ନୂଆଦିଲ୍ଲୀ ,୧୭/୧ (ସନ୍ଧାନ ନିୟୁଜ): ପ୍ଲାଷ୍ଟିକ୍ ବର୍ଜ୍ୟ ବସ୍ତୁ ନଷ୍ଟ ପାଇଁ ବିଶ୍ୱସ୍ତରର କମ୍ପାନୀଗୁଡ଼ିକ ମିଳିତ ହୋଇଛନ୍ତି । ପରିବେଶ ତଥା ସମୁଦ୍ରରେ ପକାଯାଉଥିବା ବଜର୍ୟବସ୍ତୁ ନଷ୍ଟ ପାଇଁ ଏହି ସଂଗଠନ ମିଳିତ ଭାବେ କାର୍ଯ୍ୟ ସମ୍ପାଦନ କରିବ। ୩୦ ସଦସ୍ୟ ବିଶିଷ୍ଟ କମ୍ପାନୀ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁର ନଷ୍ଟ ପାଇଁ ୧ ବିଲିୟନ୍ ଡଲାର ଅନୁଦାନ ସଂଗ୍ରହ କରିଛନ୍ତି । ଆସନ୍ତା ୫ ବର୍ଷରେ ଏହାକୁ ୧.୫ ବିଲିୟନ୍ ଡଲାରକୁ ବୃଦ୍ଧି କରାଯିବାର ଯୋଜନା ରହିଛି। ଏହି ମିଳିତ କାର୍ଯ୍ୟକ୍ରମ ଦ୍ୱାରା ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁକୁ ସର୍ବନିମ୍ନ କରାଯିବାର ଯୋଜନା ରହିଛି। ଏଥିରେ ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ୟୁରୋପ, ଏସିଆ, ଦକ୍ଷିଣପୂର୍ବ ଏସିଆ, ଆଫ୍ରିକା, ଆରବିଆନ୍ ଗଲ୍ଫ ଆଦି ରାଷ୍ଟ୍ରରେ ଥିବା କମ୍ପାନୀ ମିଳିତ ହୋଇଛନ୍ତି ।
ଏହି ମିଳିତ କାର୍ଯ୍ୟକ୍ରମ କୌଣସି ଲାଭ ଉଦ୍ଦେଶ୍ୟ ରଖି କରାଯାଉନାହିଁ। ଏହା ମଧ୍ୟରେ ପ୍ଲାଷ୍ଟିକ୍ ପ୍ରସ୍ତୁତ, ବ୍ୟବହାର, ବିକ୍ରି, ପ୍ରୋସେସ୍, ସଂଗ୍ରହ ଏବଂ ରିସାଇକିଲ୍ ପ୍ଲାଷ୍ଟିକ୍, କେମିକାଲ ଏବଂ ପ୍ଲାଷ୍ଟିକ୍ ନିର୍ମାତା, କ୍ୟୁମର ଗୁଡସ୍ କମ୍ପାନୀ, ରିଟେଲର, କନଭର୍ଟର, ବର୍ଜବସ୍ତୁ ପରିଚାଳନା କମ୍ପାନୀ ଆଦିକୁ ଅନ୍ତର୍ଭୁକ୍ତ କରାଯାଇଛି। ସେମାନେ ମିଳିତ ଭାବେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ନଷ୍ଟ କ୍ଷେତ୍ରରେ କାଯର୍ୟ କରିବେ।
ଏହି ମିଳିତ କାର୍ଯ୍ୟକ୍ରମରେ ବିଭିନ୍ନ ସହର ସହିତ ମିଳିତ ଭାବେ କାଯର୍ୟ କରାଯିବା ସହିତ ଜ୍ଞାନକୌଶଳ ତଥା ଆବଶ୍ୟକ ଫଣ୍ଡ ସଂଗ୍ରହ କରାଯିବ। ଏହା ଦ୍ୱାରା ଗ୍ଲୋବାଲ ଇନଫରମେସନ୍ ପ୍ରୋଜେକ୍ଟ, ମିଳିତ ଜାତିସଂଘ ପରିବେଶ ବିଭାଗ ମିଳିତ ଭାବେ କାର୍ଯ୍ୟ କରି ସମୁଦ୍ରରେ ବର୍ଜ୍ୟବସ୍ତୁ ପରିଚାଳନା କାର୍ଯ୍ୟ ସମ୍ପନ୍ନ ହେବ। ଏହାକୁ ନ୍ୟାସନାଲ ଜିଓଗ୍ରାଫିକ୍ ଆବଶ୍ୟକ ସହାୟତା ଯୋଗାଇ ଦେବ। ଏଥିରେ ଭିତ୍ତିଭୂମି ବିକାଶ, ଇନୋଭେସନ୍, ଶିକ୍ଷା ତଥା ସ୍ୱଚ୍ଛତା ଆଦି କାର୍ଯ୍ୟକ୍ରମକୁ ଅନ୍ତର୍ଭୁକ୍ତ କରାଯାଇଛି।