ଧର୍ମଶାଳା ୧୯/୧୧ (ସନ୍ଧାନ ନିଉଜ) : ଧର୍ମଶାଳା ଥାନା ଉତରପ୍ରତାପ ପଂଚାୟତ ନରସିଂହପୁର ଗ୍ରାମ ରାସ୍ତା ପାଶ୍ୱର୍ ଧାନ ଜମିରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହ ନିକଟରୁ ପୁଲିସ ଏକ ବାଇକ୍କୁ ମଧ୍ୟ ଜବତ କରିଛି । ମୃତ ଯୁବକ ହେଲେ ଏହି ଥାନା ଅନ୍ତର୍ଗତ ଦେଓଦା (ତିନିଘରିଆ ସାହି) ଗ୍ରାମର ଲକ୍ଷ୍ମୀଧର ମଲିକଙ୍କ ସାନପୁଅ କାଳନ୍ଦୀ (୩୦) । କାଳନ୍ଦୀ ନରସିଂହପୁର ଗାଁରେ ହେଉଥିବା ଅପେରା ଦେଖିବା ପାଇଁ ଗତକାଲି ରାତି ପ୍ରାୟ ୧୧ ଟାରେ ଘରୁ ଏକ ବାଇକ୍ରେ ଯାଇଥିଲେ । ରାସ୍ତାଠାରୁ ପ୍ରାୟ ୧୦ ମିଟର ଦୂର ଓ ୮ ଫୁଟ ଖାଲ ଧାନ ଜମିରେ ପଡିଥିବା ବାଇକ୍ ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି । ଅଜଣା ଗାଡି ଧକ୍କାରେ କାଳନ୍ଦୀଙ୍କର ମୃତୁ୍ୟ ହୋଇଥିବା ପୁଲିସ ସନେ୍ଦହ କରୁଛି । ଧର୍ମଶାଳା ଡାକ୍ତରଖାନାରେ କାଳନ୍ଦୀଙ୍କୁ ଡାକ୍ତର ମୃତ ଘୋଷଣା କରିବା ପରେ ଶବ ବ୍ୟବଚ୍ଛେଦ ନିମନ୍ତେ ପୁଲିସ ମୃତଦେହକୁ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି । ଦୁଇବର୍ଷ ପୂର୍ବରୁ ବିବାହ କରିଥିବା କାଳନ୍ଦୀ ଶ୍ରମିକ ଭାବେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିଲେ । ତାଙ୍କର ଏକ ୭ ମାସର ପୁଅ ଓ ପତ୍ନୀ ଅଛନ୍ତି ।
ଧାନ ବିଲରୁ ଯୁବକଙ୍କ ମୃତ ଦେହ ଉଦ୍ଧାର
|
November 19, 2019 |



