ରାଉରକେଲା,୨୧/୧/୨୦୨୧(ସନ୍ଧାନ ନିଉଜ): ତାଳଚେର- ବିମଳାଗଡ଼ ରେଳପଥ ନିର୍ମାଣ ପାଇଁ ଆନ୍ଦୋଳନ ସତୁରୀ ଦଶକରୁ ଚାଲି ଆସିଛି । ଅର୍ଦ୍ଦଶତାଦ୍ଦୀ ହେଲାଣି ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିକ୍ଷୋଭ, ଆନ୍ଦୋଳନ ଜାରି ରହିଥିଲେ ହେଁ, ଏଯାଏ ଏହା ସଂପୁର୍ଣ୍ଣ ହୋଇ ନପାରିବା ଅତ୍ୟନ୍ତ କ୍ଷୋଭର ବିଷୟ । ଗୋଟିଏ ଅର୍ଥରେ କହିବାକୁ ଗଲେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ତାଳଚେର- ବିମଳାଗଡ଼ ରେଳପଥ ନିର୍ମାଣରେ ଏକ ବିରାଟ ଅନ୍ତରାୟ ସୃଷ୍ଟି କରିଛି ।ପୂର୍ବତଟ ରେଳପଥ ପକ୍ଷରୁ ତାଳଚେର-ବିମଳାଗଡ଼ ରେଳପଥ କାର୍ଯ୍ୟ ଗତ ମାର୍ଚ୍ଚ ୨୦୧୨ ସୁଦ୍ଧା ଶେଷ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ କ୍ଷୋଭର ବିଷୟ, ଏହାକୁ ୨୦୧୫ ମସିହା ଯାଏ ଘୁଂଚାଇ ଦିଆଯାଇଛି । ଏହି ରେଳପଥ ନିର୍ମାଣ ପାଇଁ କେନ୍ଦ୍ର ରେଳବାଇ ମନ୍ତ୍ରୀ ଅଧିକ ଅର୍ଥ ମଂଜୁର କରିବା ଆବଶ୍ୟକ । ତେବେ ଯାଇ ବହୁ ଦିନର ସ୍ୱପ୍ନ ତାଳଚେର- ବିମଳାଗଡ଼ ରେଳପଥ ସଂପୂର୍ଣ୍ଣ ହୋଇ ପାରିବ । ରାଜ୍ୟ ସରକାର ପୂର୍ବତଟ ରେଳପଥକୁ ଚଳିତ ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ଜମି ଯୋଗାଇ ଦେବା ଆଶା କରାଯାଉଛି । ତେଣୁ ତାଳଚେର ଓ ବିମଳାଗଡ଼ ପଟୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାରେ ବର୍ତମାନ କୌଣସି ପ୍ରତିବନ୍ଧକ ନାହିଁ । ମାତ୍ର ଆଗକୁ ଆସୁଥିବା କେନ୍ଦ୍ର ବଜେଟରେ ତାଳଚେର ବିମଳାଗଡ଼ ରେଳପଥ ନିର୍ମାଣ ପାଇଁ ଅଧିକ ଅର୍ଥ ମଂଜୁର ହୋଇ ପାରିଲେ ଏହି ରେଳପଥ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇପାରିବ । ଏହି ରେଳପଥ ସମୂର୍ଣ୍ଣ ହେଲେ ଏହା ଗମନାଗମନର ଏକ ଉତମ ମାଧ୍ୟମ ପାଲଟିବ ଏଥିରେ ତିଳେମାତ୍ର ଅବକାଶ ନାହିଁ । ତାଳଚେର- ବିମଳାଗଡ଼ ରେଳପଥ ନିର୍ମାଣ କାର୍ଯ୍ୟ ଏଯାଏ ଶେଷ ନହେବା ଆଜିର ସମସ୍ୟା ନୁହେଁ, ଏହା ବହୁତ ପୁରୁଣା । ଏହି ରେଳପଥ ନିର୍ମାଣ ହେଲେ ରେଳଯାତ୍ରାରେ ଦୂରତ୍ୱ ହ୍ରାସ ହୋଇ ପାରିବ । ଗୋଟିଏ ପକ୍ଷେ ରେଳବାଇର ରାଜସ୍ୱ ବଢିବା ସଙ୍ଗେସଙ୍ଗେ ରେଳଯାତ୍ରୀ ମଧ୍ୟ ଉପକୃତ ହେବା ସହ ମାଲ ପରିବହନ ସୁବିଧାରେ ହେବ । ଏହି ରେଳପଥ ନିର୍ମାଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟର ଆନ୍ତରିକତା ଲୋଡ଼ା ।ତାଳଚେର- ବିମଳାଗଡ଼ ରେଳପଥ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ଯଥାଶୀଘ୍ର ହେବା ଦରକାର । ଏହା ପ୍ରତି ନାଗରିକଙ୍କ ଏକ ପ୍ରମୁଖ ଆବଶ୍ୟକତା । ଏହି ରେଳପଥ ନିର୍ମାଣକୁ ନେଇ ପୂର୍ବରୁ ରାଉରକେଲାରେ ବହୁବାର ବିଭିନ୍ନ ସଙ୍ଗଠନ ସମେତ ସଚେତନ ନାଗରିକ ମଂଚ ମଧ୍ୟ ତାର ସ୍ୱର ଉତୋଳନ କରି ସାରିଛି, ଯାହା କାହାକୁ ଅଛପା ନୁହେଁ । ଉଭୟ କେନ୍ଦ୍ର ଓ ରାଜ୍ୟ ମିଳିତ ସମନ୍ୱୟରେ ଏହି ରେଳପଥ କାର୍ଯ୍ୟ ସଂପୂର୍ଣ୍ଣ ହେବା ଦିଗରେ ଯତ୍ନବାନ ହେବା ଦରକାର, ନହେଲେ ଆଗାମୀ ଦିନରେ ଏହାକୁ ନେଇ ଦୁର୍ବାର ଗଣ ଆନ୍ଦୋଳନ ହେବ ବୋଲି ରାଉରକେଲା ସଚେତନ ନାଗରିକ ମଂଚର ସାଧାରଣ ସମ୍ପାଦକ ପି.ପି. ରାୟ ଚେତାବନୀ ଦେଇଛନ୍ତି ।
ତାଳଚେର- ବିମଳାଗଡ଼ ରେଳପଥ ସଂପୂର୍ଣ୍ଣ ହେବ କେବେ!
|
January 21, 2021 |