ରାଉରକେଲା, ୨୧/୯ (ସନ୍ଧାନ ନିୟୁଜ) : ଜାତୀୟ ରାଜପଥ-୧୪୩ରେ ଦୁର୍ଘଟଣା ସତେ ଯେମିତି ପିଛା ଛାଡ଼ୁନି । ଦୁର୍ଘଟଣାର ହାର ବଢୁଥିବା ବେଳେ, ଅପରପକ୍ଷରେ ଅକାଳରେ ଝଡ଼ି ପଡୁଛି ଅମୂଲ୍ୟ ଜୀବନ । କେତେବେଳେ ମା’ର କୋଳ ଖାଲି ହୋଇଯାଉଥିବା ବେଳେ, ସ୍ତ୍ରୀର ମଥାରୁ ଲିଭୁଛି ସିନ୍ଦୁର! ଜାତୀୟ ରାଜପଥ ୧୪୩ରେ ମୃତୁ୍ୟ ପ୍ରତିଦିନ ଯେପରି ଆଁ କରି ରହିଛି । ଏହି ରାସ୍ତାରେ ପ୍ରତିଦିନ ଦକ୍ଷିଣ ରାଉରକେଲା ସମେତ ସାରନଗରୀ ଅଂଚଳ ବ୍ୟତିତ ୭ଟି ଗ୍ରାମ ପଚାୟତର ବାସିନ୍ଦା ମାନେ ବିଭିନ୍ନ କାର୍ଯ୍ୟରେ ରାଉରକେଲାର ବିଭିନ୍ନ ଅଂଚଳକୁ ସାଇକେଲ, ବାଇକ ଧରି ଯାଆସ କରୁଥିବା ବେଳେ, ପ୍ରତିଦିନ ଯାତ୍ରୀବାହୀ ଅଟୋ, ଘରୋଇ ଚାରିଚକିଆ ଯାନ ଜାତୀୟ ରାଜପଥରେ ଗଡ଼ିବା ଦେଖିବାକୁ ମିଳେ । ସେହିପରି ବହୁ ସଂଖ୍ୟକ ଭାରୀଯାନ ଯଥା ଡମ୍ପର, ଟ୍ରଲର, ଟ୍ରକ ଗୁଡ଼ିକ ରାଜୁତି ଚାଲେ ଏହି ଜାତୀୟ ରାଜପଥର ଛାତିରେ । ମାତ୍ର ଭାରୀଯାନ ଚାଳକ ମାନେ ମଦ୍ୟପାନ ଗାଡ଼ି ଚଳାଚଳ କରିବା ବହୁ ସମୟରେ ବିଭିନ୍ନ ମହଲରୁ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ, ଚାଳକ ମାନଙ୍କ ପ୍ରତି କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା କାରଣରୁ କ୍ଷଣକରେ ଆରପାରିକୁ ଚାଲି ଯାଉଛି ଜୀବନ । ଅନେକ ଦୁର୍ଘଟଣାର ଶୀକାର ହୋଇ ପଙ୍ଗୁ ହେବାକୁ ବାଧ୍ୟ ହେଉଛନ୍ତି । ଗତ ଦୁଇ ଦିନ ତଳେ ବାଲିଯୋଡ଼ି ଅଂଚଳର ଜଣେ ଯୁବକ ନିଜ ସ୍ତ୍ରୀ ଓ ପିଲାଙ୍କ ସହ ରଙ୍ଗୋଲି ଛକ ନିକଟ ଏକ ପେଟ୍ରୋଲ ପମ୍ପ ନିକଟରେ ଛିଡ଼ା ହୋଇଥିବା ବେଳେ, ଉକ୍ତ ପେଟ୍ରୋଲ ପମ୍ପରୁ ତେଲ ପକାଇ ଫେରୁଥିବା ଏକ ଟ୍ରକ ଉକ୍ତ ଯୁବକଙ୍କ ଉପରେ ମାଡ଼ି ଯିବାରୁ, ସେଠାରେ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା । ସେହିପରି ଅନେକ ସମୟରେ ଏହି ଜାତୀୟ ରାଜପଥରେ ଘଟୁଥିବା ଦୁର୍ଘଟଣା ମଧ୍ୟରେ, ଅନେକାଂଶ ପାଇଁ ଭାରୀଯାନ ଚାଳକ ମାନଙ୍କ ଦାୟୀ କରିବା ସ୍ୱାଭାବିକ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି । ସେହିପରି ଜାତୀୟ ରାଜପଥ କଡ଼ରେ ଭାରୀଯାନ ଗୁଡ଼ିକ ପାର୍କିଂ ରହିବା ଫଳରୁ ରାସ୍ତା କୃତିମ ଭାବରେ ଅଣଓସାରିଆ ହୋଇ ରହୁଛି । ଏହା ଫଳରେ ବାଇକ ଚାଳକ ମାନେ ରାସ୍ତା ଦେଇ ଯିବା ସମୟରେ ଅସୁବିଧାର ସମ୍ମୁଖୀନ ହୋଇ ଦୁର୍ଘଟଣାର ଶୀକାର ହେଉଥିବା ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ରାସ୍ତା କଡ଼ରେ ଅବୈଧ ଭାବେ ପାର୍କିଂ କରୁଥିବା ଭାରୀଯାନ ଚାଳକ ମାନଙ୍କ ପ୍ରତି କୌଣସି ପୁଲିସିଆ କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବାରୁ ଏହା ପରୋକ୍ଷରେ ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି । ଦକ୍ଷିଣ ରାଉରକେଲା ଅଂଚଳରେ ଥିବା ୨ଟି ପେଟ୍ରୋଲ ପମ୍ପ କଡ଼ରେ ବହୁ ସମୟରେ ଭାରୀଯାନ ଗୁଡ଼ିକ ବହୁ ସମୟ ଧରି ଅକାରଣରେ ପାର୍କିଂ କରୁଥିବାରୁ ଏହା ଦୁର୍ଘଟଣାର ଏକ ପ୍ରମୁଖ ମାଧ୍ୟମ ବୋଲି ରାଉରକେଲା ସଚେତନ ନାଗରିକ ମଂଚର ସାଧାରଣ ସମ୍ପାଦକ ପି. ପି. ରାୟ ତାଙ୍କ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି । ବର୍ତମାନ ପ୍ରଶ୍ନ ଉଠୁଛି, ଜାତୀୟ ରାଜପଥ- ୧୪୩ରେ ବାରମ୍ବାର ଘଟୁଥିବା ଏଭଳି ଦୁର୍ଘଟଣା ପାଇଁ ପୁଲିସ ପ୍ରଶାସନର ଦୃଢ କାର୍ଯ୍ୟାନୁଷ୍ଠାନ ସାଙ୍ଗକୁ ଉପଯୁକ୍ତ ସଚେତନତା ରହି ପାରିଲେ କିଛି ମାତ୍ରାରେ ଦୁର୍ଘଟଣାରୁ ନିସ୍ତାର ମିଳିପାରିବ ।
ବଢୁଛି ଦୁର୍ଘଟଣା: ଦାୟୀ ଅବ୍ୟବସ୍ଥିତ ପାର୍କିଂ, ଦୋଷୀ ମଦ୍ୟପ ଚାଳକ!
|
September 21, 2019 |
