ନୀଳଗିରି, ୦୯.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ନୀଳଗିରି ଥାନା ଅଧୀନ ସଜନାଗଡ଼ ବଜାରରେ ଏକ ଦୋକାନ ଖୋଲାଯିବାକୁ କେନ୍ଦ୍ରକରି ଜଣେ ଦୋକାନୀଙ୍କୁ ନୃଶଂସଭାବେ ଦିବାଲୋକରେ ଆକ୍ରମଣ କରାଯିବା ଘଟଣାରେ ସ୍ଥାନୀୟ ପୁଲିସ ଶୁକ୍ରବାର ୨ଭାଇଙ୍କୁ କୋର୍ଟଚାଲାଣ କରିଛି । ସଜନାଗଡ଼ ବଜାରରେ ବିଶ୍ଵନାଥ ବେହେରା -ନାମକ ଜଣେ ବ୍ୟକ୍ତି ଦୀର୍ଘବର୍ଷ ହେବ ଏକ ଜଳଖିଆ ଦୋକାନ କରିଥିଲେ । ଏହି ଦୋକାନକୁ କେନ୍ଦ୍ରକରି ତାଙ୍କ ବଡ଼ଭାଇ ରଘୁନାଥ ବେହେରାଙ୍କ ମଧ୍ୟରେ ପୂର୍ବରୁ ଗଣ୍ଡଗୋଳ ଉପୁଜିବାରୁ ଘଟଣା କୋର୍ଟରେ ବିଚାରାଧୀନ ହୋଇ ଉକ୍ତ ଦୋକାନରେ ୨ଟି ଚାବି ପଡ଼ିଥିଲା । କିନ୍ତୁ ଗତ ସୋମବାର ମଧାହ୍ନରେ ଚକ୍ରଧର ବେହେରା, ରଘୁନାଥ ବେହେରା, ରଣଜିତ ବେହେରା, ଜଗନ୍ନାଥ ବେହେରା, ମନୋରମା ବେହେରା, ପାର୍ବତୀ ବେହେରା ପ୍ରମୁଖ ମିଳିତ ଭାବେ ଦୋକାନର ଚାବିକୁ ଏକ ହ୍ୟଜରେ କାଟୁଥିବା ସମୟରେ ବିଶ୍ଵନାଥ ଏହାକୁ ପ୍ରତିବାଦ କରିବାରୁ ଜନଗହଳି ସ୍ଥଳରେ ତାଙ୍କୁ ବିଧା ଗୋଇଠା ମାରି ତଳେ କଚାଡ଼ି ଦିଆଯାଇଥିଲା । ସେପଟେ ଅନୁରୂପଭାବେ ରଘୁନାଥ ବେହେରାଙ୍କ ପକ୍ଷରୁ ଏକ ପାଲଟା ଅଭିଯୋଗ ମଧ୍ୟ ଦାଖଲ କରାଯାଇଥିଲା । ଆକ୍ରମଣ ସମୟର ଦୃଶ୍ୟ ସ୍ଥାନୀୟ ଅଞ୍ଚଳର କେହି ବ୍ୟକ୍ତି ସୋସିଆଲ ମିଡ଼ିଆରେ ଭାଇରାଲ କରିବା ପରେ ପୁଲିସ ଘଟଣାକୁ ଗୁରୁତ୍ବ ଦେଇଥିଲା । ନୀଳଗିରି ଆଇଆଇସି ପ୍ରଭଞ୍ଜନ ବେହେରାଙ୍କ ନିର୍ଦ୍ଦେଶମୂଳେ ସବଇନ୍ସପେକ୍ଟର ବାସୁଦେବ ଜୟ ସିଂ ତଦନ୍ତ କରି ଆକ୍ରମଣକାରୀ ରଣଜିତ ବେହେରା ଏବଂ ଚକ୍ରଧର ବେହେରାକୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି । ଏମାନେ ଦୁଇଜଣ ସମ୍ପର୍କୀୟ ଭାଇ ବୋଲି ସୂଚନା ମିଳିଥିବା ବେଳେ ଚକ୍ରଧର ବେହେରା ନୀଳଗିରି ବ୍ଲକ ଅଧୀନ ଶ୍ରୀପତି ସେବାଶ୍ରମର ଜଣେ ନିୟମିତ କର୍ମଚାରୀ ବୋଲି ଜଣାଯାଇଛି ।