୧୦ବର୍ଷ ମଧ୍ୟରେ ବିଭିନ୍ନ କାରଣ ଯୋଗୁଁ ଖଣିରେ ପଡି ୨୦ରୁ ଉର୍ଦ୍ଧ ଶ୍ରମିକମୃତ୍ୟୁ ବରଣ କରିଥିଲେ ହେଁ ସେମାନଙ୍କ ପରିବାରକୁ ଖଣି ମାଲିକମାନେ କିଛି ଟଙ୍କାଦେଇ ମୁହଁବନ୍ଦ କରାଇଛନ୍ତି। ସେମାନଙ୍କ ପରିବାର ଏବେ ବେସାହାରା ହୋଇ ବୁଲୁଛନ୍ତି। ଏ ସମ୍ପର୍କରେ ଡିଏସପି ମହାନ୍ତିଙ୍କୁ ପଚାରିବାରେ ରଜଛୁଟି ଯୋଗୁଁ ଖଣି ଖୋଳା ବନ୍ଦ ରହିଛି। ଏଣୁ ଯାଞ୍ଚଠିକ ଭାବେ ହୋଇପାରିନଥିବାର କହିଛନ୍ତି। ଭିଜିଲାନ୍ସ ସେଲ ନିକଟରୁ ଅଞ୍ଚଳବାସୀ ଯାହାଆଶା କରିଥିଲେ ଆଶାନୁରୂପ ତଦନ୍ତ ହେଲା ନାହିଁ ବୋଲିି ବ୍ଲକ ଉପାଧକ୍ଷ ଜୟନ୍ତ କୁମାର ରାଉତ ପ୍ରକାଶ କରିଛନ୍ତି।। ହାତିଚଲାପଥ ବନ୍ଦ କରିବାକୁ ଖଣିମାଲିକ ବିଭିନ୍ନ ଷଡଯନ୍ତ୍ର କରି ବନ୍ଦପଡିଥିବା ଖଣି ଚଲାଇବାକୁ ସକ୍ଷମ ହେଲେ। ହେଲେ ଏଭଳି ଭିଜିଲାନ୍ସ ଚଢାଉ ନାଟକ କେବଳ ଏକ ଭେଳିକି ବୋଲି ମିନା ନାଇକି, ସୁକାନ୍ତି ନାଇକ ପ୍ରମୁଖ ଅଭିଯୋଗ କରିଛନ୍ତି। ନିର୍ଦ୍ଦିଷ୍ଟ କେତେକ ଖଣି ଦେଖି ଭିଜିଲାନ୍ସ ବିଭାଗ ଫେରିଯାଇଛନ୍ତି। ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ପୂର୍ବତନ ଜିଲାପରିଷଦ ସଭ୍ୟ ଗଜେନ୍ଦ୍ର ଦାସ କହିଛନ୍ତି। ତେବେ କଟକ ଅଫିସରେ କାଗଜପତ୍ର ଯାଞ୍ଚ ହେବ ବୋଲି ଭିଜିଲାନ୍ସ ସେଲ ପକ୍ଷରୁ ସଫେଇ ଦିଆଯାଇଛି। ଅନିୟମିତତା ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅନ୍ୟତମ ଡିଏସପି ସୁରେଶ ଦାସ ଦୃଢୋକ୍ତି ପ୍ରକାଶ କରିଛନ୍ତି। ହେଲେ ଟିମ ଖଣିମାଲିକଙ୍କ ଚକ୍ରବ୍ୟୁହରେ ପଡି ଦିଗହରା ହୋଇଛନ୍ତି କି ବେଆଇନ ଖଣି ଖନନ ଉପରେ ଅଙ୍କୁଶ ଲଗାଇପାରୁଛନ୍ତି ସେକଥା ଦେଖିବାକୁ ଖଇରା ଅଞ୍ଚଳର ହଜାର ହଜାର କ୍ଷତିଗ୍ରସ୍ଥ ଗ୍ରାମବାସୀ ଅପେକ୍ଷା କରିଛନ୍ତି। ଏଠାରେ ପ୍ରକାଶ ଥାଉକି ଶାରିଶୁଆ ପାହାଡ ପାଦଦେଶ ଅଂଚଳକୁ ସରକାର ହାତୀ ଚଲାପଥ ଘୋଷଣା କଲାପରେ ଦୀର୍ଘ ୪ରୁ ଉର୍ଦ୍ଧ ଖଣିଖାଦାନ ଓ କ୍ରସର ବନ୍ଦ ଥିଲା ବର୍ତ୍ତମାନ କ୍ରସର ଓ ଖଣିଖାଦାନ ଚାଲିଲ, ତା’ହେଲେ ହାତୀ ଚଲାପଥ ଗଲାକୁଆଡେ ବୋଲି ସରକାରଙ୍କୁ ଅଂଚଳବାସୀଙ୍କର ପ୍ରଶ୍ନ।