ଭୁବନେଶ୍ୱର, ୧୫/୨(ସନ୍ଧାନ ନିୟୁଜ) : ଶ୍ରୀନଗର ପୁଲୱାମାରେ ଭୟଙ୍କର ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ପରେ ଦେଶରେ ସୃଷ୍ଟି ହୋଇଥିବା ଜରୁରୀକାଳୀନ ପରିସ୍ଥିତିକୁ ଧ୍ୟାନରେ ରଖି ଜାତିଭିତ୍ତିକ ସଂରକ୍ଷଣ ଓ ପ୍ରାଣଘାତକ ଆଟ୍ରୋସିଟି ଆଇନ ବିରୁଦ୍ଧରେ ସବର୍ଣ୍ଣ ଓଡ଼ିଶା ଓ ଇଣ୍ଡିଆ ଏଗେନଷ୍ଟ ରିଜର୍ଭେସନ ଭଳି ଆରକ୍ଷଣ ବିରୋଧୀ ସଙ୍ଗଠନମାନଙ୍କ ପକ୍ଷରୁ ଆହୁତ ବିକ୍ଷୋଭ କାର୍ଯ୍ୟକ୍ରମକୁ ବାତିଲ କରିଦିଆଯାଇଛି । ସଙ୍ଗଠନ ପକ୍ଷରୁ ପ୍ରେସ ବିବୃତି ଜାରି କରି କୁହାଯାଇଛି ଯେ ଦେଶର ଆଭ୍ୟନ୍ତରୀଣ ଆଇନ ବ୍ୟବସ୍ଥା ଯେତେ ଖରାପ ହେଲେ ମଧ୍ୟ ରାଷ୍ଟ୍ର ଉପରେ ବାହ୍ୟ ଆକ୍ରମଣ ସମୟରେ ଆମେ ସେସବୁ ଭୁଲି ଯଥାସ୍ଥିତିରେ ଉପସ୍ଥିତ ସରକାରଙ୍କୁ ସମସ୍ତ ପ୍ରକାର ସମର୍ଥନ ଯୋଗାଇଦେବା ଆମର ନୈତିକ କର୍ତ୍ତବ୍ୟ । ଏପରିକି ଇଂରେଜ ଶାସନ ସମୟରେ କିଛି ନିର୍ଦ୍ଦିଷ୍ଟ ଜାତି ଏବଂ ସମ୍ପ୍ରଦାୟର ନେତୃଗଣ ନିଜ ନିଜର ରାଜନୈତିକ ପ୍ରତିଷ୍ଠା ପାଇଁ ବ୍ରିଟିଶ ସାମ୍ରାଜ୍ୟ ସହ ହାତ ମିଳାଇଥିବା ଜାଣି ମଧ୍ୟ ସେସବୁ ସେମାନଙ୍କ ସହଜାତ ପ୍ରବୃତ୍ତି ମନେକରି ଭୁଲିବାକୁ ହେବ ବୋଲି କହିଛନ୍ତି ସବର୍ଣ୍ଣ ଓଡ଼ିଶାର ଆବାହକ ଜେନେରାଲ ଦୀନବନ୍ଧୁ ଷଡ଼ଙ୍ଗୀ । ବର୍ତ୍ତମାନର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଆମେ ସମସ୍ତେ ଏକମନ ଏକପ୍ରାଣ ହୋଇ ସରକାରଙ୍କ ସହିତ ରହିଛୁ ଏବଂ ତ୍ରୁଟିପୂର୍ଣ୍ଣ SC/ST ଆଟ୍ରୋସିଟି ଆଇନ ଭଳି ଦେଶ ବିଭାଜନକାରୀ ସବର୍ଣ୍ଣ ବିରୋଧୀ ଆଇନ ସତ୍ତ୍ୱେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନକରି ଅତ୍ୟନ୍ତ ବିନମ୍ରତାର ସହ କେନ୍ଦ୍ର ସରକାରଙ୍କୁ ଏ ପ୍ରାଣଘାତକ ଆଇନକୁ ରଦ୍ଦ କରିବା ପାଇଁ ନିବେଦନ କରିଛନ୍ତି ଇଣ୍ଡିଆ ଏଗେନଷ୍ଟ ରିଜର୍ଭେସନ ସଭାପତି ପ୍ରଫୁଲ୍ଲ କୁମାର ଷଡ଼ଙ୍ଗୀ । ଦେଶର ଏ ଦୁଃଖଦ ସମୟରେ ସଙ୍ଗଠନ ପକ୍ଷରୁ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଆତଙ୍କବାଦୀ ଆକ୍ରମଣର ଦୃଢ଼ ନିନ୍ଦା କରାଯାଇଛି । ଦେଶରେ ଆତଙ୍କବାଦର ମୂଳୋତ୍ପାଟନ ପାଇଁ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣ ବର୍ଗ ସମ୍ମିଳନୀ ପକ୍ଷରୁ ଦାବି କରିଛନ୍ତି ଆବାହକ ମିଲନ କୁମାର ପ୍ରଧାନ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଆଇନ ଆଖିରେ ସମାନ ବୋଲି ସମ୍ବିଧାନର ମୁଖବନ୍ଧରେ ଲିପିବଦ୍ଧ ଥିଲେ ମଧ୍ୟ ସମ୍ବିଧାନର ପରବର୍ତ୍ତୀ ପୃଷ୍ଠାଗୁଡ଼ିକରେ ଏହାର ଅବମୂଲ୍ୟାୟନ କରି ଭାରତୀୟମାନଙ୍କୁ ବର୍ଗ ଏବଂ ସମ୍ପ୍ରଦାୟଭିତ୍ତରେ ଭାଗ ଭାଗ କରି ଅଲଗା ଅଲଗା ଆଇନର ବ୍ୟବସ୍ଥା କରାଯାଇଛି । ଯାହା ସମ୍ବିଧାନର ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରୁଥିବା ବେଳେ ଭାରତୀୟଙ୍କୁ ଆଭ୍ୟନ୍ତରୀଣ ରୂପେ ଭାଗ ଭାଗ କରୁଛି । ଯେଉଁ ବିଭେଦ ସରକାରୀ ଭାବେ ସୃଷ୍ଟି କରାଯାଇଛି ତାହା ଆମ ଦେଶକୁ ଅଧିକ ଦୁର୍ବଳ କରୁଛି ବୋଲି କହିଛନ୍ତି ଅନ୍ୟତମ ଆରକ୍ଷଣ ବିରୋଧୀ ସଂଗ୍ରାମୀ ଲକ୍ଷ୍ମଣ ଚୌଧୁରୀ । ସମସ୍ତ ଜାତିଭେଦ ଭୂଲି ଆମେ ସମସ୍ତେ ଭାରତୀୟ ବୋଲି ଭାବନା ରଖିବା ପାଇଁ ଆହ୍ୱାନ ଦେଇଛନ୍ତି ରୁଦ୍ରନାରାୟଣ ସେନା ପ୍ରମୁଖ ସୀତାରାମ ଶତପଥୀ । ବର୍ତ୍ତମାନ ସମସ୍ତ ଭେଦଭାବ ଭୁଲି ଆମେ ନିଜର ଏକତ୍ୱ ପ୍ରଦର୍ଶନ କରିବା ସମୟ ବୋଲି କହିଛନ୍ତି ମହିଳା ସମାଜିକ କର୍ମୀ ବନଜାବାସିନୀ ତ୍ରିପାଠୀ । ଶହୀଦମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସବୁ ଭାରତୀୟ ଏ ଆତଙ୍କବାଦ ବିରୁଦ୍ଧରେ ଏକାଠି ହେବା ପାଇଁ ଆହ୍ୱାନ କରିଛନ୍ତି ଅବସରପ୍ରାପ୍ତ ବାୟୁସୈନିକ କୃତ୍ତିବାସ ମିଶ୍ର ।
ବାତିଲ ହେଲା ଆରକ୍ଷଣ ଓ ଆଟ୍ରୋସିଟି ବିରୋଧୀ ଆନ୍ଦୋଳନ
|
February 16, 2019 |
