ଧର୍ମଶାଳା ଭାଜପାରେ ବିରୋଧୀ ସ୍ୱର ପଦାରେ ପଡିଲା ଟିକେଟ ବଂଟନ ପ୍ରକ୍ରିୟାକୁ ବିରୋଧ, ନେତା ଓ ଦଳୀୟ କର୍ମକର୍ତ୍ତାଙ୍କ ସମୂହ ଇସ୍ତଫା

Spread the love

ଯାଜପୁର,୨୩/୩ (ସନ୍ଧାନ ନିୟୁଜ) ଧର୍ମଶାଳା ଭାଜପାରେ ବିରୋଧୀ ସ୍ୱର ପଦାରେ ପଡି ଯାଇଛି । ଭାଜପା ପକ୍ଷରୁ ଏହି ନିର୍ବାଚନ ମଣ୍ଡଳିରେ ଟିକେଟ ବଂଟନକୁ ନେଇ ଦଳ ଭିତରେ ଅସନ୍ତୋଷ ଦେଖାଦେଇଛି । ଟିକେଟ ବଂଟନରେ ଚଂଚକତା କରାଯାଇଛି ବୋଲି ଦର୍ଶାଇ ପଂଚାୟତସ୍ତରର ନେତା ଓ କର୍ମକର୍ତ୍ତାଗଣ ଆଜି ସଂଧ୍ୟାରେ ସମୂହ ଇସ୍ତଫା ଦେଇଛନ୍ତି । ଇସ୍ତଫା ପ୍ରଦାନକାରୀମାନେ ସେମାନଙ୍କର ଇସ୍ତଫା ପତ୍ରକୁ ଭାଜାପାର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇଛନ୍ତି । ଏ ଦିଗରେ ଦଳ ପୁନଃର୍ବିଚାର ନକଲେ ହଜାର ହାଜର କର୍ମୀ ଦଳ ତ୍ୟାଗ କରିବେ ବୋଲି ଅନୁଷ୍ଠିତ ଏକ ବୈଠକରେ ଉପସ୍ଥିତ କର୍ମୀମାନେ ଏକ ସ୍ୱରରେ ଘୋଷଣା କରିଛନ୍ତି ।

କୁଆଖିଆ ବାଜର ଠାରେ କବାଟ ବନ୍ଧ ମଣ୍ଡଳ ଜୋନ(ଜୋନ୍ ନଂ-୧୧) ସଭାପତି ଦିଲୀପ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଧର୍ମଶାଳା ବ୍ଲକର ୪୫ ଓ ରସୁଲପୁର ବ୍ଲକର ୯ଟି ପଂଚାୟତର ଛାମୁଆ କର୍ମୀମାନେ ଯୋଗଦେଇ ଥିଲେ । ଧର୍ମଶାଳା ନିର୍ବାଚନ ମଣ୍ଡଳିରେ ଦଳ ପକ୍ଷରୁ ଗୁରୁବାର ଦିନ ରାତିରେ ତୁଷାର ପରିଡା ନାମକ ଜନୈକ ବ୍ୟକ୍ତିଙ୍କ ନାମକୁ ପ୍ରାର୍ଥୀ ଭାବରେ ଘୋଷଣା କରାଯାଇଥିଲା । ରାଜ୍ୟସ୍ତରରୁ ଏହି ନିର୍ବାଚନ ମଣ୍ଡଳିରୁ କେନ୍ଦ୍ରକୁ ଯାଇଥିବା ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ତୁଷାର ପରିଡାଙ୍କ ନାମ ସ୍ଥାନ ପାଇନଥିଲା । କେନ୍ଦ୍ରରୁ ସୁରେନ୍ଦ୍ର କୁମାର ପଣ୍ଡାଙ୍କ ନାମରେ ଟିକେଟ ପ୍ରଦାନ କରାଯାଇଥିଲା । ହେଲେ ରାଜ୍ୟରେ ଏ ନେଇ ଚଂଚକତା କରାଯାଇ ଅନ୍ୟ ବ୍ୟକ୍ତିର ନାଁକୁ ପୂରାଇ ଦିଆଯାଇଛି ବୋଲି ଶ୍ରୀ ପଣ୍ଡାଙ୍କ ସମର୍ଥକମାନେ ଅଭିଯୋଗ କରିଛନ୍ତି ।

ଏ ଦିଗରେ ଦଳ ପୁନଃର୍ବିଚାରକରୁ ନଚେତ ସବୁ ପଂଚାୟତରେ ସୁରଙ୍କ ସମର୍ଥକମାନେ ଦଳ ଛାଡିବେ ବୋଲି ମତ ରଖିଥିଲେ । ଉକ୍ତ ବୈଠକରେ ରସୁଲପୁର, ରାହାମ୍ବା, ବାରବାଟୀ, ଓଡିଶୋ, କବାଟବନ୍ଧ, ସଅଂପାରୁ, ଅଞ୍ଜିରା, ଚକ୍ରଧରପୁର, ରେକିଦେଇପୁର, ଅରାବଳ, ପଟୁଣିଆ, ମଧୁସୂଦନପୁର ପ୍ରଭୃତି ପଂଚାୟତର ଛାମୁଆ କର୍ମୀଗଣ ବୈଠକରେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ସୁର ପଣ୍ଡା ସ୍ୱାଧୀନ ଭାବରେ ନିର୍ବାଚନ ଲଢନ୍ତୁ । ଏ ଦିଗରେ ସମର୍ଥକମାନେ ବିଭିନ୍ନ ପଂଚାୟତ ବୁଲି ଜନଜାଗରଣ ସୃଷ୍ଟି କରିବେ ବୋଲି ମତ ରଖିଛନ୍ତି । ରସୁଲପୁର ପଂଚାୟତ ସମତିସଭ୍ୟ ବିଶ୍ୱନାଥ ପଣ୍ଡା, ମଣ୍ଡଳ ସଭାପତି ଦିଲୀପ ରାଉତ, ଜିଲା କାର୍ଯ୍ୟକାରିଣୀ ସଦସ୍ୟ ଗଂଗାଧର ସାହୁ ପ୍ରମୁଖ ଇସ୍ତଫା ପ୍ରଦାନ କରିଛନ୍ତି । ଏ ଦିଗରେ ସୁର ପଣ୍ଡା ଦଳ ବିରୋଧରେ ମୁହଁ ଖୋଲିବାକୁ ମନା କରିଛନ୍ତି । ଟିକେଟ ବଂଟନ ପ୍ରକ୍ରିୟାକୁ ନେଇ ସାଧାରଣ କର୍ମୀଙ୍କ ମନକୁ ଆଘାତ ପହଁଚାଇଛି । ତାର ପ୍ରତିଫଳନ ସ୍ୱରୂପ ଶହ ଶହ କର୍ମୀ ରାଜରାସ୍ତାକୁ ଓହ୍ଲାଇଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି ।

Related Posts

About The Author

Add Comment