ବଡଚଣା ବ୍ଳକରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ଥ : ୯୦ପ୍ରତିଶତ ସ୍କୁଲରେ ନାହାନ୍ତି ପ୍ରଧାନ ଶିକ୍ଷକ

Spread the love

ଚଣ୍ଡିଖୋଲ,୧୭/୧ (ସନ୍ଧାନ ନିୟୁଜ)-ରାଜ୍ୟ ସରକାର ଶିକ୍ଷାକୁ ପ୍ରଧାନ୍ୟ ଦେବା ସହ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ବ୍ୟାପକ ପନ୍ଥା ଗ୍ରହଣ କରୁଥିଲା ବେଳେ ବଡଚଣାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଏହି ବ୍ଳକ ଅଧିନରେ ୮୧ ଗୋଟି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଲୟ, ୧୬୯ଟି ପ୍ରାଥମିକ ବିଦ୍ୟାଳୟ ରହିଥିଲା ବେଳେ ୫୬ଗୋଟି ଉଚ୍ଚ ବିଦ୍ୟାଳୟ ରହିଅଛି । ଅନେକ ସ୍କୁଲରେ ଶିକ୍ଷକ ପଦବୀ ଖାଲି ଥିଲା ବେଳେ ପ୍ରାୟ ୯୦ ପ୍ରତିଶତ ସ୍କୁଲରେ ପ୍ରଧାନ ଶିକ୍ଷକ ଖାଲି ପଡିଛି । ଆକଳନ ଅନୁଯାୟୀ ପ୍ରାୟ ୨ଶହରୁ ଉର୍ଦ୍ଧ ଶିକ୍ଷକ ପଦବୀ ଖାଲି ପଡିବା ସହ ସହକାରୀ ଶିକ୍ଷକ ମାନେ ପ୍ରଧାନ ଶିକ୍ଷକ ଦାୟିତ୍ୱ ନିର୍ବାହ କରି ଆସୁଛନ୍ତି । ଶିକ୍ଷକ ପଦବୀ ଖାଲି ପଡିବା ଯୋଗୁ ସରକାରୀ ପ୍ରାଥମିକ ଶିକ୍ଷାର ଅବସ୍ଥା ବଡଚଣାରେ ଶୋଚନୀୟ ହୋଇପଡିଛି । ଏହି ବ୍ଳକରେ ଖୋଲା ଖୋଲି ଭାବେ ନିୟମକୁ ଉଲଂଘନ କରାଯାଇ ଶିକ୍ଷକ ବଦଳି ନୀତି ପ୍ରଣୟନ କରାଯାଉଛି । କଳକଳା ନୋଡାଲ, ବନ୍ଦାଳୋ, ଶ୍ରୀମା ଶ୍ରୀ ଅରବିନ୍ଦ କୋହ୍ଲା ସିଂ, କଳକଳା ୟୁ.ପି.ଶାଳପଡା ଭଳି ଅନେକ ସ୍କୁଲରେ ଅଧିକ ପିଲା ସତ୍ୱେ ଶିକ୍ଷକ ସଂଖ୍ୟା କମ ଥିବାରୁ ଶିକ୍ଷାଦାନରେ ଘୋର ବ୍ୟାଘାତ ସୃଷ୍ଟି ହେଉଅଛି । ସେହିପରି ଧାନମଣ୍ଡଳ, ଛତିଆ, ଦର୍ପଣ, ନୂଆ ସୁଙ୍ଗୁଡା, ନିଶିମଳା, ବାଲିଚନ୍ଦ୍୍୍ରପୁର, ଚାରିନଙ୍ଗଳ, ନୂଆଗାଁ, ବିଦ୍ୟାଧରପୁର ଆଦି ସ୍କୁଲରେ ନିୟମ ମୁତାବକ ପିଲା ରେସିଓ ଅନୁଯାୟୀ ଅଧିକ ଶିକ୍ଷକ ରହିଅଛନ୍ତି । ଏହି ଶିକ୍ଷା ବିଭାଗ ଅଧିନରେ ୧୮ ଜଣ ସି.ଆର.ସି. ନିଯୁକ୍ତ ହୋଇଛନ୍ତି । ସରକାରୀ ନିୟମକୁ ଉଲଂଘନ କରି ସେଥିମଧ୍ୟରୁ ୧୪ ଜଣ ପ୍ରାୟ ୧୦ ବର୍ଷରୁ ଉର୍ଦ୍ଧ ସମୟ ଧରି ସିଆରସି ଭାବେ କାର୍ଯ୍ୟ କକରୁଥିଲା ବେଳେ ୭ ବର୍ଷ ହେବ ୩ ଜଣ ଏବଂ ୧ ବର୍ଷ ହେବ ଜଣେ ଏହି ପଦବିରେ କାର୍ଯ୍ୟ କରୁଛନ୍ତି । ନିୟମ ଅନୁଯାୟୀ ଜଣେ ସି.ଆ.ର.ସି ୫ ବର୍ଷ ଏହି ପଦବୀରେ ରହିବା ସହ ୧୫ ଦିନ ଅଫିସ କାର୍ଯ୍ୟ ଏବଂ ୧୫ଦିନ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବେ । କିନ୍ତୁ ଏଠାରେ ଶିକ୍ଷାଧିକାରିନୀଙ୍କ ଅପାଗତା ପାଇଁ ସି.ଆର.ସି. ମାନେ ୩୦ ଦିନ ଯାକ ବ୍ଳକ ଶିକ୍ଷା କାର୍ଯ୍ୟାଳୟରେ ବସି ରହୁଛନ୍ତି । ଦର୍ପଣ, ଧାନମଣ୍ଡଳ, ଛତିଆ, ନିଶିମଳା, ଚାରିନଙ୍ଗଳ, ବାଲିଚନ୍ଦ୍ରପୁର ଆଦି ସ୍କୁଲରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଠିକଣା ଢଙ୍ଗରେ ଚାଲୁ ନାହିଁ । ଏଠାରେ କମ ପିଲା ମଧ୍ୟାହ୍ନ ଭୋଜନ ଗ୍ରହଣ କରୁଥିଲା ବେଳେ ଅଧିକ ପିଲା ଦର୍ଶାଇ ଅର୍ଥ ଆତ୍ମସାତ କରାଯାଉଛି । କିଛି ଶିକ୍ଷକ ଅଫିସରେ ବୁଲି ଦରମା ନେଉଥିଲା ବେଳେ ସେମାନଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରିବା ସହ ନିୟମକୁ ଉଲଂଘନ କରି କୌଣସି ଅଭିଯୋଗ ନଥାଇ କେତେକ ସ୍କୁଲକୁ ବାରମ୍ବାର ଶିକ୍ଷାଧିକାରିଣୀଙ୍କ ଗ୍ରସ୍ତ ରହୁଛି । ଦୀର୍ଘ ଚାରି ବର୍ଷରୁ ଉର୍ଦ୍ଧ ସମୟ ଏଠାରେ କାର୍ଯ୍ୟରତ ଶିକ୍ଷାଧିକାରିଣୀ ରାଜନୈତିକ ପୋଷାପାଲି ଭିତରେ ନିଜକୁ ଆବଦ୍ଧ କରିବା ସହ ସମସ୍ତ ନିୟମ କାନୁନକୁ ଚୁଲି ଭୀତରକୁ ଠେଲି ଦେଉଛନ୍ତି । ଏଭଳି ସ୍ଥିତିରେ ବଡଚଣାର ଅନେକ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସନ୍ଦିହାନ ହେବା ସହ ଅନେକ ଅଭିଭାବକ ନିଜ ପିଲାର ଭବିଷ୍ୟତ ପାଇଁ ବାଧ୍ୟ ହୋଇ ବେସରକାରୀ ସ୍କୁଲକୁ ଆପଣାଉଛନ୍ତି ।

Related Posts

About The Author

Add Comment